ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ ଠାବ: ୪ ଗିରଫ, ଏମ୍ସିଏ ଛାତ୍ର ଯୋଗେନ୍ଦ୍ର ସିଂ ମୁଖିଆ
କାର୍, ଲକ୍ଷେ ଟଙ୍କା ଓ ୩୩ ଏଟିଏମ୍ କାର୍ଡ ଜବତ
ଭୁବନେଶ୍ବର : ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ବହୁ ଏଟିଏମ୍ ଲୁଟ୍ କରି ଓଡ଼ିଶା ଚାଲି ଆସିଥିବା ଏକ ବଡ଼ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ କମିସନରେଟ୍ ପୁଲିସ ହାତରେ ଧରାପଡ଼ିଯାଇଛି। ଓଡ଼ିଶାରେ ତିନି ମାସ ହେଲା ଏଟିଏମ୍ ଲୁଟ୍ ଅପରେସନ୍ ଚଳାଇଥିବା ଏହି ଗ୍ୟାଙ୍ଗ୍ର ୪ ଜଣଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ସଦ୍ ଥାନା ଗାଜିପୁରର ଯୋଗେନ୍ଦ୍ର ସିଂ(୨୩), କାନପୁର ଥାନା ମହାରାଜପୁରର ନିରଜ ଶାହ(୨୩), ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ସଲିମ୍ ଖାଁ(୩୨) ଓ କାର୍ ଚାଳକ ବର୍ଦ୍ଧମାନ ଅଞ୍ଚଳର ମୁକେଶ ପାଲ୍(୨୪)। ପୁଲିସ ସେମାନଙ୍କଠାରୁ ଗୋଟିଏ ସ୍ବିଫ୍ଟ୍ କାର୍, ନଗଦ ଏକ ଲକ୍ଷ ୫ହଜାର ଟଙ୍କା, ୩୩ଟି ଏଟିଏମ୍ କାର୍ଡ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି। ଜଣେ ସଫ୍ଟୱେୟାର୍ ଇଂଜିନିୟର୍ ତଥା ଏମ୍ସିଏ ପାସ୍ ଆଉଟ୍ ଯୋଗେନ୍ଦ୍ର ହିଁ ଏହି ଗ୍ୟାଙ୍ଗ୍ର ମୁଖିଆ ବୋଲି ଜଣାପଡ଼ିଛି। ଏଟିଏମ୍ କାର୍ଡ ଭଡ଼ାରେ ଆଣି ବ୍ୟାଙ୍କକୁ ଚୁନ ଲଗାଉଥିବା ଏହି ଗ୍ୟାଙ୍ଗ୍ ଏଟିଏମ୍ ମେସିନ୍ରେ ତାର ଖଞ୍ଜି ଟଙ୍କା ଲୁଟି ନେଉଥିଲେ। ରବିବାର ଏହି ଗ୍ୟାଙ୍ଗ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଳାସପୂର୍ଣ୍ଣ ହୋଟେଲ୍ରେ ମସ୍ତି କରୁଥିଲେ
ଲୁଟ୍ ଟଙ୍କାରେ ଏହି ଗ୍ୟାଙ୍ଗ୍ କେବଳ ମଉଜ ମସ୍ତି କରୁଥିଲା। ବିଳାସପୂର୍ଣ୍ଣ ହୋଟେଲ୍ରେ ରହି ଅୟସ କରୁଥିଲେ। ବେଶପୋଷାକ ଓ ଚାଲିଚଳଣରୁ କେହି ସେମାନଙ୍କୁ ଲୁଟେରା ବୋଲି ସନ୍ଦେହ କରିବା ଅବକାଶ ନଥିଲା। ୩ ମାସ ହେବ ସେମାନେ ଓଡ଼ିଶାରେ ଆସ୍ଥାନ ଜମାଇଥିଲେ। ବାରିପଦା, କଟକ ଓ ଭୁବନେଶ୍ବରର ଦାମୀ ହୋଟେଲ୍ରେ ରହୁଥିଲେ। ଏକ ବଡ଼ କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେଇ ସେମାନେ ହୋଟେଲରେ ରୁମ୍ ବୁକ୍ କରି ମସ୍ତି କରୁଥିଲେ।
କେମିତି ଲୁଟୁଥିଲେ
ମାଷ୍ଟରମାଇଣ୍ଡ ଯୋଗେନ୍ଦ୍ର ଥିଲା ଏଟିଏମ୍ ଲୁଟ୍ର ଉଦ୍ଭାବକ। ୩ ସହଯୋଗୀ ସେମାନଙ୍କ ଜଣାଶୁଣା ଲୋକଙ୍କଠାରୁ ଏଟିଏମ୍ କାର୍ଡ ଭଡ଼ାରେ ଆଣୁଥିଲେ। ସେମାନଙ୍କୁ କାର୍ଡ ବ୍ୟବହାର ଅନୁସାରେ ୩ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେଉଥିଲେ। କୌଶଳ ଅନୁସାରେ ଯୋଗେନ୍ଦ୍ର ପ୍ରଥମେ କାର୍ଡଧାରୀଙ୍କ ଆକାଉଣ୍ଟରେ ଅନ୍ଲାଇନ୍ରେ ଟଙ୍କା ଜମା କରୁଥିଲା। ପରେ ଏଟିମଏମ୍କୁ ଯାଇ ଉକ୍ତ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଯେଭଳି