ଲୋକଙ୍କ ଟଙ୍କାରେ ନିର୍ବାଚନ ଲଢ଼ିବେ ଘେନୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟ ପ୍ରଚାର ସମୟରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ସ୍ବାଧୀନ ପ୍ରାର୍ଥୀ ଘେନୁ ମୁଦୁଲିଙ୍କ ପ୍ରଚାର ପାଇଁ ଅର୍ଥ ବାଧକ ସାଜିଥିବାରୁ ସହାୟତାର ହାତ ବଢ଼ାଇଛନ୍ତି ଗ୍ରାମବାସୀ। ଆଜି ଗଙ୍ଗଲାଗୁଡ଼ା ଗାଁରେ ଘେନୁ ପ୍ରଚାର କରିବା ସମୟରେ ଗ୍ରାମବାସୀ ସାହାଯ୍ୟ ସହଯୋଗ ଯୋଗାଇ ଦେଇଛନ୍ତି। ତୃତୀୟ ଥର ପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରି ନିର୍ବାଚନ ଲଢ଼ୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଘେନୁ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ ପାର୍ଟିରୁ ପ୍ରାର୍ଥୀ ହେବା ନେଇ ଆଶା ରଖିଥିଲେ। ପରବର୍ତ୍ତୀ ସମୟରେ ପାର୍ଟି ଟିକେଟ୍ ନ ଦେବା ପରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ସମତା କ୍ରାନ୍ତି ଦଳର ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ। ତାଙ୍କ ନିଜ ଘର କୋରୁକୋଣ୍ଡା ବ୍ଲକର ତାଲରାକୋଟା ପଞ୍ଚାୟତର ମହୁଲପୁଟ ଗାଁରେ। ପିଲାଟି ଦିନରୁ ସମାଜସେବା କ୍ଷେତ୍ରରେ ସେ ନିଜକୁ ନିୟୋଜିତ କରିଛନ୍ତି।

ଜଣେ ଆଦିବାସୀ ନେତା ଭାବେ ଜିଲ୍ଲାରେ ସେ ବେଶ୍‌ ପରିଚିତ। ପୂର୍ବରୁ ସେ ଆଦିବାସୀ ମହାସଂଘର ସଭାପତି ରହିଥିଲେ। ବର୍ତ୍ତମାନ ମହାସଂଘର ଉପଦେଷ୍ଟା ଅଛନ୍ତି। ଆଦିବାସୀ ସମାଜ ତାଙ୍କୁ ଏଥର ନିଶ୍ଚିତ ଭାବେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଘେନୁ ଆଶା ପ୍ରକଟ କରିଛନ୍ତି। ଗାଁ ଗାଁ ବୁଲି ନିଜ ପାଇଁ ସେ ଭୋଟ ଭିକ୍ଷା କରୁଛନ୍ତି। ଆର୍ଥିକ ପରିସ୍ଥିତି ଭଲ ନଥିବା ଜାଣିବା ପରେ ଶ୍ରୀ ମୁଦୁଲିଙ୍କୁ ଗଙ୍ଗଲାଗୁଡ଼ା ସହିତ ଅନ୍ୟ କିଛି ଗ୍ରାମରେ ଲୋକେ ଆର୍ଥିକ ସହାୟତା କରୁଛନ୍ତି। ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେ କିନ୍ତୁ ଲୋକଙ୍କ ଟଙ୍କାରେ ଲଢ଼େଇ କରୁଛନ୍ତି। ଲୋକଙ୍କ ପାଇଁ ସେ ଅହରହ କାମ କରୁଥିବାରୁ ଲୋକେ ମଧ୍ୟ ତାଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ନିଜର ଅଳ୍ପ କିଛି ସମର୍ଥକଙ୍କୁ ନେଇ ସେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ସେ ୨୦୧୪ ନିର୍ବାଚନରେ ୨୬୨୯ ଭୋଟ ପାଇଥିଲେ। ୨୦୧୯ରେ ତାଙ୍କୁ ୫୪୩୯ଟି ଭୋଟ ମିଳିଥିଲା। ଚଳିତ ନିର୍ବାଚନରେ ମଧ୍ୟ ସେ ଭଲ ଭୋଟ ପାଇବେ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର