ଓଡ଼ିଶା ଲଳିତ କଳା ଏକାଡେମି ତରଫରୁ ‘ଶ୍ରୀଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ବର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ନିକଟରେ ୧୦୦ ଜଣ ଶିଳ୍ପୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିବା ଶ୍ରୀ ଜଗନ୍ନାଥ ଓ ରଥଯାତ୍ରା ଶୀର୍ଷକ ଚିତ୍ରକଳା ଶିବିରର କଳାକୃତି ଗୁଡ଼ିକୁ ନେଇ ବୁଦ୍ଧ ଆର୍ଟ ଗ୍ୟାଲେରି ଠାରେ ଏକ ଭର୍ଚୁଆଲ୍ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଉକ୍ତ ପ୍ରଦର୍ଶନୀର ଶୀର୍ଷକ ଶ୍ରୀଗୁଣ୍ଡିଚା ରହିଥିବା ବେଳେ ଏଥିରେ ଜଗନ୍ନାଥଙ୍କ କାହାଣୀ ଓ ରଥଯାତ୍ରା ସମ୍ବଳିତ ୧୦୦ଟି ଚିତ୍ର, ଭାସ୍କର୍ଯ୍ୟ ଓ ମୁଦ୍ରଣ କଳା ପ୍ରଦର୍ଶିତ କରାଯାଇଛି।

ପ୍ରଦର୍ଶନୀକୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଶିଳ୍ପୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାସ ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଶ୍ରୀଜଗନ୍ନାଥ ଓ ରଥଯାତ୍ରା ଶୀର୍ଷକ ଚିତ୍ରକଳା ଗୁଡ଼ିକୁ ପ୍ରଶଂସା କରିଥିଲେ। ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଦର୍ଶନୀର ଆଭିମୁଖ୍ୟ ବାବଦରେ କହିଥିଲେ। ଏଥିରେ ଶତାଧିକ ପ୍ରତିଯୋଗୀ ସାମିଲ୍ ହୋଇଥିଲେ ବୋଲି ସେ କହିଥିଲେ। ପ୍ରାରମ୍ଭରେ ଏକାଡେମିର ସଚିବ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେଇଥିଲେ। ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଏକାଡେମିର ଓଏସ୍‌ଡି ମନସ୍ବିନୀ ସାହୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାଡେମିର ଉପ-ସଭାପତି ଶ୍ରୀନିବାସ ପଢ଼ିହାରୀ ଯୋଗ ଦେଇଥିଲେ। ପ୍ରଦର୍ଶନୀଟି ଓଡ଼ିଶା କଲିତ କଳା ଏକାଡେମିର ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ ମାଧ୍ୟମରେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର