କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର: ସୋସିଆଲ ମିଡିଆରେ ଭାଇରାଲ କରିଥିବା ୫ ଜଣଙ୍କ ନାଁରେ ଏତଲା

ବାଲେଶ୍ୱର: ରବିବାର ସକାଳେ ବାଲେଶ୍ୱର ବାସିନ୍ଦା ରାସ୍ତାକୁ ବାହାରିଥିବା ବେଳେ ହଠାତ୍‌ ବାଲେଶ୍ୱର ସହରର କାନ୍ଥପାଚେରୀରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟରଗୁଡ଼ିକରେ କେନ୍ଦ୍ରମନ୍ତ୍ରୀ ନିଖୋଜ ହୋଇଥିବା ଉଲ୍ଲେଖ ହୋଇଛି। ଏହାଦେଖି ଲୋକ ଆଶ୍ବର୍ଯ୍ୟ ହୋଇଯାଇଥିବା ବେଳେ ବାଲେଶ୍ୱର ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। ପୋଷ୍ଟର ସୌଜନ୍ୟରେ ବାଲେଶ୍ୱର ପିପୁଲ ଲେଖାଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ବାଲେଶ୍ୱର ବାସିନ୍ଦା ସହରର କାନ୍ଥବାଡରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ହୋଇଯାଇଥିବା ପୋଷ୍ଟର ଲାଗିଥିବା ଦେଖିବାକୁ ପାଇଥିଲେ। ଏହି ପୋଷ୍ଟରଟିକୁ ଦେଖି ବାସ୍ତବରେ ପ୍ରତାପ ଷଡଙ୍ଗୀ ନିଖୋଜ ହୋଇଯାଇଛନ୍ତି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା। ପାଖକୁ ଯାଇ ପୋଷ୍ଟରରେ କ’ଣ ଲେଖା ହୋଇଛି ଦେଖିଲା ବେଳକୁ ସେଥିରେ ଲେଖାଥିଲା ‘ସାହାଯ୍ୟ କର, ଆମର ଏମ୍‌ପି ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜିବାରେ ସାହାଯ୍ୟ କର।’ ଏହି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହାକୁ ନେଇ ସହଦେବଖୁଣ୍ଟା ଥାନାରେ ଏତଲା ମଧ୍ୟ ଦିଆଯାଇଛି। ଆଜି ଅପରାହ୍ନରେ ବିଜେପିର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସହଦେବଖୁଣ୍ଟା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କୁ ଭେଟିଥିଲେ। ଏତଲାରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏହି ହୀନ ଉଦ୍ୟମ ଏବଂ ସଂଜୀବ ଗିରି, ସୁଧାଂଶୁ ଶେଖର ଜେନା, ଜ୍ଞାନେନ୍ଦ୍ର ମହାନ୍ତି, ମହମ୍ମଦ ଶେଖ୍‌, ଗୌତମ ସାହୁ ନାମକ ବ୍ୟକ୍ତି ନିଜ ନିଜ ‌ଫେସବୁକ୍‌ ଆକାଉଣ୍ଟରେ ଏହାକୁ ଭାଇରାଲ କରୁଥିବା ନେଇ ଅଭିଯୋଗ ହୋଇଛି।

ପୁଲିସକୁ ଏହି ଘଟଣା ସମ୍ପର୍କରେ ଖବର ମିଳିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏଭଳି ନିଖୋଜ ପୋଷ୍ଟର ଲାଗିବା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ମଧ୍ୟ ନିଜ ପ୍ରତିକ୍ରିୟା ରଖି କହିଛନ୍ତି। ‘ମୁଁ କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ମନ୍ତ୍ରାଳୟର କାମ ପାଇଁ ବ୍ୟସ୍ତ ରହିଛି। ତେଣୁ ଶାରୀରିକ ଭାବେ ହୁଏତ ମୋ ଲୋକସଭା କ୍ଷେତ୍ରରେ ଉପସ୍ଥିତ ନାହିଁ। କିନ୍ତୁ ଦିଲ୍ଲୀରେ ରହି ପ୍ରତିଦିନ ଜିଲ୍ଲାରେ କରୋନା ଓ ଅମ୍ଫାନ କ୍ଷୟକ୍ଷତିର ମୁକାବିଲା ଏବଂ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ କିପରି ଘରକୁ ପଠାଯିବ ସେନେଇ ନିଜ ଟିମ୍‌ ଓ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗ ରଖୁଛି। ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲକଡାଉନ ସମୟରେ ବିଭିନ୍ନ ଅସୁବିଧାରେ ଥିବା ଲୋକମାନଙ୍କ ନିକଟରେ ସାହାଯ୍ୟ ପହଞ୍ଚାଇବା। ଦୁଃଖୀ, ଗରିବ ଓ ଅସହାୟ ଲୋକଙ୍କ ପାଖରେ ଖାଦ୍ୟସାମଗ୍ରୀ ସହ ମାସ୍କ, ସାନିଟାଇଜର, ସାବୁନ ଆଦି ପହଞ୍ଚାଇବା କାର୍ଯ୍ୟକ୍ରମ ଏବେବି ଆମ ଟିମ୍‌ ଜାରି ରଖିଛନ୍ତି। ଏହାଛଡ଼ା ଆମର ଦଳୀୟ କର୍ମୀମାନେ ଗାଁ ଗାଁରେ ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିବା ସହ କ୍ବାରେଣ୍ଟିନ ସେଣ୍ଟର ଓ ସରକାରୀ କାର୍ଯ୍ୟକ୍ରମ ଠିକ୍‌ ଭାବେ ପରିଚାଳନା ହେଉଛି କି ନାହିଁ ସେ ଉପରେ ନଜର ରଖିବାକୁ କୁହାଯାଇଛି। ଯିଏ ଏଭଳି କାମ କରିଛନ୍ତି ସେମାନଙ୍କୁ ମୋର କିଛି କହିବାର ନାହିଁ।’

ସମ୍ବନ୍ଧିତ ଖବର