ଚୀନା ସାନିଟାଇଜର୍
ଓ୍ୱିନ୍ଷ୍ଟନ୍ ଚର୍ଚ୍ଚିଲ କହି ନ ଥଲେ ବୋଲି ବାରମ୍ବାର କୁହାଯାଉଥିଲେ ସୁଦ୍ଧା ତାଙ୍କ ନାମରେ ଯେଉଁ ଏକ ଚମତ୍କାର ଉଦ୍ଧୃତି ରହିଆସିଛି, ତାହା ହେଲା: ‘ଇତିହାସ ମୋ ପ୍ରତି ସଦୟ ହେବ। କାରଣ ମୁଁ ତାକୁ ସେମିତି ଲେଖିବି।’ ଏହି ଅଭିବ୍ୟକ୍ତି ପଛରେ ଚର୍ଚ୍ଚିଲଙ୍କ ଉର୍ବର ମସ୍ତିଷ୍କର କୌଣସି ଭୂମିକା ଥାଉ ବା ନ ଥାଉ; ଏଥିରେ ନିହିତ ଥିବା ସହଜରେ ବୋଧଗମ୍ୟ ଅର୍ଥଟି ହେଲା ଇତିହାସର ରଚନା ମାଧୢମରେ ଭବିଷ୍ୟତ୍ର ମୂଲ୍ୟାୟନକୁ ପ୍ରଭାବିତ କରାଯାଇପାରେ। ସେହି କାରଣରୁ ପ୍ରାଚୀନ କାଳରୁ ଶାସକ ବର୍ଗ ନିଜକୁ ସୁହାଇଲା ଭଳି ଇତିହାସର ‘ବିଶୋଧନୀକରଣ’ (ସାନିଟାଇଜେସନ୍) କାର୍ଯ୍ୟରେ ଲିପ୍ତ ରହି ଆସିଛନ୍ତି। ସ˚ପ୍ରତି ‘କୋଭିଡ୍-୧୯’ ଭୂତାଣୁର ମରଣାନ୍ତକ ଆଶ୍ଳେଷରେ ଯେତେବେଳେ ସାରା ପୃଥିବୀ ଶ୍ବାସରୁଦ୍ଧ ସ୍ଥିତିରେ, ସେତିକି ବେଳେ ଏହି ଭୂତାଣୁର ନାମକରଣକୁ ନେଇ ଉତ୍ପନ୍ନ ବିବାଦ ଏବ˚ ଚୀନ୍ ଦ୍ବାରା ଇତିହାସର ‘ବିଶୋଧନୀକରଣ’ର ଉଦ୍ୟମ ଏକ ସ˚କ୍ଷିପ୍ତ ଆଲୋଚନାର ଅବକାଶ ସୃଷ୍ଟି କରିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
‘କୋଭିଡ୍-୧୯’ ଭୂତାଣୁକୁ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ୍ ‘ଚୀନା ଭାଇରସ୍’ ରୂପେ ଅଭିହିତ କଲେ, ଚୀନ୍ ଦ୍ବାରା ଏହାର ଘୋର ବିରୋଧ ପ୍ରକଟ କରାଯାଇ ଏହା ‘ବର୍ଣ୍ଣ ବିଦ୍ବେଷମୂଳକ’ (ରେସିଷ୍ଟ୍) ବୋଲି ଆକ୍ଷେପ କରାଗଲା। ଏହି ପରିପ୍ରେକ୍ଷୀରେ ଏଭଳି ସମ୍ବୋଧନର କାରଣ ଜିଜ୍ଞାସା କରିଥିବା ଜଣେ ସାମ୍ବାଦିକଙ୍କୁ ଉତ୍ତର ଦେଇ ଟ୍ରମ୍ପ୍ଙ୍କ ତୁଣ୍ତରୁ ଯାହା ବାହାରିଥିଲା, ତାହା ଥିଲା ଅତ୍ୟନ୍ତ ନିରୀହ ଓ ସିଧା: ‘କାରଣ ଏହା ଚୀନ୍ରୁ ଆସିଛି।’ ଅବଶ୍ୟ, ପରବର୍ତ୍ତୀ କାଳରେ ଚୀନ୍ ରାଷ୍ଟ୍ରପତିଙ୍କ ସହିତ କଥାବାର୍ତ୍ତା ପରେ ରାଷ୍ଟ୍ରପତି ଟ୍ରମ୍ପ୍ ଯଦିଓ ରହସ୍ୟମୟ ଭାବେ ଏହାକୁ ଆଉ ‘ଚୀନା ଭାଇରସ୍’ ବୋଲି ସମ୍ବୋଧନ ନ କରି ‘କରୋନା ଭାଇରସ୍’ ରୂପେ ଅଭିହିତ କରିବା ଆରମ୍ଭ କରିଛନ୍ତି, ତଥାପି ବିବାଦ ପ୍ରଶମିତ ହୋଇନାହିଁ। ‘ଜି-୭’ ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏହି ଭୂତାଣୁକୁ ‘ଉହାନ ଭାଇରସ୍’ ରୂପେ ନାମିତ କରିବାକୁ ଉଦ୍ୟମ କରୁଥିବାରୁ ଚୀନ୍ ଏହାର ପ୍ରତିବାଦ କରିଛି। ପ୍ରତ୍ୟୁତ୍ତରରେ ଚୀନ୍ର ଯୁକ୍ତି ହେଲା ‘କୋଭିଡ୍-୧୯’ର ଉତ୍ପତ୍ତି ସ୍ଥଳ ଉହାନ ହୋଇଥିଲେ ସୁଦ୍ଧା ଏହା ଏକ ବିଦେଶାଗତ ଭୂତାଣୁ; ଯାହା ସମ୍ଭବତଃ ଗଲା ଅଗଷ୍ଟ ମାସରେ ଉହାନରେ ଅନୁଷ୍ଠିତ ବିଶ୍ବ ସେନା ବାହିନୀ ଖେଳ କୁଦ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ଆମେରିକୀୟ ବା ୟୁରୋପୀୟ ପ୍ରତିଯୋଗୀମାନଙ୍କ ଠାରୁ ଆସିଥାଇପାରେ! କିନ୍ତୁ ଚୀନ୍ର ଏହି ଯୁକ୍ତି ଯେ ଅତ୍ୟନ୍ତ ଦୁର୍ବଳ, ତାହା କହିବା ବାହୁଲ୍ୟ ମାତ୍ର। କାରଣ କୌଣସି ୟୁରୋପୀୟ ବା ଆମେରିକୀୟ ଯଦି ଏହି ଭୂତାଣୁର ବହନକାରୀ ହୋଇଥାଆନ୍ତେ, ତେବେ ସେହି ସମୟ (ଅଗଷ୍ଟ)ରୁ ହିଁ ସମଗ୍ର ୟୁରୋପ ଏବ˚ ଯୁକ୍ତରାଷ୍ଟ୍ର ଆମେରିକା ବର୍ତ୍ତମାନ ପରିଦୃଷ୍ଟ ହେଉଥିବା ଭଳି ଏକ ଅକଳ୍ପନୀୟ ବିଭୀଷିକାର ଘୂର୍ଣ୍ଣିଝଡ଼ ଭିତରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ସତ୍ତା ହରାଇ ବସିଥାଆନ୍ତେ!
ଏହା ସର୍ବଜନ ଜ୍ଞାତ ଯେ ମାଓ ସେ ତୁ˚ଙ୍କ ‘ସା˚ସ୍କୃତିକ ବିପ୍ଳବ’ କାଳରୁ ହିଁ ନିଜ ଇତିହାସର ବାରମ୍ବାର ‘ବିଶୋଧନୀକରଣ’ କମ୍ୟୁନିଷ୍ଟ ଶାସନାଧୀନ ଚୀନ୍ର ଏକ ଦୁର୍ବାର ଅଭ୍ୟାସରେ ପରିଣତ ହୋଇଛି। କିନ୍ତୁ ସ˚ପ୍ରତି ଯାହା ଦେଖିବାକୁ ମିଳୁଛି ତାହା ହେଲା ଚୀନ୍ ଦ୍ବାରା ବିଶ୍ବ ଇତିହାସର ଏକ କ୍ଷଣକୁ ମୋଡ଼ି ଦେବାର ପ୍ରୟାସ। ଏବ˚ ଅତ୍ୟନ୍ତ ବିସ୍ମୟକର ଭାବେ ଚୀନ୍ ସହିତ ସ୍ବର ମିଳାଇଛନ୍ତି କେତେକ ପାଶ୍ଚାତ୍ୟ ଗଣମାଧୢମ ଏବ˚ ବିଦ୍ବାନ। ଯେଉଁ କାରଣଟି ସେମାନଙ୍କୁ ଏଭଳି କରିବାକୁ ପ୍ରବର୍ତ୍ତାଇ ଥିବ, ତାହା ହୁଏ’ତ େହାଇପାରେ ପାଶ୍ଚାତ୍ୟ ଉଦ୍ୟୋଗ ଓ ବ୍ୟବସାୟ ଲାଗି ଏକ ‘ଅତ୍ୟନ୍ତ ବିଶାଳ ବଜାର’ ଏବ˚ ଶସ୍ତା ‘ମାନବ ସମ୍ବଳ’ ଯୋଗାଣକାରୀ ରୂପେ ଚୀନ୍ର ଗୁରୁତ୍ବ। କହିବା ନିଷ୍ପ୍ରୟୋଜନ ଯେ ଅନେକ ପାଶ୍ଚାତ୍ୟ ବିମର୍ଶକାର ଏବ˚ ‘ଥି˚କ୍୍ ଟ୍ୟା˚କ୍’ ଆମେରିକୀୟ ଉଦ୍ୟୋଗ ଦ୍ବାରା ପ୍ରତିପାଳିତ, ଯେଉଁ ଉଦ୍ୟୋଗର ସ୍ବାର୍ଥ ନିହିତ ରହିଛି ଚୀନ୍ରେ।
ଏହି ପରିପ୍ରେକ୍ଷୀରେ ପ୍ରଶ୍ନ କରାଯାଇପାରେ ଯେ ଯେଉଁମାନେ ‘ଚୀନା ସାନିଟାଇଜର’ ବ୍ୟବହାର କରି ‘କୋଭିଡ୍-୧୯’କୁ ‘ଚୀନ୍-ମୁକ୍ତ’ କରିବାକୁ ଚାହାନ୍ତି, ସେମାନେ ‘ସ୍ପାନିସ୍ ଫ୍ଲୁ ବା ଇବୋଲା ଅଥବା ରସ ଆଇଲାଣ୍ତ ଭାଇରସ୍ ଅଥବା ‘ମର୍ସ’ ଭୂତାଣୁକୁ ଯଥାକ୍ରମେ ସ୍ପେନ୍, କ˚ଗୋ, ଯୁକ୍ତରାଷ୍ଟ୍ର ଆମେରିକା ବା ମଧୢ-ପ୍ରାଚ୍ୟ (ମିଡଲ୍ ଇଷ୍ଟ୍)ର ସ˚ପୃକ୍ତିରୁ ମୁକ୍ତ କରି ଏଭଳି ଐତିହାସିକ ତ୍ରୁଟି ମାର୍ଜନା ଦିଗରେ ଆଗ୍ରହ ପ୍ରକାଶ କରି ନାହାନ୍ତି କାହିଁକି? ସେହିଭଳି ‘ନୂଆ ଦିଲ୍ଲୀ ମେଟାଲୋ-ବେଟା-ଲାକ୍ଟାମାସ-୧’ ବା ‘ଏନ୍ଡିଏମ୍-୧’ ଭଳି ଅତ୍ୟନ୍ତ ମାରାତ୍ମକ ବ୍ୟାକ୍ଟେରିଆର ନାମରୁ ଭାରତର ରାଜଧାନୀ ସହରକୁ ମୁକ୍ତ କରିବାର ପ୍ରୟାସ କରି ନାହାନ୍ତି କାହିଁକି? ଉଲ୍ଲେଖଯୋଗ୍ୟ ଯେ ‘ଏନ୍ଡିଏମ୍-୧’ ବୀଜାଣୁ କେବଳ ଦିଲ୍ଲୀରେ ନୁହେଁ, ବିଶ୍ବର ସର୍ବତ୍ର ଡାକ୍ତରଖାନାଗୁଡ଼ିକରେ ଦେଖିବାକୁ ମିଳନ୍ତି।
ଚୀନ୍ର ସପକ୍ଷବାଦୀମାନେ ଏହି ସ˚ଦର୍ଭରେ ୨୦୧୫ର ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ଡବ୍ଲ୍ୟୁ.ଏଚ୍.ଓ.’ ଦ୍ବାରା ପ୍ରକାଶିତ ଏକ ମାର୍ଗଦର୍ଶିକାର ଅବତାରଣା କରିଥାଆନ୍ତି, ଯାହା କହିଥାଏ ଯେ କୌଣସି ଭୂତାଣୁକୁ ତାର ଉତ୍ପତ୍ତି ସ୍ଥଳ ବା ତାହା କେଉଁ ମାନବ ଗୋଷ୍ଠୀରୁ ଉତ୍ପନ୍ନ; ତା ସହିତ ସ˚ଶ୍ଳିଷ୍ଟ କରାଯିବା ଅଯଥାର୍ଥ। ଏହା ଦ୍ବାରା ସ˚ପୃକ୍ତ ଅଞ୍ଚଳ ବା ଗୋଷ୍ଠୀ ଯୁଗ ଯୁଗ ଧରି ଏକ ଭୁଲ୍ ଧାରଣାର ଶିକାର ହେବାର ଆଶଙ୍କା ରହିଛି। ସେହି ଆଧାରରେ ୨୦୦୨-୦୩ ମସିହାରେ ଚୀନ୍ରେ ଉତ୍ପନ୍ନ ହୋଇଥିଲେ ସୁଦ୍ଧା ଅତ୍ୟନ୍ତ ଘାତକ ‘ପାନ୍ଡେମିକ୍’ ସୃଷ୍ଟିକାରୀ କରୋନା ଭୂତାଣୁ ପରିବାରର ଏକ ଭୂତାଣୁକୁ ‘ସାର୍ସ୍’ (ସିଭିଅର ରେସ୍ପିରେଟୋରି ସିନ୍ଡ୍ରୋମ୍) ରୂପେ ଅଭିହିତ କରାଯାଇଥିଲା। କିନ୍ତୁ ବିସ୍ମୟକର ଭାବେ ଏହାର ପ୍ରାୟ ଏକ ଦଶନ୍ଧି ପରେ ସେହି ‘କରୋନା’ ଭୂତାଣୁ ପରିବାରର ଆଉ ଏକ ଘାତକ ଭୂତାଣୁର ସ˚କ୍ରମଣ(୨୦୧୨) ବେଳେ ତାକୁ ତାର ଉତ୍ପତ୍ତି ସ୍ଥଳ ‘ମଧୢ-ପ୍ରାଚ୍ୟ’ ସହିତ ଯୋଡ଼ା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ଅଭିସନ୍ଧିର ଅଭିଯୋଗ ସ୍ବରୂପ କୁହାଯାଇଥାଏ ଯେ ‘ସାର୍ସ’ ମହାମାରୀର ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୦୬ରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଚୀନା ମୂଳୋଦ୍ଭବର ମାର୍ଗାରେଟ୍ ଚାନଙ୍କ ଅମଳରେ ହିଁ ୨୦୧୫ର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିଲା ଏବ˚ ତାଙ୍କ ସମୟ କାଳରେ ହିଁ ବିଶ୍ବର ଏହି ଶୀର୍ଷତମ ଅନୁଷ୍ଠାନରେ ଚୀନ୍ର ପ୍ରଭାବ ଅତ୍ୟନ୍ତ ଗଭୀର ଓ ବ୍ୟାପକ ହୋଇଥିଲା।
ଅନେକ ସମୟରେ ଏକ ବହୁ ପ୍ରଚଳିତ ଓଡ଼ିଆ ଆହ୍ବାନଭରା ଅଭିବ୍ୟକ୍ତି ଶୁଣିବାକୁ ମିଳିଥାଏ ଯେ ‘ମୁଁ ଅମୁକ କରି ନ ପାରିଲେ, ମୋ ନାମରେ କୁତ୍ତା ପାଳିବ’। ଏହି ଅଭିବ୍ୟକ୍ତିରେ ନିହିତ ଥିବା ଉଦ୍ଦେଶ୍ୟ ହେଉଛି କୁକୁର ଭଳି ଏକ ଇତର ପ୍ରାଣୀ ସହିତ ଜଣଙ୍କର ନାମକୁ ଯୋଡ଼ି ତାଙ୍କୁ ଅସମ୍ମାନର ପାତ୍ରରେ ପରିଣତ କରିବା। ଆମ ରାଜ୍ୟରେ କୁକୁରଙ୍କ ସକାଶେ ପାର˚ପରିକ ଓଡ଼ିଆ ନାମ ବଦଳରେ ‘ଟମ୍’ ବା ‘ଜିମି’ ତୁଲ୍ୟ ଇ˚ରେଜୀ ନାମ ବଛାଯିବାର ପ୍ରଥା ସମ୍ଭବତଃ ଔପନିବେଶିକ କାଳରୁ ରହିଆସିଛି, ଯାହା ତତ୍କାଳୀନ ଓଡ଼ିଆଙ୍କ ମନରେ ରହିଥିବା ଇ˚ରେଜ ବିଦ୍ବେଷର ଦ୍ୟୋତକ ହୋଇପାରେ। କିନ୍ତୁ ବହୁଳ ବ୍ୟବହାର ହେତୁ ଏହି ନାମଗୁଡ଼ିକ ଘଷରା ହୋଇ ଏହା ପଛରେ ଥିବା ଉଦ୍ଦେଶ୍ୟର ବିଲୟ ଘଟାଇବା ସହିତ ଅତ୍ୟନ୍ତ ଦେହସୁହା ତଥା ସ୍ବାଭାବିକ ହୋଇଯାଇଛି। କିନ୍ତୁ, ଯଦି ଔପନିବେଶିକ କାଳରେ କୌଣସି ଅସହିଷ୍ଣୁ ଇ˚ରେଜ ଏକ ‘ବିଶୋଧନୀକରଣ’ର ପ୍ରୟାସ ସ୍ବରୂପ ଆଇନଟିଏ ଆଣି ଭାରତୀୟ କୁକୁରମାନଙ୍କ ଏଭଳି ନାମକରଣକୁ ନିଷେଧ କରିଥାଆନ୍ତେ, ତେବେ ହୁଏତ ଆଜି ପର୍ଯ୍ୟନ୍ତ କୁକୁରଙ୍କ ନାମକରଣକୁ ନେଇ ଭାରତ ଇତିହାସରେ ଅଧୢାୟଟିଏ ରହି ଥାଆନ୍ତା। ସେହି ସ˚ଦର୍ଭରେ ଆଜି ଯଦି ‘ଜିକା’ ଭାଇରସ୍ର ଏଭଳି ନାମକରଣର କାରଣ ବିଷୟରେ ପ୍ରଶ୍ନ କରାଯାଏ, ତେବେ, ହୁଏତ ଅଧିକା˚ଶ ଏ ବିଷୟରେ ଅଜ୍ଞ ଥିବେ ଯେ ଏହା ପଛରେ ମଧୢ ଏକ ସ୍ଥାନ (ଜିକା ଉପତ୍ୟକା)ର ନାମ ଯୋଡ଼ି ହୋଇ ରହିଛି। ସେମିତି ହୁଏ’ତ ଦିନେ କାଳ ବକ୍ଷରେ ‘ଉହାନ ଭାଇରସ୍’ ତହିଁରେ ସନ୍ନିବେଶିତ ସ୍ଥାନ ନାମଟିର ବିଶେଷ ଆବେଦନକୁ ହରାଇଥାଆନ୍ତା। କିନ୍ତୁ, ଏବେ ସେ ଆଶା କ୍ଷୀଣ। ଯଦି ବି ‘ଚୀନା ସାନିଟାଇଜର’ ସଫଳ ହୋଇ ଏହି ଭୂତାଣୁକୁ ଚୀନ୍-ମୁକ୍ତ କରି ଦେଇପାରେ, ତଥାପି ଏହି ‘ବିଶୋଧନୀକରଣ’ର ବିକଳ ପ୍ରୟାସ ଇତିହାସରେ ଉଲ୍ଲିଖିତ ହୋଇ ରହିବା ସହିତ ‘ଉହାନ’ର ନାମକୁ ତା ସହିତ ପ୍ରାଞ୍ଜଳ ଭାବେ ଯୋଡ଼ି ରଖିବ।