ରାଜ୍ୟର ୩ ମେଡିକାଲ କଲେଜକୁ ଆସିବ କୋବାସ ମେସିନ୍‌, ଦୈନିକ ୧୫ହଜାର କୋଭିଡ ନମୁନା ପରୀକ୍ଷା ଲକ୍ଷ୍ୟ

କୋଲକାତାରୁ ଜିନିଷ ଆଣିବାକୁ ବ୍ଲାଙ୍କ ଚେକ୍ ନେଇ ଯାଇଥିଲେ ସରକାରୀ ଅଧିକାରୀ

ଭୁବନେଶ୍ବର : ରାଜ୍ୟର ଆଉ ୩ ମେଡିକାଲ କଲେଜରେ କୋଭିଡ ପରୀକ୍ଷା ପାଇଁ ଅତ୍ୟାଧୁନିକ କୋବାସ ମେସିନ୍‌ ଲଗାଯିବ। ଆସନ୍ତା ୨ମାସ ଭିତରେ ଏହି ମେସିନ୍ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଯାହାଫଳରେ ରାଜ୍ୟରେ ନମୁନା ପରୀକ୍ଷାଗାର ସଂଖ୍ୟାରେ ବୃଦ୍ଧି ଘଟିବ। ଏହାସହ ଆଗାମୀ ଦିନରେ ରାଜ୍ୟ ବାହାରୁ ଫେରିବାକୁ ଥିବା ଲକ୍ଷାଧିକ ପ୍ରବାସୀ ଓଡ଼ିଆଙ୍କୁ ନଜରରେ ରଖି ଆଇସିଏମ୍‌ଆର ଅନୁମୋଦିତ ଘରୋଇ ପରୀକ୍ଷାଗାରକୁ କୋଭିଡ ପରୀକ୍ଷା ପାଇଁ ସାମିଲ କରାଗଲେ ଦୈନିକ ୧୫ହଜାର ନମୁନା ପରୀକ୍ଷା ରାଜ୍ୟରେ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରଶ୍ନର ଉତ୍ତରରେ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଥିଲେ ଯେ, କୋରାପୁଟ, ବଲାଙ୍ଗୀର ଓ ବାଲେଶ୍ବର ମେଡିକାଲ କଲେଜରେ ଏହି ମେସିନ୍‌ ଲଗାଯିବ। କୋଭିଡ ପରିପ୍ରେକ୍ଷୀରେ ଏହି ମେସିନ୍ କିଣାଯାଉଥିଲେ ହେଁ ପରବର୍ତୀ ସମୟରେ ଏହା ରାଜ୍ୟବାସୀଙ୍କ କାମରେ ଲାଗିବ। ରାଜ୍ୟରେ ଏବେ କେବଳ ଗୋଟିଏ ବିଭାଗ କାର୍ଯ୍ୟ କରୁଛି, ତାହା ହେଉଛି ସ୍ବାସ୍ଥ୍ୟ ବିଭାଗ। କୋଭିଡ ଭଳି ଅସାଧାରଣ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବଜେଟ୍‌ ନାହିଁ। କୋଭିଡ ଯୁଦ୍ଧରେ ଆଗରେ ରହିଥିବା ଡାକ୍ତର, ନର୍ସ ଓ ପାରାମେଡିକ କର୍ମଚାରୀଙ୍କ ପାଇଁ ଯାହା ଆବଶ୍ୟକ ତାହାକୁ କିଭଳି ଯୋଗାଇ ଦିଆଯିବ ସେଥିପାଇଁ ଉଦ୍ୟମ ଜାରି ରହିଛି। ବିଶେଷକରି ଭେଣ୍ଟିଲେଟର, ପିପିଇ, ଟେଷ୍ଟିଂ କିଟ୍‌, ଭିଟିଏମ୍‌ ଭଳି ମେଡିକାଲ ଯନ୍ତ୍ରପାତି କେଉଁ କେଉଁ ସ୍ଥାନରୁ କିଣାଯିବ ସେଥିପାଇଁ ସମସ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି।

ଶ୍ରୀ ଶର୍ମା କହିଥିଲେ ଯେ, ଲକ୍ ଡାଉନ୍ ସମୟରେ ମେଡିକାଲ ଯନ୍ତ୍ରପାତି ପହଞ୍ଚାଇବା ଓ ମେସିନ୍‌ର ଇନଷ୍ଟଲେସନ୍‌ ପାଇଁ ଇଞ୍ଜିନିୟରମାନଙ୍କୁ ବାହାରୁ ଆଣିବା କାର୍ଯ୍ୟ ମଧ୍ୟ ଯୁଦ୍ଧାକାଳୀନ ଭିତ୍ତିରେ କରାଯାଇଛି। ମେଡିକାଲ ଯନ୍ତ୍ରପାତି ପ୍ରସ୍ତୁତ କରୁଥିବା କମ୍ପାନିମାନେ ସରକାରୀ କ୍ଷେତ୍ରରେ ସେମାନଙ୍କ ଯନ୍ତ୍ରପାତି ଯୋଗାଣ କରିଥାନ୍ତି। କମ୍ପାନିମାନଙ୍କୁ ଟଙ୍କା ପଇଠ ନେଇ ଅନେକ ସମୟରେ ସମସ୍ୟା ରହିଥାଏ। ତେଣୁ ଯୋଗଣକାରୀ ସଂସ୍ଥାମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ବଡ଼ କଥା। ଉଦହାରଣ ଛଳରେ ସେ କହିଥିଲେ ଯେ, କୋଲକାତାରୁ କିଛି ଆରଏନ୍‌ଏ ଏକ୍ସଟ୍ରାକ୍ସନ୍ କିଟ୍ ଆସିବାର ଥିଲା। ରାଜ୍ୟର ଦୁଇ ଜଣ ବୈଜ୍ଞାନିକଙ୍କୁ ବ୍ଲାଙ୍କ ଚେକ୍ (ମୂଲ୍ୟ ନଥାଇ ସ୍ବାକ୍ଷର ସମ୍ବିଳିତ) ଦିଆଯାଇ କୋଲକାତା ପଠାଯାଇଥିଲା। ଯନ୍ତ୍ରପାତି ଠିକ୍ ଦେଖିବା ପରେ ଏହି ଚେକ୍‌ରେ ମୂଲ୍ୟ ପକାଇ ଆଣିବା ପାଇଁ କୁହାଯାଇଥିଲା। କୌଣସି ସରକାରୀ ଅଧିକାରୀ ବ୍ଲାଙ୍କ ଚେକ୍ ନେଇ ରାଜ୍ୟ ବାହାରକୁ ଜିନିଷ କିଣିବା ପାଇଁ ଯିବା ବୋଧହୁଏ ବିରଳ ଘଟଣା। ମାତ୍ର ଏସବୁ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ଶର୍ମା କହିଥିଲେ।

ସମ୍ବନ୍ଧିତ ଖବର