ଅଷ୍ଟ୍ରେଲିଆ ମହିଳା ମନ୍ତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ

କୁଇନ୍ସଲ୍ୟାଣ୍ଡ: ଅଷ୍ଟ୍ରେଲିଆର ୩୭ ବର୍ଷୀୟ ମହିଳା ସାଂସଦ ତଥା ସହକାରୀ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରିଟାନି ଲାଉଗାଙ୍କୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ହିଁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କେବଳ ସେ ନୁହେଁ ଅନେକ ମହିଳା ଏଭଳି ଅପରାଧର ଶିକାର ହୋଇଛନ୍ତି ‌ବୋଲି ବ୍ରିଟାନି କହିଛନ୍ତି। ମନ୍ତ୍ରୀଙ୍କୁ ଦୁଷ୍କର୍ମ ମାମଲା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କୁଇନ୍ସଲ୍ୟାଣ୍ଡର ସ୍ବତନ୍ତ୍ର ପୁଲିସ ଟିମ୍‌ ତଦନ୍ତ ଆରମ୍ଭ କରିଛି। ପୁଲିସ ନିକଟରେ ବ୍ରିଟାନି ଦାଏର କରିଥିବା ଅଭିଯୋଗ ଅନୁସାରେ, ଏହି ଘଟଣା କୁଇନ୍ସଲ୍ୟାଣ୍ଡର ୟେପ୍ପୁନ୍‌ରେ ଏପ୍ରିଲ୍ ୨୮ ତାରିଖ ରାତିରେ ଘଟିଥିଲା। ଘଟଣାଦିନ ସେ ବାହାରକୁ ବୁଲି ଯାଇଥିଲେ। ଏହି ସମୟରେ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିଲା। ବ୍ରିଟାନିଙ୍କ ଏଭଳି ଅଭିଯୋଗ ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହି ଘଟଣା ନେଇ ସେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ କେତେକ ପୋଷ୍ଟ୍‌ କରିଛନ୍ତି। ସେ ଘଟଣା ଦିନ କୌଣସି ନିଶା ସେବନ କରିନଥିଲେ ତଥାପି ସ୍ବାସ୍ଥ୍ୟ ଯାଞ୍ଚରେ ଶରୀରରେ ନିଶାଦ୍ରବ୍ୟ ଥିବା ଜଣାପଡ଼ିଥିଲା। ତାଙ୍କୁ ଅଚେତ କରାଯାଇ ଏହି ନିଶା ଦିଆଯାଇଥିଲା ବୋଲି ସନ୍ଦେହ କରାଯାଉଛି। କେବଳ ସେ ନୁହନ୍ତି, ତାଙ୍କ ଭଳି ଅନେକ ମହିଳାଙ୍କୁ ଏଭଳି ନିଶା ଦେଇ ଦୁଷ୍କର୍ମ କରାଯାଇଛି ବୋଲି ବ୍ରିଟାନିଙ୍କ ବୟାନ ହଇଚଇ ସୃଷ୍ଟି କରିଛି। ପୀଡ଼ିତାମାନେ ତାଙ୍କୁ ଫୋନ୍‌ କରି ଏ ବାବଦରେ ଜଣାଇଛନ୍ତି ବୋଲି ସେ ନିଜ ପୋଷ୍ଟରେ ଦର୍ଶାଇଛନ୍ତି। କୁଇନ୍ସଲ୍ୟାଣ୍ଡ ଗୃହନିର୍ମାଣ ମନ୍ତ୍ରୀ ମେଘାନ୍ ସ୍କାଲୋନ୍ ଏହି ଘଟଣାକୁ ଭୟାନକ ଓ ଦୃଦୟବିଦାରକ ବୋଲି କହିଛନ୍ତି। କୁଇନ୍ସଲ୍ୟାଣ୍ଡ ପୁଲିସ ପକ୍ଷରୁ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଥିବାରୁ ଖୁବ୍‌ଶୀଘ୍ର ଅପରାଧୀମାନେ ଧରାପଡ଼ିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର