ନୂଆଦିଲ୍ଲୀ, ୧୦।୪: ଦେଶରେ ସମ୍ପ୍ରତି ଦେଖାଦେଇଥିବା ମହାମାରୀ କରୋନାଭୂତାଣୁ ଦ୍ବିତୀୟ ଲହର ସଂକ୍ରମଣର କ୍ରମାଗତ ବୃଦ୍ଧି ପରିପ୍ରେକ୍ଷୀରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନାଗରିକଙ୍କର ଦ୍ରୁତ ଟିକାକରଣ ହିଁ ଅପରିହାର୍ଯ୍ୟ ହୋଇପଡ଼ିଛି। ଏଭଳି ସ୍ଥିତିରେ କିଛି ରାଜ୍ୟରେ ଚାହିଦାନୁସାରେ ଟିକାର ଅଭାବ ରହିଛି ବୋଲି ଦର୍ଶାଇ ନିକଟରେ କିଛି ଟିକାଗ୍ରହଣ କେନ୍ଦ୍ର ବନ୍ଦ କରାଯିବା ଘଟଣା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ତେଣୁ ଟିକା ନିର୍ମାତାମାନେ କିପରି ମାତ୍ରାଧିକ ଟିକା ପ୍ରସ୍ତୁତ କରି ତାହାକୁ ଠିକ୍ ସମୟରେ ଠିକ୍ ସ୍ଥାନରେ ଯୋଗାଇ ଦେବେ, ତାହା ଉପରେ ହିଁ ଗୁରୁତ୍ବ ଦିଆଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତରେ ବର୍ତ୍ତମାନ କୋଭିଡ୍ ଟିକା ଯୋଗାଉଥିବା ଦୁଇ ଦେଶଜ କମ୍ପାନି ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍(କୋଭିସିଲ୍ଡ) ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍(କୋଭାକ୍ସିନ୍) ଦେଶର ସାମ୍ପ୍ରତିକ ଟିକା ଚାହିଦାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିପାରୁନାହାନ୍ତି। ତେଣୁ ସେମାନେ ନିଜର ଟିକାପ୍ରସ୍ତୁତି କ୍ଷମତାକୁ ତ୍ବରାନ୍ବିତ କରିବା ଲାଗି ବୈଷୟିକ ବ୍ୟବସ୍ଥାରେ ପରିବର୍ତ୍ତନ ଚଳାଇଛନ୍ତି। ଏଥିପାଇଁ ମାସାଧିକ କାଳ ଦରକାର ପଡୁଥିବାରୁ ସେମାନଙ୍କ କାରଖାନାରୁ ଉତ୍ପନ୍ନ ଟିକା ପରିମାଣ ମଧ୍ୟ ଅନ୍ତତଃ ଆଗାମୀ ମାସକ ଯାଏ ସଂକୁଚିତ ହେବ। ଫଳରେ ସରକାରଙ୍କୁ ଟିକାକରଣରେ ପ୍ରାଥମିକତାକୁ ଆପଣେଇବା ପାଇଁ ତାହା ବାଧ୍ୟ କରିବ ବୋଲି ଜଣାଯାଇଛି। ବର୍ତ୍ତମାନ ପାଇଁ ଗଚ୍ଛିତ ଥିବା ଟିକା ସୀମିତ ବୋଲି ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି। ବର୍ତ୍ତମାନ ସରକାରଙ୍କ ପାଖରେ ଦୁଇଟି ଯାକ କୋଭିଡ୍ ଟିକାର ୫ କୋଟି ମାତ୍ରା ମହଜୁଦ ରହିଛି ଯାହା ଆଗାମୀ ୧୨ରୁ ୧୫ ଦିନର ଆବଶ୍ୟକତା ପୂରଣ କରିପାରିବ। ଏହି ଅବସରରେ ରୁଷୀୟ ଟିକା ସ୍ପୁଟନିକ୍-ଭି ପାଇଁ ଦେଶରେ ଅନୁମତି ମିଳିଗଲେ ଟିକା ଅଭାବ କିଛି ମାତ୍ରାରେ ସୁଧୁରିଯିବ ବୋଲି ସେ ଆଶା ପୋଷଣ କରିଛନ୍ତି। ସେହିପରି ଜନ୍ସନ୍ ଆଣ୍ଡ୍ ଜନ୍ସନ୍ କମ୍ପାନି ଦ୍ବାରା ବିକଶିତ ଟିକା ଓ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଥିବା ଜାଇଜସ୍ କମ୍ପାନିର ଜାଇକୋଭ୍-ଡି ଟିକା ଆସିଗଲେ ମଧ୍ୟ ଆଉ ଟିକା ଅଭାବ ଜଣାପଡ଼ିବନାହିଁ।