ରାଜ୍ୟର ପ୍ରଥମ ସ୍କ୍ବାସ୍ କୋର୍ଟରେ ତାଲା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ପରଠୁ ବନ୍ଦ ହୋଇପଡ଼ିଛି
୪୪ ଲକ୍ଷରୁ ଊର୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି, ପ୍ରାଶାସନିକ ଅପାରଗତାରୁ ବଞ୍ଚିତ ହେଉଛନ୍ତି ଯୁବ ପ୍ରତିଭା
ବାରିପଦା: ବିଶ୍ବରେ ଏକ ସମ୍ମାନଜନକ କ୍ରୀଡ଼ା ଭାବେ ସ୍କ୍ବାସ୍ କ୍ରମଶଃ ଆଦୃତି ଲାଭ କରୁଛି। ପ୍ରାୟ ଶହେ ବର୍ଷ ତଳେ ମୟୂରଭଞ୍ଜ ଭଞ୍ଜ ବଂଶର ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ସ୍କ୍ବାସ୍ ଖେଳି ବିଦେଶରେ ନାମ କମାଇଥିଲେ। ଏଥିରୁ ପ୍ରେରଣା ପାଇ ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ସମୟରେ ପ୍ରାୟ ୪୪ ଲକ୍ଷ ଟଙ୍କା ବ୍ୟୟରେ ବାରିପଦାରେ ନିର୍ମିତ ହୋଇଥିଲା ଓଡ଼ିଶାର ପ୍ରଥମ ସ୍କ୍ବାସ୍ କୋର୍ଟ। ୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏହି ପ୍ରଥମ ସ୍କ୍ବାସ୍ କୋର୍ଟକୁ ଭିଡିଓ କନ୍ଫରେନ୍ସ ଜରିଆରେ ଉଦ୍ଘାଟନ କରିଥିଲେ। ସଂଯୋଗବଶତଃ ସେତେବେଳେ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଭାବେ ଜିଲ୍ଲାର ବରିଷ୍ଠ ନେତା ତଥା ବର୍ତ୍ତମାନର ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କାର୍ଯ୍ୟ କରୁଥିଲେ। ଏହି ସ୍କ୍ବାସ୍ କୋର୍ଟକୁ ନେଇ ସମଗ୍ର ରାଜ୍ୟରେ ବାରିପଦାର ପ୍ରଶଂସା କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କଳା, ସାହିତ୍ୟରୁ ଆରମ୍ଭ କରି ଗୌରବମୟ ସଂସ୍କୃତି, ସବୁ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ମୟୂରଭଞ୍ଜ ମାଟି ସ୍କ୍ବାସ୍ ଭଳି ଏକ ଆଭିଜାତ୍ୟ ସମ୍ପନ୍ନ କ୍ରୀଡ଼ାର ଭିତ୍ତିଭୂମି ମଧ୍ୟ ବାରିପଦାରେ ଠିଆ କରିଥିଲା। ଯାହାକି ପୁରା ଓଡ଼ିଶାରେ ବାରିପଦାର ପ୍ରଶଂସା କରାଯାଇଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଏହା ଯେ ରାଜ୍ୟର ପ୍ରଥମ ମାନ୍ୟତା ପାଇଥିବା ଏହି ସ୍କ୍ବାସ୍ କୋର୍ଟ ଉଦ୍ଘାଟନ ପରଠାରୁ ହିଁ ଅବ୍ୟବହୃତ ହୋଇ ପଡ଼ିରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବା ପରଠାରୁ ହିଁ ପ୍ରାଶାସନିକ ଅସୂୟା ମନୋଭାବ ଏବଂ ଅପାରଗତା କାରଣରୁ ଏହି କୋର୍ଟରେ ଖେଳିବାରୁ ବଞ୍ଚିତ ହେଉଛନ୍ତି ଅନେକ ପ୍ରତିଭା। ଯେତେବେଳେ ଓଡ଼ିଶାରେ ସ୍କ୍ବାସ୍ ନିମନ୍ତେ ଭିତ୍ତିଭୂମିର ବିକାଶ ହୋଇପାରିନଥିଲା, ସେତେବେଳେ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗରେ ଏକ ଜର୍ମାନ୍ କମ୍ପାନୀ ଏହି କୋର୍ଟ ନିର୍ମାଣ କରିଥିଲା। ତେଣୁ ଏହା ମାଧ୍ୟମରେ ମୟୂରଭଞ୍ଜ ସମଗ୍ର ରାଜ୍ୟରେ ସ୍କ୍ବାସ୍ ଖେଳ କ୍ଷେତ୍ରରେ ନେତୃତ୍ବ ନେଇଥାଆନ୍ତା।
ଏହି କ୍ରୀଡ଼ାକୁ ଅଲମ୍ପିକ୍ରେ ସାମିଲ କରିବା ପାଇଁ ମଧ୍ୟ ବ୍ୟାପକ ବିଚାର ବିମର୍ଶ ଚାଲିଛି। ଦୀପିକା ପାଲିକଲଙ୍କ ଭଳି ଖେଳାଳି ଏହି କ୍ରୀଡ଼ା ମାଧ୍ୟମରେ ଆଜି ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛନ୍ତି। ତେଣୁ ଦ୍ରୁତ ବିକାଶ କରୁଥିବା ଏହି କ୍ରୀଡ଼ାକୁ ପାଥେୟ କରି ମୟୂରଭଞ୍ଜର ଯୁବଗୋଷ୍ଠୀ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଥାଆନ୍ତେ। ଏପରିକି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏନେଇ ବ୍ୟାପକ ସୁଯୋଗ ରହିଥାଆନ୍ତା। ମାତ୍ର ପ୍ରାଶାସନିକ ଅସୂୟା ମନୋଭାବ ଏହି କ୍ରୀଡ଼ା ଭିତ୍ତିଭୂମିକୁ ପଙ୍ଗୁ କରିଦେଇଛି। ଏହି କୋର୍ଟର ପରିଚାଳନା ନିମନ୍ତେ ମୟୂରଭଞ୍ଜ ସ୍କ୍ବାସ୍ ରୢାକେଟ୍ ଆସୋସିଏସନ୍ ନାମରେ ଏକ ସଂଘ ଗଠନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବାରିପଦାରେ ହିଁ ଓଡ଼ିଶା ସ୍କ୍ବାସ୍ ରୢାକେଟ୍ସ ଆସୋସିଏସନ୍ ଗଠନ କରାଯାଇଥାଆନ୍ତା। ମାତ୍ର ରାଜେଶ ପାଟିଲ୍ ମୟୂରଭଞ୍ଜରୁ ବଦଳି ହେବା ପରେ ନୂତନ ଜିଲ୍ଲାପାଳ ଏହି ସ୍କ୍ବାସ୍ କୋର୍ଟର ରକ୍ଷଣାବେକ୍ଷଣ ସହିତ ପରିଚାଳନା ଦାୟିତ୍ବ ସଂଘଠାରୁ ଛଡ଼ାଇ ନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଦେଇଦେଲେ। ସେବେଠାରୁ କୋର୍ଟରେ ତାଲା ଝୁଲୁଛି। ଏନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦାୟିତ୍ବରେ ଥିବା ଅବନୀ ମହାନ୍ତି କହିଛନ୍ତି ଯେ ସ୍କ୍ବାସ୍ କୋର୍ଟ ପାଇଁ କୌଣସି ଫଣ୍ଡ୍ ନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିକଟ ଭବିଷ୍ୟତରେ ମଧ୍ୟ କୌଣସି ସରକାରୀ ଯୋଜନା ନଥିବା କହିଛନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ।
ବାରିପଦା ସ୍କ୍ବାସ୍ କୋର୍ଟକୁ ଅନୁକରଣ କରି ପରବର୍ତ୍ତୀ ସମୟରେ ରାଉରକେଲା ଏବଂ ଭୁବନେଶ୍ବରରେ ସ୍କ୍ବାସ୍ କୋର୍ଟ ସଫଳତାର ସହିତ କାର୍ଯ୍ୟ କରୁଛି। ମାତ୍ର ରାଜ୍ୟର ପ୍ରଥମ ସ୍କ୍ବାସ୍ କୋର୍ଟରେ ଆଜି ତାଲା ଝୁଲୁଛି। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। କିନ୍ତୁ ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି କିଛି ପୂର୍ବତନ ପ୍ରାଶାସନିକ ଅଧିକାରୀ ସ୍କ୍ବାସ୍ କୋର୍ଟ ନିମନ୍ତେ ବ୍ୟବହୃତ ସ୍ବତନ୍ତ୍ର ଜୋତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ବିନା ଖେଳି ଏହାକୁ ପ୍ରାୟ ନଷ୍ଟ କରିଦେଇଛନ୍ତି। ଯେଉଁ କୋର୍ଟ ପାଇଁ ମୟୂରଭଞ୍ଜ ଦେଶ ବିଦେଶରେ ନାମ କମାଇଥାଆନ୍ତା ଆଜି ତାହା ବନ୍ଦ। ଏହା ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ନୂତନ କ୍ରୀଡ଼ାର ପ୍ରଚାର ପ୍ରସାର କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି ପୂର୍ବତନ ସାମ୍ବାଦିକ ତଥା ବୁଦ୍ଧିଜୀବୀ ବିଭୁଦତ୍ତ ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ଏହି କୋର୍ଟକୁ ନେଇ ମତ ରଖିଛନ୍ତି ମୟୂରଭଞ୍ଜ ଆଥ୍ଲେଟିକ ଆସୋସିଏସନ୍ର ସମ୍ପାଦକ ତଥା ମୟୂରଭଞ୍ଜ ସ୍କ୍ବାସ୍ ରୢାକେଟ୍ ଆସୋସିଏସନ୍ର ସମ୍ପାଦକ କିଶୋର ବିଶ୍ବାଳ। ଯେକୌଣସି କ୍ରୀଡ଼ାର ପରିଚାଳନା ପାଇଁ ଏକ ଆସୋସିଏସନ୍ର ଆବଶ୍ୟକତା ଥାଏ। ତାହା ବିସିସିଆଇ ହେଉ ଅବା ଓସିଏ। ମାତ୍ର ପ୍ରାଶାସନିକ ଅଧିକାରୀଙ୍କ ଅସୂୟା ମନୋଭାବ କାରଣରୁ ଏହି ଉନ୍ନତ ଭିତ୍ତିଭୂମି ଆଜି ନିସ୍ତେଜ।
ଏହି କୋର୍ଟ ପ୍ରତିଷ୍ଠା ପରେ ଚେନ୍ନାଇରୁ ଜଣେ କୋଚ୍ ଅଣାଯାଇ ଜିଲ୍ଲାରୁ ପ୍ରତିଭା ଚୟନର ଯୋଜନା ଥିଲା। ଏପରିକି ପ୍ରସିଦ୍ଧ ସ୍କ୍ବାସ୍ ଖେଳାଳି ଦୀପିକା ପାଲିକଲଙ୍କୁ ନେଇ ବାରିପଦାରେ ଏକ ସ୍କ୍ବାସ୍ କ୍ୟାମ୍ପ୍ର ଆୟୋଜନର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା। ମାତ୍ର ସବୁକିଛି ଫସର ଫାଟିଗଲା। ଏହାର ପୁନରୁଦ୍ଧାର ସହିତ ସଠିକ୍ କାର୍ଯ୍ୟକାରୀ ହେଲେ ମୟୂରଭଞ୍ଜରେ ଅନେକ ପ୍ରତିଭା ମୁଣ୍ଡ ଟେକିବେ ବୋଲି ଶ୍ରୀ ବିଶ୍ବାଳ ମତବ୍ୟକ୍ତ କରିଛନ୍ତି।