କଟକ ଷ୍ଟେସନ୍ ନିକଟରେ ମାଲଗାଡ଼ି ଲାଇନ୍‌ଚ୍ୟୁତ, ୬ ବର୍ଷରେ ୬ ଥର ଘଟିଲାଣି ଦୁର୍ଘଟଣା

କଟକ : କଟକରେ ପୁଣି ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଭଦ୍ରକରୁ ପାରାଦୀପ ଯାଉଥିବା ଏକ ଖାଲି ତେଲଟାଙ୍କୀ ପରିବହନ କରୁଥିବା ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟିବା ପରେ ତୁରନ୍ତ ଘଟଣା ସ୍ଥଳରେ ଖୋର୍ଧା ରେଳ ଡିଭିଜନର ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ଚକାର ମରାମତି କରିବା ସହିତ ରେଳ ବିଭାଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କଟକ ଷ୍ଟେସନ ଦେଇ ଭଦ୍ରକରୁ ପାରାଦୀପ ଯାଉଥିବା ମାଲବାହୀ ଟ୍ରେନ୍ ‘ପାରାଦୀପ ବିଟିପିଏନ୍’ କଟକ ଶିଖରପୁର ଲେଭଲ କ୍ରସିଂ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଦିନ ପ୍ରାୟ ୧୨ଟା ୫ରେ ୧୦ ନମ୍ବର ଟ୍ରାକରେ ଅତିକ୍ରମ କଲାବେଳେ ଏହା ଲାଇନଚ୍ୟୁତ ହୋଇଥିଲା। ଏହି ମାଲବାହୀ ଟ୍ରେନରେ ମୋଟ ୨୫ଟି ଓ୍ବାଗନ ଥିବାବେଳେ ପଛପଟୁ ୮ ନମ୍ବର ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇଟି ଓ୍ବାଗନକୁ ଟ୍ରେନରୁ କାଟି ସମ୍ପୂର୍ଣ୍ଣ ଅଲଗା କରାଯାଇଥିଲା। ଦିନ ପ୍ରାୟ ୨ଟା ୨୫ରେ ମରାମତି କାର୍ଯ୍ୟ ଶେଷ ହୋଇଥିଲା। ୩ଟା ବେଳେ ସେହି ରୁଟରେ ପୁନଃ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ରେଳଧାରଣାରେ ଓ୍ବାଗନ ଲାଇନଚ୍ୟୁତ ହେଲା, ସେ ନେଇ କଟକ ରେଳ ଷ୍ଟେସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଖୋର୍ଧା ଏଡିଆରଏମ୍, ସିନିୟର ଡିଏମଇ, ସିନିୟର ଡିଏସଓ, ସିନିୟର ଡିଇଏନ୍, ଆରପିଏଫ୍ ଆଇଆଇସି ପ୍ରବୀଣ କୁମାର ଏବଂ ରେଳବାଇର ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୧୫ରୁ ଆଜି ସୁଦ୍ଧା କଟକରେ ଗଲା ୬ ବର୍ଷ ଭିତରେ ୬ ଥର ଟ୍ରେନ୍ ଲାଇନଚ୍ୟୁତ ହେଲାଣି। ଏଭଳି ବାରମ୍ବାର ଟ୍ରେନ ଲାଇନଚ୍ୟୁତ ହେବା ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର