ଯାଜପୁର/ଟାଉନ/ସଦର/ଦଶରଥପୁର : ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ତନ୍ମଧ୍ୟରୁ ଚଳିତ ସପ୍ତାହରେ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପରିସ୍ଥିତି ଜଟିଳ ହେଉଥିବା ଲକ୍ଷ୍ୟକରି ଜିଲ୍ଲା ପ୍ରଶାସନ ଆଜି ପୁଣି ଏକ ବଡ଼ ଘୋଷଣା କରିଛି। ଜିଲ୍ଲାର ୫ଟି ବ୍ଲକ୍ ଏବଂ ଗୋଟିଏ ପୌରାଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ବା ଅବରୋଧ ଅଂଚଳ ରୂପେ ଘୋଷଣା କରାଯାଇଛି। ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରୁ ୨୯ତାରିଖ ସନ୍ଧ୍ୟା୬ ପର୍ଯ୍ୟନ୍ତ ଯାଜପୁର ବ୍ଲକ୍, ଦଶରଥପୁର, ବିଂଝାରପୁର, ବରୀ ଓ କୋରେଇ ବ୍ଲକ୍ ସମେତ ଯାଜପୁର ପୌରାଞ୍ଚଳ ବନ୍ଦ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
କୋଲକାତା ଫେରନ୍ତାଙ୍କ ପାଇଁ ଯାଜପୁର ଜିଲ୍ଲାର ସ୍ଥିତି ବିଗିଡ଼ି ଯାଇଛି। ଗତକାଲି କେବଳ ଦଶରଥପୁର ବ୍ଲକ୍ରେ ୬ଜଣ କରୋନା ସଂକ୍ରମିତ ଠାବ ହୋଇଥିଲେ। ଦଶରଥପୁର ବ୍ଲକ୍ରେ ବର୍ତ୍ତମାନ ସୁଦ୍ଧା ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଯାଜପୁର ବ୍ଲକ୍ରେ ୭ଜଣ, କୋରେଇ ଏବଂ ରସୁଲପୁର ବ୍ଲକ୍ରେ ଜଣେ ଲେଖାଏଁ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାକୁ ସରକାର ୬୦ ଘଣ୍ଟା ପାଇଁ ସଟ୍ଡାଉନ୍ କରିଥିଲେ। ଆଜି ସକାଳ୧୦ଟାରେ ସଟ୍ଡାଉନ୍ ଅବଧି ଶେଷ ହୋଇଥିବା ବେଳେ ଅପରାହ୍ଣ ୪ଟାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ହଜାର ହଜାର ଲୋକ ରାସ୍ତା ଉପରକୁ ଚାଲି ଆସିଥିଲେ। ପରିସ୍ଥିତି ଗମ୍ଭୀର ହେଉଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ ୫ଟି ବ୍ଲକ୍ ଏବଂ ଗୋଟିଏ ପୌରାଞ୍ଚଳରେ ସଟ୍ଡାଉନ୍ ଭଳି ପରିସ୍ଥିତି ବଳବତ୍ତର ରହିବ ବୋଲି ଘୋଷଣା କରିଛି। ଆସନ୍ତାକାଲି ମଧ୍ୟାହ୍ନ୧୨ଟାରୁ ୫୪ ଘଣ୍ଟା ପାଇଁ ଲୋକେ ଅବରୋଧରେ ରହିବେ।
ଏହି ଅଞ୍ଚଳରେ ସଟ୍ଡାଉନ୍ ଭଳି ପରିସ୍ଥିତି ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ଅବରୋଧ ଅଞ୍ଚଳରେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରେ ସଂଗରୋଧରେ ଥିବା ବ୍ୟକ୍ତିଙ୍କ ନମୁନା ସଂଗ୍ରହକୁ ତ୍ବରାନ୍ବିତ କରାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି।