ବୈପାରିଗୁଡ଼ା : ଅଜଣା ରୋଗରେ ୩ ଶିଶୁ ମୃତ, ୪ଗୁରୁତର

ବୈପାରିଗୁଡ଼ା : କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ କାଠପଡ଼ା ପଞ୍ଚାୟତ ଅନ୍ତର୍ଗତ ମୂଷାପଦର ଗାଁରେ ବ୍ୟାପିଲା ଅଜଣା ରୋଗ। ଏହି ରୋଗ ଛୋଟ ଶିଶୁଙ୍କୁ ଆକ୍ରାନ୍ତ କରିଥିବା ବେଳେ ୩ଜଣ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ରୋଗ ଚିହ୍ନଟ ହୋଇ ନଥିବାବେଳେ ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଗାଁର ୩ଜଣ ଶିଶୁ ହଠାତ୍ ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକ ସେମାନଙ୍କୁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଅନ୍ୟ ୪ଜଣ ଗୁରୁତର ହେବାରୁ ଚିକିତ୍ସା ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସି ନଥିବାରୁ ପୁଣି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମୃତକଙ୍କ ମଧ୍ୟରେ ସ୍ଥାନୀୟ ରତନ ଖିଲଙ୍କ ଦୁଇ ଝିଅ ଅଙ୍କିତା ଖିଲ (୮), ଅନିତା ଖିଲ (୬) ଏବଂ ତାଙ୍କ ପଡ଼ୋଶୀ ପିତ ଗୋଲରୀଙ୍କ ପୁଅ ସୂରଜ ଗୋଲରୀ (୫) ରହିଥିବା ସୂଚନା ମିଳିଛି। ସେହିପରି ଧନପତି ସାନ୍ତା (୧୧), ଦମୟନ୍ତୀ ଖିଲ (୮), କ୍ରିଷ୍ଣା ସାନ୍ତା (୯), ଆରତି ସାନ୍ତା (୧୨) ପ୍ରମୁଖ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ମୃତକଙ୍କ ପରିବାର ଲୋକ କହିଛନ୍ତି ଯେ, ଆଜି ଅପରାହ୍ନ ସମୟରେ ଶିଶୁମାନେ ମୁଣ୍ଡବ୍ୟଥା ହେଉଥିବା କହିଥିଲେ। କିଛି ସମୟ‌ ପରେ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଶୁଣିବା ପରେ କୋଟପାଡ଼ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରକାଶ କରିଛନ୍ତି। ସେହିପରି ସ୍ଥିତି ଅନୁଧ୍ୟାନ କରିବାକୁ ମୂଷାପଦର ଗାଁକୁ ଗୋଟିଏ ଡାକ୍ତରୀ ଟିମ୍ ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର