କରୋନା ଯୋଗୁଁ ଟୋକିଓ ଅଲମ୍ପିକ୍ସ ବାତିଲ ହେବା ଆଶଙ୍କା
ଟୋକିଓ : ପୁଣି ଥରେ ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳାବାଦଲ ଦେଖାଦେଇଛି । ଗତ ବର୍ଷ କରୋନା ମହାମାରୀ ପାଇଁ ସ୍ଥଗିତ ରହିଥିବା ବିଶ୍ବର ଏହି ସର୍ବବୃହତ୍ କ୍ରୀଡ଼ା ପ୍ରତିଯୋଗିତା ଏ ବର୍ଷ ମଧ୍ୟ ନ ହେବାର ଆଶଙ୍କା ଦେଖାଦେଲାଣି । ଏପରିକି ସଂପୂର୍ଣ୍ଣ ବାତିଲ ହେବାର ଆଶଙ୍କା ମଧ୍ୟ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଜାପାନର ଶାସକ ଦଳର ଜଣେ ସଦସ୍ୟ ତୋସିହିରୋ ନିକାଇ କହିଛନ୍ତି ଯେ କରୋନା ମହାମାରୀ ବ୍ୟାପିଚାଲିଲେ ଟୋକିଓ ଅଲମ୍ପିକ୍ସ ଆୟୋଜନ କରିବା ସମ୍ଭବ ହେବ ନାହିଁ । ଆବଶ୍ୟକ ପଡ଼ିଲେ ଏହାକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ପଛଘୁଞ୍ଚା ଦିଆଯିବ ନାହିଁ ବୋଲି ସେ ଜିଜି ନ୍ୟୁଜ ଏଜେନ୍ସିକୁ କହିଛନ୍ତି ।
ନିକାଇ ହେଉଛନ୍ତି ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟିର ମହାସଚିବ ଓ ଦଳର ୨ୟ ସର୍ବାଧିକ କ୍ଷମତାଶାଳୀ ନେତା । ସେ କହିଛନ୍ତି ଯେ ଅଲମ୍ପିକ୍ସ ଯଦି ସଂକ୍ରମଣ ବଢାଇବାରେ ସାହାଯ୍ୟ କରିବ, ତେବେ ଅଲମ୍ପିକ୍ସର କାମ କଣ ?
ସୂଚନାଯୋଗ୍ୟ ଯେ ଜାପାନରେ ଏବେ କରୋନାର ୨ୟ ସଂକ୍ରମଣ ଦେଖାଦେଇଛି । ନିକଟରେ ଜାପାନର ଏକ ପ୍ରମୁଖ ସହର ଓସାକାରେ ରେକର୍ଡ ସଂଖ୍ୟକ ସଂକ୍ରମଣ ମାମଲା ଦେଖାଦେଇଛି । ଏହା ପରେ ଜାପାନ ସରକାର କେତେକ କଟକଣା ଲାଗୁ କରିଛନ୍ତି ।