କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ମାମଲା : ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ : କରୋନା ଭୂତାଣୁ ସଂକ୍ରମିତଙ୍କ ପରିଚୟ ପ୍ରଘଟ ସଂପର୍କିତ ମାମଲାରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ସଂକ୍ରମିତଙ୍କ ପରିଚୟ ପ୍ରଘଟ ସଂକ୍ରାନ୍ତରେ କେତେକ ତଥ୍ୟ ଅତିରିକ୍ତ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଥିଲା। ଏଥିସହିତ କରୋନା ଭୂତାଣୁ ସଂକ୍ରମିତ ଓ ସେମାନଙ୍କ ପରିବାର ସଦସ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ‌ କିଭଳି ଭାବେ ନିନ୍ଦିତ ତଥା ପାତରଅନ୍ତରର ଶିକାର ହେଉଛନ୍ତି ସେ ନେଇ ଅତିରିକ୍ତ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଆବେଦନକାରୀ ଦାଖଲ କରିଥିବା ତଥ୍ୟ ଉପରେ ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମେ୨୮ରେ ହାଇକୋର୍ଟ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି କରୋନା ଭୂତାଣୁ ସଂକ୍ରମିତ (କୋଭିଡ-୧୯ ପଜିଟିଭ୍) ବ୍ୟକ୍ତିଙ୍କ ପରିଚୟ ବାହାରେ ପ୍ରକାଶ କରିବା ଉପରେ ଅଙ୍କୁଶ ଜାରି କରିଥିଲେ। ଆବେଦନକାରୀ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିବାବେଳେ ଆଶୁତୋଷ ସାହୁ, ଶ୍ବେତଲନା ଦାଶ ଓ ସ୍ମୃତି ମହାନ୍ତି ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର