ଜୟପୁର: କୋରାପୁଟ ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଆଜି ପୁଣି ଗଞ୍ଜେଇ ଗାଡିକୁ ଧରିଛି ସଦର ପୁଲିସ। ଏକ ଓଲା ପରିବହନ ଗାଡିରେ କୋରାପୁଟ ଜିଲ୍ଲାରୁ ଉତ୍ତର ପ୍ରଦେଶକୁ ଚାଲାଣ ହେଉଥିବା ଟ୍ରକ ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଦର ପୁଲିସ। ସୋମବାର ସନ୍ଧ୍ୟା ପ୍ରାୟ ୫ଟା୩୦ ବେଳେ ବାମୁଣୀ ଗାଁ ଛକ ନିକଟରେ ଜୟପୁର ସଦର ପୁଲିସ ଚୋରା ଚାଲାଣ ହେଉଥିବା ୪୨.୧୦୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଉତ୍ତର ପ୍ରଦେଶ ଆହ୍ଲାବାଦ ଜିଲ୍ଲାର କାଲିନ୍ଦିପୁରମ ଗାଁର ଆର.କେ ଖୁସୱାଙ୍କ ପୁଅ ନନ୍ଦ କୁମାର ଖୁସୱା(୩୮), ପିପଲଗାଁର ଫୁଲ ଚନ୍ଦ୍ର କାଶ୍ୟପଙ୍କ ପୁଅ ଆର୍ଯ୍ୟ କାଶ୍ୟପ(୨୫) ଓ କୌଶମ୍ବି ଜିଲ୍ଲା କୋଖାରାଜ ପୁଲିସ ଥାନା ଅନ୍ତର୍ଗତ ରଞ୍ଜନ ତିୱାରିଙ୍କ ପୁଅ ରାମ ମିଲନ ତିୱାରି(୨୮)।
Sambad is now on WhatsApp
Join and get latest news updates delivered to you via WhatsApp
ବୈପାରିଗୁଡା ପଟୁ ଜୟପୁର ସହର ଆଡ଼କୁ ‘ୟୁପି-୭୦-ଏଚଟି-୪୫୭୯’ ନମ୍ବରବିଶିଷ୍ଟ ଓଲାର ଓମନିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କଥା ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାକୁର ବିଶ୍ୱସ୍ତସୂତ୍ରରୁ ସୂଚନା ପାଇଥିଲେ। ଏହି ସୂଚନା ଆଧାରରେ ଥାନା ଅଧିକାରୀ ମହାକୁର ଏସଆଇ ପି.କେ ମହାନ୍ତିଙ୍କୁ ନେଇ ସଦଳବଳେ ବାମୁଣୀ ଗାଁ ଛକ ନିକଟରେ ପହଞ୍ଚି ସମ୍ପୃକ୍ତ ଓମନିକୁ ଅଟକାଇଥିଲେ।
ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ସେ ଏହାକୁ ଯାଞ୍ଚ କରାଯିବା ବେଳେ ସେଥିରୁ ୪୨କିଲୋ ୧୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ଏହି ଗଞ୍ଜେଇ ଉତ୍ତର ପ୍ରଦେଶକୁ ଯାଉଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ମଧ୍ୟ ପୁଲିସ ନଗଦ ୨୦୦୦ ଟଙ୍କା ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି।