ଗ୍ରାମୀଣ ଅର୍ଥନୀତିରେ ସୁଧାର ସଙ୍କେତ: ତେଲ, ସାବୁନ, ସାମ୍ପୁ ବିକ୍ରି ବଢ଼ୁଛି

ନୂଆଦିଲ୍ଲୀ: ଦରଦାମ୍‌ ଚାପ ଦେଇ ଗତି କରୁଥିବା ଗ୍ରାମୀଣ ଅର୍ଥନୀତିରେ ସୁଧାର ଘଟୁଛି। ତେଲ, ସାବୁନ ଓ ସାମ୍ପୁ ଆଦି ବିକ୍ରି କରୁଥିବା କମ୍ପାନିଗୁଡ଼ିକର ବ୍ୟବସାୟରେ ହୋଇଥିବା ବୃଦ୍ଧିରୁ ଏଭଳି ସଙ୍କେତ ମିଳିଛି। ବିଭିନ୍ନ ସାମଗ୍ରୀ ଲାଗି ଲୋକମାନଙ୍କ ମଧ୍ୟରେ ଚାହିଦା ବଢ଼ିଛି। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିବାର ସମ୍ଭାବନା ଥିବା ବେଳେ ଦରଦାମ୍ କମୁଥିବାରୁ ଆଗାମୀ ଦିନରେ ଏହି ଚାହିଦା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଡାବର୍‌ ଇଣ୍ଡିଆର ସିଇଓ ମୋହିତ ମଲ୍‌ହୋତ୍ରା କହିଛନ୍ତି ଯେ ଗ୍ରାମାଞ୍ଚଳରେ ଅଭିବୃଦ୍ଧି ହେଉଛି। ତିନି ବର୍ଷ ପରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ବଜାରର ପ୍ରଦର୍ଶନ ଭଲ ରହିଛି। ଆଗକୁ ସ୍ବାଭାବିକ ମୌସୁମୀ ବର୍ଷା, ସରକାରଙ୍କ ତରଫରୁ ଅଧିକ ବ୍ୟୟ ଏବଂ ନିମ୍ନ ମୁଦ୍ରାସ୍ଫୀତି ହାର ଯୋଗୁଁ ଚାହିଦ‌ା ଆହୁରି ବଢ଼ିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ୨୦୨୩-୨୪ରେ ଦରଦାମ୍ ଅଧିକ ରହିବା ଏବଂ ଅସ୍ବାଭାବିକ ବର୍ଷା ଯୋଗୁଁ ଗ୍ରାମୀଣ ଅର୍ଥନୀତି ଚାପରେ ଥିଲା। ଫଳରେ ବିଭିନ୍ନ ସାମଗ୍ରୀର ଚାହିଦା ହ୍ରାସ ପାଇଥିଲା। କିନ୍ତୁ ସହରାଞ୍ଚଳ ଚାହିଦା ‌ବିଶେଷ ପ୍ରଭାବିତ ହୋଇନଥିଲା। ୨୦୨୪-୨୫ କିନ୍ତୁ ଉନ୍ନତ ବର୍ଷ ସାବ୍ୟସ୍ତ ହେବ ବୋଲି ତେଲ, ସାବୁନ ଆଦି ବିକ୍ରି କରୁଥିବା ଏଫ୍ଏମ୍‌ସିଜି କମ୍ପାନିଗୁଡ଼ିକ ଆଶା ରଖିଛନ୍ତି।

ହିନ୍ଦୁସ୍ତାନ ୟୁନିଲିଭରର ସିଇଓ ରୋହିତ ଜାୱା କହିଛନ୍ତି ଯେ ଗ୍ରାମୀଣ ଅର୍ଥନୀତିରେ ପର୍ଯ୍ୟାୟକ୍ରମେ ସୁଧାର ହେଉଛି। ମୌସୁମୀ ବର୍ଷା ଭଲ ହେଲେ ତାହା କୃଷି ଅର୍ଥନୀତି ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଗ୍ରାମାଞ୍ଚଳରେ ଚାହିଦା ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଆଶା ରହିଛି। ଆଗାମୀ ଦିନରେ ସ୍ଥିତିରେ ଆହୁରି ସୁଧାର ଘଟିବ ବୋଲି ସେ କହିଛନ୍ତି। ସେହିପରି, ଆଦାନି ୱିଲ୍‌ମାର୍‌ର ସିଇଓ ଅଂଶୁ ମଲ୍ଲିକ କହିଛନ୍ତି ଯେ ମୁଦ୍ରାସ୍ଫୀତି ହାର ହ୍ରାସ ପାଉଛି। ଏଥର ଭଲ ବର୍ଷା ହେବ ଏବଂ ଖରିଫ ଋତୁରେ ଫସଲ ଅମଳ ମଧ୍ୟ ଭଲ ରହିବାର ସମ୍ଭାବନା ରହିଛି। ଜୁଲାଇ ସୁଦ୍ଧା ଗ୍ରାମୀଣ ବଜାରରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ପୂର୍ବରୁ କମ୍ପାନିର ମୋଟ କାରବାରରେ ଗ୍ରାମୀଣ ବଜାରର ଅବଦାନ ୩୧ ପ୍ରତିଶତ ଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ତାହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ଏହି ହାର ଆହୁରି ବଢ଼ିବ ବୋଲି ସେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର