୫ ରାଜପଥ ଲୁଟେରା ଗିରଫ
ଖଣ୍ଡଗିରି: ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରୁ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ଏକ ୫ଜଣିଆ ହାଇୱେ ଲୁଟେରା ଗ୍ୟାଙ୍ଗ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଖୋର୍ଦ୍ଧା ଥାନା ମୁକୁନ୍ଦପ୍ରସାଦ ଗାଁର ରାଜ ଦଳବେହେରା(୨୨), ଉଜ୍ଜିନ୍ ଖାଁ ଓରଫ୍ କଇରା(୫୨), ଜଟଣୀ ଥାନା ରଥିପୁର ଗାଁର ସେକ୍ କସିମ୍ ଓରଫ୍ କଇରା(୧୯), ରମାକାନ୍ତ ସ୍ବାଇଁ ଓରଫ୍ ଭୁବନ(୨୨) ଓ ଫୁଲବାଣୀ ପିଅନପଡ଼ାର କାହ୍ନୁ ପରିଡ଼ା ଓରଫ୍ ଦୀପକ(୨୨)। ପୁଲିସ ସେମାନଙ୍କଠାରୁ ଗୋଟିଏ ଖଣ୍ଡା, କଟୁରି, ଛୁରି, ଲୁହାରଡ୍ ଓ ପାଇପ୍ ଜବତ କରିଛି। ସେହିଭଳି ଗୋଟିଏ ବଲେରୋ (ଓଆର୍୦୫ଜେଡ୍-୦୬୬୨), ଗୋଟିଏ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍ (ଓଡି୦୪ଏନ୍-୭୩୮୬), ଗୋଟିଏ ବୁଲେଟ୍ (ଓଡି୦୨ବିବି-୭୮୧୨), ଗୋଟିଏ ୟାମା (ଓଡି୦୨ବିଏଫ୍-୫୮୪୧), ଆପାଚି (ଓଡି୩୩ଏନ୍-୫୦୩୬) ଓ ପଲସର୍ (ଓଡି୩୩ଏଲ୍-୮୦୪୫) ଜବତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନାନୁସାରେ, ଏହି ଗ୍ୟାଙ୍ଗର ନେଟ୍ୱର୍କ ବାଲୁଗାଁରୁ ଭୁବନେଶ୍ବର ପର୍ଯ୍ୟନ୍ତ। ଏମାନେ ରାଜପଥରେ ଛିନ୍ତାଇ କରିବା ସହ ମାଲବାହୀ ଟ୍ରକ୍କୁ ଅଟକାଇ ଲୁଟ୍ପାଟ୍ କରନ୍ତି। ବହୁ ସମୟରେ ଏମାନେ ରାଜଧାନୀରେ ପଶି ବାଇକ୍ ଉଠାଇ ନିଅନ୍ତି। କେବଳ ସେତିକି ନୁହେଁ, ଏମାନେ ବୁଲା ଗାଈ ଓ ଷଣ୍ଢମାନଙ୍କୁ ମଧ୍ୟ ଉଠାଇ ନେଇ କଂସେଇଖାନାରେ ବିକି ଦିଅନ୍ତି। ଗତକାଲି ଏମାନେ ଗଙ୍ଗପଡ଼ା ପୁରୁଣା ଟୋଲ୍ଗେଟ୍ ନିକଟରେ ଏକ ନିଛାଟିଆ ସ୍ଥାନରେ ମାଲବାହୀ ଗାଡ଼ି ଲୁଟିବା ଯୋଜନା କରି ଏକାଠି ହୋଇଥିଲେ। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ରାତାରାତି ପୁଲିସ ସେମାନଙ୍କଠାରୁ ଉପରୋକ୍ତ ୪ଟି ଚୋରା ବାଇକ୍ ଉଦ୍ଧାର କରିଥିଲା। ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ଅଞ୍ଚଳରୁ ଏହି ବାଇକ୍ଗୁଡ଼ିକ ସେମାନେ ଚୋରି କରିଥିବା ମାନି ଯାଇଥିଲେ।