ପ୍ରୋସେସିଂ କରିବା କଥା ସବୁ କରୁଥିଲା। ତେବେ ଏଟିଏମ୍ ମେସିନ୍ ଟଙ୍କା ଗଣିବା ଆରମ୍ଭ କରିବା ମାତ୍ରେ ଯୋଗେନ୍ଦ୍ର ଟଙ୍କା ବାହାରୁଥିବା ଡୋର୍ ଭିତରେ ଏକ ତାର ଖଞ୍ଜି ଦେଉଥିଲା। ଫଳରେ ଟଙ୍କା ବାହାରକୁ ନବାହାରି ଅଧାରେ ଅଟକି ଯାଉଥିଲା। ଏହା ପରେ ସେ କାଇଦାରେ ଡୋର୍ରୁ ଟଙ୍କା କାଢ଼ି ଆଣୁଥିଲା। ଏଣେ ଟଙ୍କା ଆକାଉଣ୍ଟରୁ କଟୁଥିଲା, କିନ୍ତୁ ଏଟିଏମ୍ରୁ ଟଙ୍କା ଉଠିନଥିବା ନେଇ ମେସିନ୍ ଦର୍ଶାଉଥିଲା। ତେଣୁ ପରେ ସେମାନେ ବ୍ୟାଙ୍କ୍ରେ ଅଭିଯୋଗ କରି ବ୍ୟାଙ୍କ୍ରୁ ପୁଣି ଥରେ ପାଉଥିଲେ। କେବଳ ସେତିକି ନୁହେଁ, ଏଟିଏମ୍ରେ ଜଗି ରହି ଗ୍ରାହକଙ୍କୁ ମଧ୍ୟ ଟାର୍ଗେଟ୍ କରୁଥିଲେ। ସମାନ ପଦ୍ଧତିରେ ଜଣେ ଗ୍ରାହକ ଟଙ୍କା ଉଠାଇବା ବେଳେ ଟଙ୍କା ମେସିନ୍ରୁ ନବାହାରି ଅଧାରେ ଭିତରେ ରହିଯାଇଥିଲା। ଗ୍ରାହକ ଫେରିବା ପରେ ଯୋଗେନ୍ଦ୍ର ଏଟିଏମ୍ରୁ ଟଙ୍କା କାଢ଼ି ନେଉଥିଲା। ଅବଶ୍ୟ ପରେ ଗ୍ରାହକ ବ୍ୟାଙ୍କରୁ ତାଙ୍କ ଟଙ୍କା ପାଉଥିଲେ। ତେଣୁ ଏମିତି ଯୋଗେନ୍ଦ୍ର ଗ୍ୟାଙ୍ଗ୍ ଏଟିଏମ୍ରୁ ବ୍ୟାଙ୍କକୁ ହିଁ ଚୁନ ଲଗାଉଥିଲା।
କେମିତି ଧରାପଡ଼ିଲେ
ପୁଲିସ ସୂଚନା ମୁତାବକ ୟୁପି ଓ ପଶ୍ଚିମବଙ୍ଗରେ ଏଟିଏମ୍ରୁ ଟଙ୍କା ଲୁଟ୍ କରି ଏହି ଗ୍ୟାଙ୍ଗ୍ ପୁଲିସର ନିଦ ହଜାଇଥିଲା। ପ୍ରାୟ ୩ ମାସ ତଳେ ଏମାନେ ଓଡ଼ିଶା ଆସି ପ୍ରଥମେ ବାରିପଦାରେ ଡେରା ପକାଇଥିଲେ। ସେଠାରେ ପାଖାପଖି ୧୦ରୁ ଊର୍ଧ୍ବ ଏଟିମ୍ରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଏହା ପରେ ସପ୍ତାହ ତଳେ ସେମାନେ ବାଲେଶ୍ବରରୁ ୫ ଏଟିଏମ୍, କଟକରୁ ୪ ଏଟିଏମ୍, ପୁରୀରୁ ୨ଟି ଏଟିଏମ୍ରୁ ଟଙ୍କା ଲୁଟିଥିଲେ। ଶନିବାର ସନ୍ଧ୍ୟାରେ ସେମାନେ ଟଙ୍କପାଣି ରୋଡ୍ ସାଇମନ୍ଦିର ନିକଟସ୍ଥ ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ପାଇଁ ଯୋଜନା କରିଥିଲେ। କାର୍କୁ ଏଟିଏମ୍ ବାହାରେ ରଖି ୩ ଜଣ ଭିତରକୁ ପଶିଥିଲେ। ସେମାନେ ବହୁ ସମୟ ଧରି ଏଟିଏମ୍ରୁ ନ ବାହାରିବାରୁ ସନ୍ଦେହରେ ସ୍ଥାନୀୟ ଲୋକ ପୁଲିସ୍କୁ ଜଣାଇଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ପଚରାଉଚରା କରିଥିଲା। ମାତ୍ର ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ନଥିବାରୁ ସନ୍ଦେହ କରି ପୁଲିସ ସେମାନଙ୍କୁ ଥାନାକୁ ଆଣି ଜେରା କରିଥିଲା। ଯାଞ୍ଚ ବେଳେ ସେମାନଙ୍କ ପାଖରୁ ୩୩ ଏଟିଏମ୍ କାର୍ଡ ଦେଖି ପୁଲିସର ସନ୍ଦେହ ବଢ଼ିଥିଲା। ଶେଷରେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ସେମାନଙ୍କ କଳା କାରନାମା ପଦାକୁ ଆସି ଯାଇଥିଲା। ଏଟିଏମ୍ ଲୁଟ୍ କଥା ମାନିଯାଇଥିଲେ। ବିଳମ୍ବିତ ରାତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଏକ ଏଟିଏମ୍କୁ ନିଆଯାଇଥିଲା ଓ ସେମାନେ ଲୁଟ୍ର ଡେମୋ ଦେଖାଇଥିଲେ।