ଅବସର ପରେ ସ୍ବତନ୍ତ୍ର ଶିକ୍ଷକଙ୍କ ପେନସନ୍ ପ୍ରସଙ୍ଗ : ଆବେଦନକାରୀଙ୍କ ପ୍ରସ୍ତାବକୁ ଖାରଜ କଲା ଏସ୍‌ଏସ୍‌ଇପିଡି

ଭୁବନେଶ୍ବର : ସ୍ବତନ୍ତ୍ର ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ସ୍ବତନ୍ତ୍ର ଶିକ୍ଷକମାନଙ୍କୁ ପେନସନ୍ ଦେବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ(ଏସ୍‌ଏସ୍‌ଇପିଡି) ଖାରଜ କରିଦେଇଛି। ସ୍ବତନ୍ତ୍ର ବିଦ୍ୟାଳୟଗୁଡ଼ିକ ଏନ୍‌ଜିଓ ଦ୍ବାରା ପରିଚାଳିତ ଏବଂ ଓଡ଼ିଶା ଶିକ୍ଷାନିୟମ ୧୯୬୯ ଅନ୍ତର୍ଗତ ହୋଇନଥିବାରୁ ଏସ୍‌ଏସ୍‌ଇପିଡି ଏହି ପ୍ରସ୍ତାବକୁ ଖାରଜ କରିଛି। ଏପରିକି ସ୍ବତନ୍ତ୍ର ବିଦ୍ୟାଳୟଗୁଡ଼ିକୁ ମଧ୍ୟ ୧୯୮୧ ଅବସରକାଳୀନ ସହାୟତା ନିୟମରେ ଅନ୍ତର୍ଭୁକ୍ତ କରାଯାଇନାହିଁ ବୋଲି ଚିଠିରେ ଦର୍ଶାଇଛନ୍ତି ସଚିବ ଭାସ୍କର ଶର୍ମା।

ଗତ ବର୍ଷ ନଭେମ୍ବର ୨୪ରେ ସ୍ବତନ୍ତ୍ର ଶିକ୍ଷକ ଅଙ୍କତ ରତ୍ନ ନାୟକ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଏଥିରେ ସେ ଅବସରକାଳୀନ ସହାୟତା ସମେତ ପେନ୍‌ସନ୍ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଶ୍ରୀ ନାୟକଙ୍କ ପିଟିସନ୍‌କୁ ଗ୍ରହଣ କରି ହାଇକୋର୍ଟ ଏସ୍ଏସ୍ଇପିଡି ବିଭାଗକୁ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ବିଚାର ଲାଗି ୩ ମାସ ସମୟ ଦେଇଥିଲେ। କିନ୍ତୁ ବିଭାଗ ପକ୍ଷରୁ ଏହାକୁ ଖାରଜ କରାଯାଇଛି। ତେଣୁ ସ୍ବତନ୍ତ୍ର ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦିବ୍ୟାଙ୍ଗଙ୍କୁ ଶିକ୍ଷାଦାନ କରୁଥିବା ଓଡ଼ିଶା ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ ୨୦୧୩ରେ ସରକାର ସ୍ବତନ୍ତ୍ର ବିଦ୍ୟାଳୟ ପାଇଁ ଗ୍ରାଣ୍ଟ ଇନ୍ ଏଡ୍ ବ୍ୟବସ୍ଥା କଲେ। କିନ୍ତୁ ନିୟମ ଅନୁସାରେ ସ୍ବତନ୍ତ୍ର ବିଦ୍ୟାଳୟର ଶିକ୍ଷକମାନଙ୍କୁ ପେନସନ୍ ଦେବାକୁ ନେଇ କୌଣସି ନିୟମ କଲେନାହିଁ। କେବଳ ମାସିକ ଦରମା ଦେଇ ନିଯୁକ୍ତି କରିବା ପାଇଁ ନିୟମ କଲେ। ଫଳରେ ଦୀର୍ଘ ୩୦ ବର୍ଷ କାଳ ଶିକ୍ଷକତା କରିବା ପରେ ସେମାନଙ୍କୁ ଅବସରକାଳୀନ ଭତ୍ତା, ପେନସନ୍ ଓ ଅନ୍ୟାନ୍ୟ ସହାୟତା ନ ଦେବା ଯୁକ୍ତିଯୁକ୍ତ ନୁହେଁ ବୋଲି ସଂଘ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର