ବାଲିପାଟଣା: ଆଜି ରାତି ପ୍ରାୟ ୯ଟାରେ ବନମାଳିପୁର ଫାଣ୍ଡି ପ୍ରଧାନପାଟଣା ଗ୍ରାମରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଗୋଟିଏ ପକ୍ଷର ୪ଜଣ ଆହତ ହୋଇଛନ୍ତି। ପ୍ରତିପକ୍ଷର ଜଣେ ଯୁବକଙ୍କ ଖଣ୍ଡା ଚୋଟରେ ସେମାନେ ଆହତ ହୋଇଛନ୍ତି। ଆହତମାନେ ହେଲେ, ମନୋଜ କୁମାର ସାହୁ, ରଞ୍ଜନ କୁମାର ସାହୁ, ଦୀପକ ନାଥ ଓ ସରୋଜ କୁମାର ନାଥ। ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ପରେ ୩ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ବାଲିପାଟଣା ଥାନା ପୁଲିସ ଜଗି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରଧାନପାଟଣା ଗାଁରେ ପୂଜା କମିଟିକୁ ନେଇ ଯୁବକମାନେ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ସେମାନଙ୍କ ଭିତରେ ଗତ କିଛି ଦିନ ହେଲା ଛକାପଞ୍ଝା ଲାଗି ରହିଛି। ଆଜି ରାତି ପ୍ରାୟ ୯ଟା ବେଳେ କ୍ଲବ ଘର ନିକଟରେ ଗ୍ରାମର କିଛି ଯୁବକ କଥାବାର୍ତା ହେଉଥିଲେ। ସେହି ସମୟରେ ସେହି ବାଟ ଦେଇ ରମାକାନ୍ତ ସାହୁ ଓରଫ୍ ବାବୁନି ଯାଉଥିଲେ। ତେବେ କଥା ହେଉଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ବାବୁନିକୁ ଚାହିଁ ଦେଇଥିଲା। ଏତିକି ମାତ୍ର କଥାରେ ରାଗି ଯାଇ ବାବୁନି ସେମାନଙ୍କୁ ‘କଣ ପାଇଁ ଅନେଇଲୁ’ ବୋଲି ପଚାରି ଗାଳିଗୁଲଜ କରି ଘରକୁ ଚାଲି ଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଆଉ କିଛି ଯୁବକ ପହଞ୍ଚିଥିଲେ। ସେମାନେ ମିଳିତ ଭାବେ ବାବୁନିଙ୍କ ଘର ପାଖକୁ ଯାଇ କାହିଁକି ଗାଳି କଲେ ବୋଲି ପଚାରିଥିଲେ। ତେବେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାବୁନି ହଠାତ୍ ଅନ୍ଧାର ଭିତରୁ ଖଣ୍ଡା ଧରି ବାହାରି ଆସିଥିଲେ ଓ ଯୁବକମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ କାହାର ହାତ କଟି ଯାଇଥିଲା ତ କାହାର ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିଲା। ଘଟଣା ପରେ ବାବୁନି ସେଠାରୁ ଫେରାର୍ ହୋଇ ଯାଇଥିଲେ। ଆହତ ଯୁବକମାନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ।