ସାୱାର ତଳେ ଘଣ୍ଟା‌ଏ କାନ୍ଦିଥିଲେ ଇମାମ୍‌

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଖେଳିବା ଏତେ ସହଜ କଥା ନୁହେଁ। ଏହି ଦେଶରୁ ଇମ୍ରାନ୍ ଖାନ୍‌, ୱାସିମ୍ ଆକ୍ରମ, ସାକଲେନ୍ ମୁସ୍ତାକ, ସଇଦ୍ ଅନୱାର, ଜାଭେଦ ମିଆଁଦାଦ ଓ ଇଞ୍ଜାମାମ୍ ଉଲ୍ ହକ୍‌ଙ୍କ ଭଳି କିଂବଦନ୍ତି କ୍ରିକେଟର୍‌ ବାହାରିଛନ୍ତି। ଇଞ୍ଜାମାମ୍ ଏବଂ ଇମ୍ରାନ୍‌ ସଫଳତମ ଅଧିନାୟକ ବିବେଚିତ ହୁଅନ୍ତି। ଜାତୀୟ ଦଳରୁ‌ ଖେଳିବାର କଷ୍ଟକର ଯାତ୍ରାକୁ ମନେ ପକାଇଛନ୍ତି ଯୁବ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଇମାମ୍ ଉଲ୍ ହକ୍। ପାକିସ୍ତାନ ଦଳରେ ସ୍ଥାନ ପାଇବା ପରେ ପ୍ରଶଂସକ ଏବଂ ଗଣାମାଧ୍ୟମ କିଭଳି ତାଙ୍କୁ ସମାଲୋଚନା କରିଥିଲା ସେ ନେଇ ନିଜ ଦୁଃଖ ପ୍ରକାଶ କରିଥିଲେ ଇମାମ। ତାଙ୍କ ପ୍ରଦର୍ଶନକୁ ନ‌‌ୁହେଁ, ସେ ପୂର୍ବତନ କ୍ରିକେଟର୍‌ ଇଞ୍ଜାମାମ୍‌ ଉଲ୍ ହକ୍‌ଙ୍କ ପୁତୁରା ହୋଇଥିବାରୁ ସମାଲୋଚନାର ଶରବ୍ୟ ହୋଇଥିଲେ। ଏଭଳି ପରିସ୍ଥିତି ସହିତ ମୁକାବିଲା କରିବା କଷ୍ଟକର ଥିଲା ବୋଲି କହିଥିଲେ ୨୪ ବର୍ଷୀୟ ଇମାମ୍‌। ‘ସଚୋଟତାର ସହ କହିବି, ମୁଁ ଜାତୀୟ ଦଳରେ ସାମିଲ ହେବା ବେଳକୁ ମୋର ଜଣେ ମାତ୍ର ବଂଧୁ ଥିଲେ ବାବର ଆଜମ। ସେ ନିୟମିତ ଜାତୀୟ ଦଳରୁ ଖେଳୁଥିବାରୁ ତାଙ୍କ ସହ ବିଶେଷ କଥା ବାର୍ତା ହୋଇପାରୁନଥିଲା। ସେ ଦିନିକିଆରେ ‌ଭଲ‌ ଖେଳୁଥିଲେ ମଧ୍ୟ ଟେଷ୍ଟ୍‌ ଫର୍ମକୁ ନେଇ ଚିନ୍ତିତ ଥିବାରୁ ଏକାଗ୍ରତା ରଖୁଥିଲେ ଏବଂ ବ‌ିଶେଷ କଥା ହେଉନଥିଲେ। ୨୦୧୭ ମସିହାରେ ଯେତେବେଳେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ପାଇଁ ୟୁଏଇ ଗସ୍ତରେ ମୋତେ ନିଆଯାଇଥିଲା ପ୍ରଶଂସକମାନେ କଡ଼ା ସମାଲୋଚନା କରିଥିଲେ। ଯେତେବେଳେ ମୁଁ ଫୋନ୍ ଖୋଲିଲି ମୋତେ ଟ୍ୟାଗ୍ କରି ଭିନ୍ନ କଥା ଆସୁଥିଲା। ମୁଁ ଭାଙ୍ଗିପଡିଥିଲି ଏବଂ ଶେଷକୁ ଫୋନ୍‌କୁ ସୁଇଚ୍ ଅଫ୍ କରି ଦେଇଥିଲି।

