ଷଷ୍ଠ ମହାବିଲୁପ୍ତି ପଥରେ
ଜୟକୃଷ୍ଣ ପାଣିଗ୍ରାହୀ
ପୃଥିବୀପୃଷ୍ଠରେ ଜୀବନର ଉତ୍ପତ୍ତି ଏବଂ ବିବିଧ ରୂପରେ ଜୀବଜଗତ୍ର ପରିପ୍ରକାଶ ହେଉଛି ଏହି ଅନନ୍ୟ ନୀଳ ଗ୍ରହର ଏକ ବ୍ୟାଖ୍ୟାକାରୀ ବୈଶିଷ୍ଟ୍ୟ। ତେବେ ପୃଥିବୀ ବାହାରେ ଜୀବନର ସତ୍ତା ନିରୂପଣ କରିବାର ଗବେଷଣାତ୍ମକ ଅନୁସନ୍ଧାନ ଏପର୍ଯ୍ୟନ୍ତ ସଫଳତାର ଚରଣ ସ୍ପର୍ଶ କରି ନଥିବା ବେଳେ ପୃଥିବୀରୁ ଜୀବନର ବିଲୁପ୍ତି ସମ୍ଭାବନା ବିଷୟରେ ବୈଜ୍ଞାନିକମାନେ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦେଲେଣି। ପ୍ରାୟ ୩୫୦ କୋଟି ବର୍ଷ ପୂର୍ବେ ଘଟିଥିବା ଜୀବନର ଉତ୍ପତ୍ତି ଏବଂ ପରବର୍ତ୍ତୀ କାଳରେ ବହୁବିଧ ପ୍ରାଣୀ, ଉଦ୍ଭିଦ ତଥା ଅଣୁଜୀବମାନଙ୍କର ଅଭ୍ୟୁଦୟ ନିଶ୍ଚିତ ରୂପେ ଏକ ଅସାଧାରଣ ପ୍ରକ୍ରିୟା। ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ଜୀବ ଜାତିମାନେ ସମ୍ମୁ୍ଖୀନ ହେଉଥିବା ମାନବକୃତ ଆହ୍ୱାନ ସବୁର ପରିଣାମ ଅତ୍ୟନ୍ତ ବିନାଶକାରୀ ବୋଲି ପ୍ରଶ୍ନାତୀତ ଭାବେ ସାବ୍ୟସ୍ତ ହେବା ଘୋର ଦୁର୍ଭାଗ୍ୟଜନକ। ନିକଟର ଏକ ବୈଜ୍ଞାନିକ ବିଶ୍ଳେଷଣରୁ ଜଣାଯାଏ ଯେ ସ୍ଥଳଭାଗର ପାଞ୍ଚ ଶହରୁ ଅଧିକ ସଂଖ୍ୟାର ବିବିଧ ପ୍ରାଣୀ ଜାତି ଏବେ ବିଲୁପ୍ତିର ଦ୍ୱାରଦେଶରେ ଉପନୀତ ହେଲେଣି, ଯେଉଁମାନେ ଆଗାମୀ କୋଡ଼ିଏ ବର୍ଷ ମଧ୍ୟରେ ପୃଥିବୀରୁ ଅଦୃଶ୍ୟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ସମ ସଂଖ୍ୟାରେ ଜୀବ ଜାତିମାନେ ବିଗତ ଶତାବ୍ଦୀରେ ମଧ୍ୟ ବିଲୁପ୍ତ ହୋଇ ସାରିଛନ୍ତି। ପ୍ରକୃତିରେ ମାତ୍ରାଧିକ ମାନବୀୟ ହସ୍ତକ୍ଷେପ ହୋଇ ନ ଥିଲେ ଏତେ ସଂଖ୍ୟକ ଜୀବମାନଙ୍କର ବିଲୁପ୍ତି ସମ୍ଭବ ହେବା ଲାଗି ହୁଏତ ଲକ୍ଷ ଲକ୍ଷ ବର୍ଷ ଲାଗନ୍ତା ବୋଲି ବୈଜ୍ଞାନିକମାନେ କହନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମନରେ ପ୍ରଶ୍ନ ଉଠିଥାଏ ଯେ ଗୋଟିଏ ଜୀବ ଜାତି କେତେ କାଳ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ତିଷ୍ଠି ରହିବାର ସମ୍ଭାବନା ରହିଛି। ଯେତେବେଳେ ବିଶାଳ ନୀଳ ତିମି ବିଗତ ପ୍ରାୟ ୪୫ ଲକ୍ଷ ବର୍ଷ ଧରି ସମୁଦ୍ର ଜଳରେ ବିଚରଣ କରି ଆସୁଛି, ସେତେବେଳେ ନିଏଣ୍ଡେରଥଲ୍ ମଣିଷ କାହିଁକି ପ୍ରାୟ ତିନି ଲକ୍ଷ ବର୍ଷ ପରେ ଅସ୍ତିତ୍ୱରୁ ହଜିଗଲା? ‘ପିପୁଲ୍ ଆଣ୍ଡ ଦ ପ୍ଲାନେଟ୍’ ପତ୍ରିକାର ଏକ ପ୍ରବନ୍ଧ ଅନୁଯାୟୀ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ କ୍ଷେତ୍ରରେ ଜାତିଗୁଡ଼ିକ ହାରାହାରି ୧୦ରୁ ୨୦ ଲକ୍ଷ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହନ୍ତି। ମାତ୍ର ଏହି ହାରାହାରି ସମୟ ସମସ୍ତ ଭୂତାତ୍ତ୍ୱିକ ଅବଧି ବା ଜିଓଲଜିକାଲ୍ ପିରିଅଡ୍ ଏବଂ ସବୁ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ୨୦୧୩ ମସିହାର ଏକ ଅଧ୍ୟୟନ ଅନୁଯାୟୀ ବୃହତ୍ ସ୍ତନ୍ୟପାୟୀ ପ୍ରାଣୀଗୁଡ଼ିକ କ୍ଷୁଦ୍ର ସ୍ତନ୍ୟପାୟୀଙ୍କ ଅପେକ୍ଷା ଅଧିକ ସମୟ ଧରି ପୃଥିବୀରେ ଜୀବନ ଧାରଣ କରିଥା’ନ୍ତି। ଅମେରୁଦଣ୍ଡୀ ପ୍ରାଣୀମାନଙ୍କର ଏହି ଅବଧି ଅଧିକ ପ୍ରଭାବଶାଳୀ ଅଟେ ଏବଂ ସେମାନେ ହାରାହାରି ୫୦ ଲକ୍ଷରୁ ଏକ କୋଟି ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହନ୍ତି। ଏହା ପୃଥିବୀର ପ୍ରାକୃତିକ ପରିବେଶ, ପରିସ୍ଥିତି ଏବଂ ଜୀବ ଜାତିର ପାରିପାର୍ଶ୍ବିକ ଅବସ୍ଥା ସହିତ ଖାପ ଖୁଆଇବାର ଦକ୍ଷତା ଉପରେ ନିର୍ଭରଶୀଳ। କିନ୍ତୁ ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ଅଗ୍ରଣୀ ବିଲୁପ୍ତି ବିଶେଷଜ୍ଞ ତଥା ସଂରକ୍ଷଣ ଇକୋଲୋଜିଷ୍ଟ ଷ୍ଟୁଆର୍ଟ ପିମ୍ଙ୍କ ମତରେ ପ୍ରତ୍ୟେକ ଦିନ, କିମ୍ବା ମାସ ଅଥବା ବର୍ଷରେ କେତେ ଜାତି ବିଲୁପ୍ତ ହୋଇଯା’ନ୍ତି, ସେହି ଦୃଷ୍ଟିରୁ ହିଁ ବିଲୁପ୍ତି ପ୍ରକ୍ରିୟାକୁ ବିଶ୍ଳେଷଣ କରିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ‘ସାଇଣ୍ଟିଫିକ୍ ଆମେରିକାନ୍’ ପତ୍ରିକାରେ ୨୦୧୯ରେ ପ୍ରକାଶିତ ଜନ୍ ଆର୍. ପ୍ଲାଟ୍ଙ୍କ ‘ବିଲୁପ୍ତ ହେବାକୁ ଯାଉଥିବା ଅଧିକ ଜୀବ ଜାତି ବିଷୟରେ ଆମେ କାହିଁକି ଶୁଣୁନାହୁଁ’ ଶୀର୍ଷକ ସମ୍ବଳିତ ପ୍ରବନ୍ଧରେ ମତ ବ୍ୟକ୍ତ କରିଛନ୍ତି ଯେ ବିଲୁପ୍ତି ସଙ୍କଟ ଆଜି ସମଗ୍ର ପୃଥିବୀରେ ଉପସ୍ଥିତ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ସତ, କିନ୍ତୁ ବୈଜ୍ଞାନିକମାନେ ଗୋଟିଏ ଜାତିର ବିଲୁପ୍ତିକୁ ଶୀଘ୍ର ଘୋଷଣା କରିବାରେ ସତର୍କତା ଅବଲମ୍ବନ କରନ୍ତି।
ଏବେ ଷଷ୍ଠ ମହାବିଲୁପ୍ତି ବିଷୟରେ ବିଶ୍ଳେଷଣ କଲା ବେଳେ ମନରେ ସ୍ୱତଃ ପୂର୍ବରୁ ସଂଘଟିତ ଅନ୍ୟ ପାଞ୍ଚଟି ମହାବିଲୁପ୍ତି ସଂପର୍କରେ ପ୍ରଶ୍ନ ଉଠେ। ପୃଥିବୀର ବିଭିନ୍ନ ଭୂତାତ୍ତ୍ୱିକ ଅବଧିରେ ଅତୀତରେ ଘଟିଥିବା ଏହି ବିଲୁପ୍ତିଗୁଡ଼ିକ ହେଲା ଅର୍ଡୋଭିସିଆନ୍-ସିଲୁରିଆନ୍ ବିଲୁପ୍ତି (୪୪୦ ନିୟୁତ ବର୍ଷ ପୂର୍ବେ), ଡିଭୋନିଆନ୍ ବିଲୁପ୍ତି (୩୬୫ ନିୟୁତ ବର୍ଷ ପୂର୍ବେ), ପରମିୟାନ୍-ଟ୍ରାୟାସିକ୍ ବିଲୁପ୍ତି (୨୫୦ ନିୟୁତ ବର୍ଷ ପୂର୍ବେ), ଟ୍ରାୟାସିକ୍-ଜୁରାସିକ୍ ବିଲୁପ୍ତି (୨୧୦ ନିୟୁତ ବର୍ଷ ପୂର୍ବେ) ଏବଂ କ୍ରିଟାସିଅସ୍-ଟର୍ସିଆରି ବିଲୁପ୍ତି (୬୫ ନିୟୁତ ବର୍ଷ ପୂର୍ବରୁ)। ନିକଟରେ ବୈଜ୍ଞାନିକ ପତ୍ରିକା ‘ହିଷ୍ଟୋରିକାଲ୍ ବାୟୋଲୋଜି’ରେ ପ୍ରକାଶିତ ଏକ ପ୍ରବନ୍ଧରେ ସାଂପ୍ରତିକ ଅନୁସନ୍ଧାନ ଉପରେ ପର୍ଯ୍ୟବସିତ ‘ଗୁଆଡାଲୁପିଆନ୍- ଅନ୍ତ’ (୨୫୯.୮ ନିୟୁତ ବର୍ଷ ପୂର୍ବେ) ନାମକ ଏକ ନୂତନ ପ୍ରମୁଖ ବିଲୁପ୍ତି ଘଟି ଥିବାର ଆଲୋଚନା କରାଯାଇଛି। ଉଭୟ ସମୁଦ୍ର ଏବଂ ସ୍ଥଳଭାଗସ୍ଥ ବିଭିନ୍ନ ପ୍ରକାରର ପରିସଂସ୍ଥା ଉପରେ ଏହି ମହାବିଲୁପ୍ତି ସବୁର ବ୍ୟାପକ ନକାରାତ୍ମକ ପ୍ରଭାବ ପଡ଼େ ଏବଂ ବହୁ ଜୀବ ଜାତି ବିଲୁପ୍ତିର ଶିକାର ହୁଅନ୍ତି। ଭୂତଳ ପ୍ରସ୍ତର ସ୍ତରଗୁଡ଼ିକରେ ଉପଲବ୍ଧ ହେଉଥିବା ଜୀବାଶ୍ମ ରେକର୍ଡରୁ ଆମେ କ୍ଷୁଦ୍ର ସାମୁଦ୍ରିକ ଜୀବଠାରୁ ବିଶାଳ ଡାଇନୋସର୍ ପର୍ଯ୍ୟନ୍ତ ବିଭିନ୍ନ ଜୀବମାନଙ୍କର ଅତୀତର ଉପସ୍ଥିତି ବିଷୟରେ ଜ୍ଞାନ ଆହରଣ କରିପାରୁଛେ। ତେବେ ଗୋଟିଏ ସ୍ତରରେ ବହୁ ପ୍ରକାର ଜୀବଙ୍କର ଜୀବାଶ୍ମ ମିଳିବା ଏବଂ ପରବର୍ତ୍ତୀ ସମୟରେ ଏ ସବୁ ଉପଲବ୍ଧ ନ ହେବା ହିଁ ଏକ ସମୂହ ବିଲୁପ୍ତିର ସୂଚନା ପ୍ରଦାନ କରେ। ପ୍ରାୟ ୬୫ ନିୟୁତ ବର୍ଷ ପୂର୍ବେ ଘଟିଥିବା ପଞ୍ଚମ ବିଲୁପ୍ତିରେ ଡାଇନୋସର୍ ଏବଂ ସେ ସମୟରେ ଜୀବିତ ଥିବା ସମସ୍ତ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ମଧ୍ୟରୁ ପ୍ରାୟ ୫୦% ପୃଥିବୀରୁ ଏକତ୍ର ଅଦୃଶ୍ୟ ହେବାର ପ୍ରମାଣ ଜୀବାଶ୍ମ ରେକର୍ଡରେ ଉପଲବ୍ଧ ଅଛି। ଏହି ପାଞ୍ଚଟି ବିଲୁପ୍ତିର ପୃଷ୍ଠଭୂମିରେ ବିବିଧ ପ୍ରାକୃତିକ ବିପର୍ଯ୍ୟୟର ଘଟଣାମାନ ରହିଥିଲା ବେଳେ ଏବେ କିନ୍ତୁ ଘଟୁଥିବା ଷଷ୍ଠ ବିଲୁପ୍ତିର ମୁଖ୍ୟ କାରକ ହେଉଛି ପ୍ରକୃତି ନୁହେଁ, ବରଂ ସ୍ୱୟଂ ମଣିଷ।
ନିକଟରେ ମିଆଁମାର୍ରେ ଆବିଷ୍କୃତ ହୋଇଥିବା ମାଙ୍କଡ଼ ଜାତିର ପୋପା ଲଙ୍ଗୁରଙ୍କ ସଂଖ୍ୟା ମାତ୍ର ପ୍ରାୟ ୨୦୦କୁ ହ୍ରାସ ପାଇ ‘ଗୁରୁତର ବିପଦଗ୍ରସ୍ତ’ ବର୍ଗରେ ସ୍ଥାନ ପାଇଛି ଏବଂ ବିଲୁପ୍ତିର ନିକଟତର ହୋଇଛି। ଅନ୍ୟ ପକ୍ଷରେ, ୨୦୧୮ ମସିହାରେ ଉତ୍ତର ଗୋଲାର୍ଦ୍ଧସ୍ଥ ଧଳା ଗଣ୍ଡାର ଶେଷ ପୁରୁଷଟି କେନିଆର ଏକ ବନ୍ୟଜନ୍ତୁ ଅଭୟାରଣ୍ୟରେ ମୃତ୍ୟୁବରଣ କଲା ପରେ ଅବଶିଷ୍ଟ କେବଳ ଦୁଇଟି ମାଈ ବଞ୍ଚି ରହିଛନ୍ତି; ଫଳ ସ୍ବରୂପ ଏହି ଜାତିର ପ୍ରଜନନ ଏବଂ ବଂଶ ବୃଦ୍ଧି ପାଇଁ କୌଣସି ଉପାୟ ହିଁ ରହି ନାହିଁ। ଚିତାବାଘ ଭାରତରୁ ୧୯୫୨ ମସିହାରେ ଏବଂ ପୂର୍ବରୁ ମରିସସ୍ରେ ଥିବା ଡୋଡୋ ପକ୍ଷୀ ୧୬୮୧ ସୁଦ୍ଧା ବିଲୁପ୍ତ ହୋଇ ସାରିଛନ୍ତି। ଜୀବ ଜାତିର ଐତିହାସିକ ମୃତ୍ୟୁ ହାର, ଯାହାକୁ ପୃଷ୍ଠଭୂମି ବିଲୁପ୍ତି ହାର ବୋଲି କୁହାଯାଏ, ତାହା ପିମ୍ଙ୍କ ମତରେ ହେଉଛି ପ୍ରତ୍ୟେକ ବର୍ଷ ଦଶ ଲକ୍ଷ ଜାତି ମଧ୍ୟରୁ ପ୍ରାୟ ଗୋଟିଏ ଜାତିର ବିଲୁପ୍ତି। କିନ୍ତୁ ବର୍ତ୍ତମାନର ବିଲୁପ୍ତି ହାର ଅତୀତର ମନୁଷ୍ୟ ପୂର୍ବ-ସମୟର ଏହି ହାର ତୁଳନାରେ ଯଥେଷ୍ଟ ଅଧିକ, ଯାହା ପ୍ରାୟ ୧୦୦ରୁ ୧୦୦୦ ଗୁଣ ପର୍ଯ୍ୟନ୍ତ ଅଧିକ ମଧ୍ୟ ହୋଇପାରେ। ଏହା ଆମେ ଜାଣିବା ଦରକାର ଯେ ବିଲୁପ୍ତି ପ୍ରକ୍ରିୟା ଅଧିକ ବିଲୁପ୍ତିକୁ ପ୍ରୋତ୍ସାହିତ କରେ, କାରଣ ଗୋଟିଏ ଜାତିର ସମାପ୍ତି ଦ୍ୱାରା ଏହା ଉପରେ ନିର୍ଭରଶୀଳ ଅନ୍ୟ ଜାତିମାନେ ଶୃଙ୍ଖଳ ପ୍ରତିକ୍ରିୟାରେ ପ୍ରଭାବିତ ହୁଅନ୍ତି, ଯାହାକୁ ‘ଡୋମିନୋ ପ୍ରଭାବ’ର ଆଖ୍ୟା ଦିଆଯାଇଛି। ଏକ ଅନ୍ତର୍ଜାତୀୟ ଅଧ୍ୟୟନରେ IUCN ସଂସ୍ଥାର ବିପଦାପନ୍ନ ଲାଲ ତାଲିକା ଅନ୍ତର୍ଭୁକ୍ତ ଏବଂ ବାର୍ଡ ଲାଇଫ୍ ଇଣ୍ଟରନ୍ୟାସନାଲ୍ ଦ୍ୱାରା ସଂକଳିତ ୨୯,୪୦୦ଟି ସ୍ଥଳଭାଗସ୍ଥ ମେରୁଦଣ୍ଡୀ ଜାତିକୁ ପରୀକ୍ଷଣ କରାଗଲା। ଗବେଷକମାନେ ସେଥିରୁ ୧,୦୦୦ରୁ କମ୍ ସଂଖ୍ୟାରେ ଥିବା ୫୨୫ଟି ଜୀବ ଜାତିକୁ ଚିହ୍ନଟ କରିଥିଲେ ଏବଂ ଏଥିରୁ ପ୍ରାୟ ଅର୍ଦ୍ଧେକ ଜୀବ ୨୫୦ରୁ କମ୍ ସଂଖ୍ୟାରେ ବଞ୍ଚିଥିଲେ। ଏହି ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ, ସରୀସୃପ ଏବଂ ଉଭୟଚର ଜୀବଜନ୍ତୁମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରୀଷ୍ମମଣ୍ଡଳୀୟ ଏବଂ ଉପ-ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଉପଲବ୍ଧ ହୋଇଥା’ନ୍ତି I
ପ୍ରକୃତି ପାଇଁ ବିଶ୍ୱବ୍ୟାପୀ ପାଣ୍ଠି (WWF) ଦ୍ୱାରା ୨୦୧୮ରେ ପ୍ରକାଶିତ ‘ଲିଭିଂ ପ୍ଲାନେଟ୍ ରିପୋର୍ଟ’ ଅନୁଯାୟୀ ୧୯୭୦ରୁ ୨୦୧୪ ମଧ୍ୟରେ ବନ୍ୟଜନ୍ତୁ ସଂଖ୍ୟା (ସ୍ତନ୍ୟପାୟୀ, ସରୀସୃପ, ଉଭୟଚର, ପକ୍ଷୀ ଏବଂ ମାଛ ସମେତ) ପ୍ରାୟ ୬୦% ହ୍ରାସ ପାଇଛି। ଅମେରୁଦଣ୍ଡୀ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ସ୍ଥିତି ସମ୍ପର୍କରେ କମ୍ ସୂଚନା ଉପଲବ୍ଧ ଅଛି, କିନ୍ତୁ ପ୍ରମାଣ ଅଛି ଯେ କୀଟପତଙ୍ଗମାନେ ସ୍ତନ୍ୟପାୟୀ, ପକ୍ଷୀ ଏବଂ ସରୀସୃପ ପ୍ରାଣୀଙ୍କ ତୁଳନାରେ ଆଠ ଗୁଣ ଅଧିକ ହାରରେ ବିଲୁପ୍ତ ହେଉଛନ୍ତି। ଯଦି ଏହି ପ୍ରକ୍ରିୟାରେ ପରାଗ-ସଙ୍ଗମକାରୀ କୀଟପତଙ୍ଗ ଏବଂ ପୋଷକ ପୁନର୍ଚକ୍ରଣକାରୀମାନେ ବିଲୋପ ହୋଇଯା’ନ୍ତି, ତେବେ ଆମେ ଅନେକ ଫଳ, ପନିପରିବା ହରାଇ ବସିବୁ ଏବଂ ପ୍ରକୃତିର ପତନ ଘଟିବ। କିଛି ଜୀବ ଜାତିର ବିଲୁପ୍ତି ଫଳରେ ଜଙ୍ଗଲର ସରଳୀକରଣ ହୋଇଥାଏ, ଖାଦ୍ୟ ଶୃଙ୍ଖଳ ବାଧାପ୍ରାପ୍ତ ହୁଏ ଏବଂ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାର ଦକ୍ଷତା ମଧ୍ୟ ହ୍ରାସ ପାଏ। ତେଣୁ ଏହି ବିଲୁପ୍ତି ପ୍ରକ୍ରିୟାରେ ଆମେ କେବଳ ପ୍ରକୃତିର ଚମତ୍କାରିତାକୁ ହରାଉ ନାହୁଁ, ଏହା ସହିତ ଏହି ଜୀବ ଜାତିଙ୍କ ଦ୍ୱାରା ପ୍ରଦତ୍ତ ସେବା ଓ ଦ୍ରବ୍ୟରୁ ମଧ୍ୟ ବଞ୍ଚିତ ହେଉଛୁ, ଏବଂ ପ୍ରାକୃତିକ ବିବର୍ତ୍ତନ ପ୍ରକ୍ରିୟାର ଦିଗ ମଧ୍ୟ ଭ୍ରମିତ ହେଉଛି। ବିଡ଼ମ୍ବନା ହେଉଛି ଯେ ଯେଉଁ କ୍ଷିପ୍ର ହାରରେ ବିଲୁପ୍ତି ଘଟୁଛି, ସେହି ଅନୁପାତରେ ପ୍ରକୃତି ନୂତନ ଜୀବଜାତି ସୃଷ୍ଟି କରିବାରେ ସକ୍ଷମ ହେଉନାହିଁ। ପ୍ରାକୃତିକ ପରିସଂସ୍ଥା ଏବଂ ବନ୍ୟଜନ୍ତୁଙ୍କର ଅଧିକତର ଅବକ୍ଷୟ ଦ୍ୱାରା ବସ୍ତୁ-ଭିତ୍ତି ଦୃଷ୍ଟିରୁ ସମାଜର ବୃହତ ବିପର୍ଯ୍ୟୟ ସାଧିତ ହେବ। ଏହା ମଧ୍ୟ ବିଚାରଯୋଗ୍ୟ ଯେ ଅନେକ ବନ୍ୟଜୀବ ବସ୍ତୁ ଅର୍ଥରେ ଆମ ପାଇଁ ମୂଲ୍ୟବାନ ନହେଲେ ମଧ୍ୟ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକତା ଦୃଷ୍ଟିରୁ ଅମୂଲ୍ୟ ଏବଂ ସେମାନଙ୍କର ଏକ ପ୍ରକୃତିଦତ୍ତ ଅନ୍ତର୍ନିହିତ ମୂଲ୍ୟ ମଧ୍ୟ ରହିଛି।
ମାତ୍ର ଦୁଇ ଲକ୍ଷ ବର୍ଷ ପୂର୍ବେ ପୃଥିବୀର ଦୃଶ୍ୟପଟରେ ଆବିର୍ଭୂତ ହୋଇଥିବା ମାନବଜାତି ଏବଂ ଏହାର ବିବିଧ ପରିବର୍ତ୍ତନକାରୀ କାର୍ଯ୍ୟକଳାପ ଏହି ଷଷ୍ଠ ବା ହୋଲୋସିନ୍ ସମୂହ ବିଲୁପ୍ତିର ମୁଖ୍ୟ କାରକ ରୂପେ ପୃଷ୍ଠଭୂମିରେ ଉଭା ହୋଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିର ଆଶାତୀତ ଅଗ୍ରଗତିରୁ ଉପଲବ୍ଧ ସୁଫଳର ବିନିଯୋଗରେ ଜୀବନକୁ ସରସ ସୁନ୍ଦର ଏବଂ ଉପଭୋଗ୍ୟ କରିବା ଲକ୍ଷ୍ୟରେ ମାନବଜାତି ଏବେ ନିଜର ବିଜ୍ଞତା ଏବଂ ସମ୍ବେଦନଶୀଳତା ହରାଇ ବିନାଶକାରୀର ଭୂମିକା ନିଭାଉଛି। ପରିଣାମ ସ୍ୱରୂପ, ପ୍ରକୃତି ଓ ପରିବେଶରେ ଅବନତି ଏବଂ ଏସବୁର ଗୁଣାତ୍ମକ ମାନରେ ଅବକ୍ଷୟ ଘଟୁଛି। ଏ ସଂଦର୍ଭେର ଲଣ୍ଡନ ୟୁନିଭରସିଟି କଲେଜର ଜୈବବିବିଧତା ଏବଂ ପରିବେଶ ଗବେଷଣା କେନ୍ଦ୍ରର ମୁଖ୍ୟ ପ୍ରଫେସର ଜର୍ଜିନା ମେସ୍ଙ୍କ ଅନୁଯାୟୀ ଜୈବବିବିଧତାର ଏହି ସମ୍ଭାବ୍ୟ ବିପର୍ଯ୍ୟୟକୁ ରୋକିବା ନିମନ୍ତେ ଜରୁରୀ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ଅନ୍ୟଥା ମାନବ ସମାଜ ବଞ୍ଚିବା ପାଇଁ ନିର୍ଭର କରୁଥିବା ପ୍ରାକୃତିକ ପରିସଂସ୍ଥାସବୁରେ ଅପରିବର୍ତ୍ତନୀୟ ଅବକ୍ଷୟ ଘଟିବ। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ପଲ୍ ଏରଲିଚ୍ଙ୍କ ମତରେ, ‘ବିପଦଗ୍ରସ୍ତ ଜାତିର ସଂରକ୍ଷଣକୁ ସରକାର ଏବଂ ଅନୁଷ୍ଠାନମାନେ ଏକ ବିଶ୍ୱସ୍ତରୀୟ ଜରୁରୀକାଳୀନ ପରିସ୍ଥିତି ରୂପେ ବିଚାର କରି ଗୁରୁତ୍ୱ ପ୍ରଦାନ କରିବା ଉଚିତ, ଯେତିକି ଗୁରୁତ୍ୱ ଜଳବାୟୁ ସଙ୍କଟ ଲାଭକରୁଛି ଏବଂ ଯାହା ସହିତ ଏହି ବିଲୁପ୍ତି ମଧ୍ୟ ସମ୍ବନ୍ଧିତ।’ ପ୍ରକୃତିକୁ ନଷ୍ଟଭ୍ରଷ୍ଟ କରିବା ଆମ ପାଇଁ ଯଥେଷ୍ଟ ମହଙ୍ଗା ପଡ଼ିବ ଏବଂ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା କରିବା ମଧ୍ୟ ଅତ୍ୟନ୍ତ କଷ୍ଟକର ସାବ୍ୟସ୍ତ ହେବ। ଅନ୍ୟ ପରିବେଶଜନିତ ସମସ୍ୟା ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତା ହ୍ରାସ ସମସ୍ୟାର ସମାଧାନ ନିମନ୍ତେ ଏକତ୍ର ଆବଶ୍ୟକ ପନ୍ଥା ଅବଲମ୍ବନ କଲେ ଉଭୟ ମଣିଷ ଏବଂ ପ୍ରକୃତି ପାଇଁ ବିଜୟ-ବିଜୟ (ୱିନ୍-ୱିନ୍) ପରିସ୍ଥିତିର ରାସ୍ତା ଉନ୍ମୁକ୍ତ ହୋଇପାରିବ।
ମୋ- ୯୪୩୭୦୭୬୧୦୦
[email protected]