ବଣିକ ସଂଘ ପକ୍ଷରୁ ମାଲକାନଗିରି ବନ୍ଦ ପାଳନ
ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣିକ ସଂଘ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି। ଜିଏସଟିରେ ସରଳିକରଣ କରିବା ନେଇ ଭାରତୀୟ ବ୍ୟବସାୟୀ ସଂଘର ଡାକରାରେ ଆଜି ସାରା ଭାରତରେ ବନ୍ଦ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରିରେ ବନ୍ଦ ପାଳନ କରାଯାଇଛି। ଜିଲ୍ଲାର ଆଭ୍ୟନ୍ତରୀୟ ଅଂଚଳରେ ଏହାର ପ୍ରଭାବ ପଡିନଥିବା ବେଳେ ଜିଲ୍ଲା ସଦର ମହକୁମାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଦୋକାନ ବଜାର ବନ୍ଦ ରହିଥିଲା। ଅନ୍ୟଦିଗରେ କିନ୍ତୁ ଯାନବାହାନ ଚଳାଚଳ ଏବଂ ଅତ୍ୟାବଶକୀୟ ଜିନିଷ ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଶାନ୍ତିଶୃଙ୍ଖଳାରେ ବନ୍ଦ ପାଳନ କରାଯାଇଥିଲା। ବନ୍ଦ ବେଳେ କୌଣସି ଅପ୍ରତିକର ପରିବେଶ ସୃଷ୍ଟି ଯେପରି ନହୁଏ ସେଥିପାଇଁ ପୁଲିସ ସହର ସାରା ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ଜିଏସଟିରେ ସରଳିକରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବା ନେଇ ମଧ୍ୟ ବଣିକ ସଂଘ ଚେତାବନୀ ଦେଇଛି।ଜିଏସଟିରେ ବାରମ୍ବାର ଅଦଳବଦଳ କରାଯାଉଥିବାରୁ ବ୍ୟବସାୟୀ ମାନଙ୍କ ମଧ୍ୟରେ ବହୁ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହୋଇଛି।ଯାହାଦ୍ବାରା ସେମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ତେଣୁ ଏହି ନିୟମର କୋହଳ କରିବା ନେଇ ମଧ୍ୟ ଦାବି କରାଯାଇଛି। ଆଜି ଜିଲ୍ଲାର ବଣିକ ସଂଘର ବରିଷ୍ଠ ବ୍ୟବସାୟୀ ସୁରେଶ ସୋମାନିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ବନ୍ଦ ପାଳନ କରାଯାଇଛି।