ମ୍ୟାନେଜରଙ୍କୁ ମୋର ଉଭୟ ଫୋନ୍‌ ହସ୍ତାନ୍ତର କରି ଦେଇଥିଲି। ପରିସ୍ଥିତି ଏଭଳି ହୋଇଥିଲା ଯେ ମୁଁ ମ୍ୟାଚ୍‌ ଖେଳିବା ପୂର୍ବରୁ ଘଣ୍ଟା ଘଣ୍ଟା ଧରି ସାୱାର ତଳେ ବସି କାନ୍ଦିଥିଲି। କିଛି ବୁଝିପାରୁନଥିଲି। ଯଦି ମ୍ୟାଚ୍‌ ଖେଳ‌ିବି କିଭଳି ପ୍ରଦର୍ଶନ କରିବି? ଭଲ ଖେଳି ନ ପାରିଲେ ଦଳରୁ ପୁଣି ବାଦ୍ ପଡ଼ିଯିବା ଭଳି ଅନେକ କଥା ମୋ ମନ ଭିତରେ ଚାଲିଥିଲା। ଦୁବାଇରେ ବହୁ ପାକିସ୍ତାନୀ ଥିବାରୁ ମୁଁ ଘରୁ ବି ବାହାରିପାରୁନଥିଲି। ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ମୋତେ ଖେଳିବାକୁ ସୁଯୋଗ ମିଳିନଥିଲା। ଅହମ୍ମଦ ସେହଜାଦ ଖେଳିଥିଲେ। ତୃତୀୟ ମ୍ୟାଚ୍‌ ପୂର୍ବରୁ ମିକି ଆର୍ଥର (ପ୍ରଶିକ୍ଷକ) ମୋତେ ବାର୍ତା ପଠାଇଥିଲେ ‘ଇମି ତୁମ ସମୟ ଆସିଗଲା, ପ୍ରସ୍ତୁତ ହୋଇଯାଅ, ଶୁଭକାମନା’। ଏହି ସମୟରେ ବି ଭାବିଥିଲି ବାର୍ତାଟି ନ ଆସିଥିଲେ ଭଲ ‌ହୋଇଥାନ୍ତା। କାରଣ ମୋ ଆତ୍ମବିଶ୍ବାସ ବହୁ ତଳେ ଥିଲା। ମୁଁ ଭଲ ଖେଳିପାରିବି ନାହିଁ ବୋଲି ଭାବୁଥିଲି। ମୁଁ ମ୍ୟାଚ୍‌ ଉପରେ କମ୍‌ ଏବଂ ବାହାର କ’ଣ ଘଟୁଥିଲା ଅଧିକ ଚିନ୍ତା କରୁଥିଲି। ଖରାପ ଖେଳିଲେ କାଳେ ମୋ କ୍ୟାରିୟର୍‌ ଶେଷ ହୋଇଯିବ ଏହାକୁ ନେଇ ଚାପରେ ପଡ଼ିଥିଲି। ସଭିଏଁ କହିଥିଲେ ମୋତେ ସମାଲୋଚନା କରି ସେମାନେ ଠିକ୍ କରୁଥିଲେ। କାରଣ ଗଣମାଧ୍ୟମ ବି ମୋ ସାମିଲକୁ ନେଇ ଅଧିକ ଆଲୋଚନା କରୁଥିଲା ବୋଲି ଇମାମ୍ ପ୍ରକାଶ କରିଥିଲେ। ଏସବୁ ସେମାନେ କରୁଥିଲେ କାରଣ ମୁଁ ଇଞ୍ଜାମାମ୍ ଉଲ୍ ହକ୍‌ଙ୍କ ପୁତୁରା ଥିଲି ବୋଲି। ସୂଚନ‌ାଯୋଗ୍ୟ, ଇମାମ୍‌ ଆବୁଧାବିରେ ପଦାର୍ପଣରେ ହିଁ ଶତକ ହାସଲ କରି ପାକିସ୍ତାନକୁ ବିଜୟୀ କରାଇଥିଲେ ଏବଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା। ଏବେ ପାକିସ୍ତାନ ଦଳର ନିୟମିତ ସଦସ୍ୟ ହୋଇଥିବା ଇମାମ୍‌ ଜାତୀୟ ଦଳରୁ ୧୧ ଟେଷ୍ଟ ଓ ୩୭ ଦିନିକିଆ ଖେଳିସାରିଛନ୍ତି।

ସମ୍ବନ୍ଧିତ ଖବର