ଖୋଖୋ‌ ବିକାଶ ପାଇଁ ସ୍ବତନ୍ତ୍ର ଖସଡ଼ା: କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଛି ପ୍ରଶିକ୍ଷଣ ଶିବିର

୪୦ ଖେଳାଳିଙ୍କ ସର୍ବାଙ୍ଗୀନ ଉନ୍ନତି ଉପରେ ଧ୍ୟାନ

ଭୁବନେଶ୍ବର: ବହୁ ଲୋକପ୍ରିୟ ସ୍ବଦେଶୀ ଖେଳ ‘ଖୋଖୋ’ ଖୁବଶୀଘ୍ର ଏସୀୟ କ୍ରୀଡ଼ାରେ ସାମିଲ ହେବାକୁ ଯାଉଛି। ତାକୁ ଆଖି ଆଗରେ ରଖି ଓଡ଼ିଶାରୁ ଅଧିକରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଖୋଖୋ ଖେଳାଳି ସୃଷ୍ଟି କରିବା ଲାଗି ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଖୋଖୋ ସଂଘର ମିଳିତ ଆନୁକୂଲ୍ୟରେ କିଟ୍ ଇନଡୋର ହଲ୍‌ରେ ରାଜ୍ୟର ୪୦ ଜଣ ପ୍ରତିଭାବାନ (୨୦ ବାଳକ, ୨୦ ବାଳିକା) ୧୮ ବର୍ଷରୁ କମ୍ ଖୋ ଖୋ ଖେଳାଳିଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଚାଲିଛି।

୨୦୨୨ ମସିହା ଫେବ୍ରୁଆରି ମାସରେ ହରିୟାଣାର ପଞ୍ଚକୁଲ୍ଲାଠାରେ ଆୟୋଜିତ ହେବାକୁ ଥିବା ଖୋଲୋ ଇଣ୍ଡିଆ ଯୁବ କ୍ରୀଡ଼ା-୨୦୨୧ ଉପ‌ଲକ୍ଷେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଚଳିତବର୍ଷ ଏପ୍ରିଲ-ଜୁନ୍ ମାସରେ ଆୟୋଜିତ ହୋଇଥିଲା। ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଏବେବି ଚାଲୁ ରହିଛି। ଶିବିରରେ ସ୍ଥାନ ପା‌ଇଥିବା ଖେଳାଳିମାନଙ୍କୁ ଓଡ଼ିଶା ଖୋ ଖୋ ସଂଘ ବାଛିବା ପରେ କଳିଙ୍ଗ ଷ୍ଟାଡିୟମରେ ହାଇପର୍ଫର୍ମାନ୍ସ ବିଶେଷଜ୍ଞ କର୍ଣ୍ଣେଲ ଏ ରାଜେଶ ଓ ତାଙ୍କ ଦଳର ତତ୍ତ୍ବାବଧାନରେ ସେମାନଙ୍କର ଫିଟନେସ୍ ପରୀକ୍ଷା କରାଯାଇଥିଲା। ସାଂପ୍ରତିକ କ୍ରୀଡ଼ାରେ କ୍ରୀଡ଼ା ବିଜ୍ଞାନର ଢେର ମହତ୍ବ ରହିଥିବାରୁ ଶିବିର ପରିଚାଳନାରେ ଅନେକ ବିଶେଷଜ୍ଞ ସାମିଲ ରହିଛନ୍ତି। ପ୍ରଶିକ୍ଷକ ଚିନ୍ତାମଣି ପ୍ରଧାନ ଓ ସସ୍ମିତା ଓଝାଙ୍କ ମାର୍ଗଦର୍ଶନରେ ଏହି ପ୍ରଶିକ୍ଷଣ ଶିବିର ଚାଲୁଛି। ଏହା ପୂର୍ବରୁ ୨୬ଟି ଜିଲ୍ଲାର ୩୩ ତୃଣମୂଳସ୍ତରୀୟ ପ୍ରଶିକ୍ଷକଙ୍କୁ ନେଇ ଓ ହାଇପର୍ଫର୍ମାନ୍ସ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା। ଯାହା ଖୋଖୋ ପ୍ରଶିକ୍ଷକଙ୍କ ପାଇଁ ଦେଶର ପ୍ରଥମ କର୍ମଶାଳା ଥିଲା।

ସୂଚନାଯୋଗ୍ୟ ଯେ ୨୦୧୯ ରାଞ୍ଚି ଜାତୀୟ ଉପକନିଷ୍ଠ ଖୋଖୋରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ଓଡ଼ିଶା ବିଜେତା ହୋଇଥିଲା। ଗତ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଦଳ ଉପବିଜେତା ହୋଇଥିଲା। ୨୦୧୯ ଓ ୨୦୨୦ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଓଡ଼ିଶା ୨୧ ବର୍ଷରୁ କମ୍ ମହିଳା ଦଳ ଲଗାତାର ଦୁଇଟି କାଂସ୍ୟ ପଦକ ଜିତିଛି। ଏଣୁ ଆଗାମୀ ସମୟରେ ଓଡ଼ିଶା ଜାତୀୟ ଖୋଖୋରେ ଏକ ମହାଶକ୍ତି ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର