୩ ଏନ୍ଏସିରେ ଅସ୍ଥା ହରାଇଲେ ଛତ୍ରପୁର ବିଧାୟକ
ଗୋଷ୍ଠୀ କନ୍ଦଳ, ଦୁର୍ବଳ ପ୍ରାର୍ଥୀ ଚୟନ ମୁଖ୍ୟ କାରଣ
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରହ୍ମପୁର : ସରିଛି ପୌର ନିର୍ବାଚନ। ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜୟ ବାନା ଉଡ଼ାଇବ ବୋଲି ଆଶା ବାନ୍ଧିଥିଲା। କିନ୍ତୁ ପୌର ନିର୍ବାଚନରେ ମିଳିଥିବା ଜନାଦେଶ ସମସ୍ତ ଚିତ୍ର ଓ ଆକଳନକୁ ଓଲଟପାଲଟ କରିଦେଇଛି। ଜିଲ୍ଲାର ୧୭ଟି ପୌରାଞ୍ଚଳ ମଧ୍ୟରୁ ୬ଟି ପୌରାଞ୍ଚଳକୁ ହରାଇଛି ବିଜେଡି। ଦଳର ଝୁଡ଼ିରେ ୧୧ଟି ପୌରାଞ୍ଚଳ ପଡ଼ିଥିବାବେଳେ ବିଜେପି ୩ଟି ପୌରାଧ୍ୟକ୍ଷ ଆସନ ହାତେଇଛି। ସେହିପରି କଂଗ୍ରେସ ଗୋଟିଏ ଅଧ୍ୟକ୍ଷ ଆସନ ନେଇଥିବା ବେଳେ ଦୁଇଟି ଏନ୍ଏସିରେ ସ୍ବାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଛନ୍ତି। ଚଳିତ ପୌର ନିର୍ବାଚନ ଫଳାଫଳ ଗଞ୍ଜାମ ଜିଲ୍ଲାର ୩ ବିଧାୟକଙ୍କ ସମେତ ବାଚସ୍ପତିଙ୍କୁ ଝଟ୍କା ଦେଇଛି।
ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି ୩ଟି ଏନ୍ଏସି। ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନିଜ ନିର୍ବାଚନମଣ୍ଡଳୀର ପ୍ରଚାର ମଙ୍ଗ ଧରିଥିଲେ। ପଞ୍ଚାୟତ ନିର୍ବାଚନରେ ବିଜେଡି ଉଭୟ ବ୍ଲକ୍ ଦଖଲ କରିଥିଲା। କିନ୍ତୁ ପୌର ନିର୍ବାଚନରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଛତ୍ରପୁର ନିର୍ବାଚନମଣ୍ଡଳୀର ୩ଟି ଏନ୍ଏସିରୁ ଛତ୍ରପୁର ଓ ରମ୍ଭା ବିଜେପି ଦଖଲ କରିଥିବା ବେଳେ ଗଞ୍ଜାମ ଏନ୍ଏସିରେ ସ୍ବାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଛନ୍ତି। ଗଞ୍ଜାମ ଓ ରମ୍ଭାରେ ଦୁର୍ବଳ ଅଧ୍ୟକ୍ଷ ପ୍ରାର୍ଥୀ ଯୋଗୁଁ ବିଜେଡି ପଛରେ ପଡ଼ିଯାଇଥିବା ଅନୁମାନ କରାଯାଉଥିଲା। ଯାହାର ପ୍ରଭାବ ଛତ୍ରପୁର ଏନ୍ଏସିରେ ମଧ୍ୟ ପଡ଼ିଥିଲା। ଏଣୁ ବିଜେଡିକୁ ପରାଜୟବରଣ କରିବାକୁ ପଡ଼ିଛି ବୋଲି କୁହାଯାଉଛି।
ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ପୁରୁଷୋତ୍ତମପୁର ଏନ୍ଏସିରେ ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେଡି ଅଧ୍ୟକ୍ଷ ଆସନ ହରାଇଛି। ଏନ୍ଏସି ଅଧ୍ୟକ୍ଷ ପାଇଁ ପୁରୁଷୋତ୍ତମପୁରର ଜଣାଶୁଣା ବିଜେଡି ନେତା ତଥା ରାଜ୍ୟ ସମ୍ପାଦକ ଅଶୋକ କୁମାର ମହାଙ୍କୁଡ଼ଙ୍କ ପତ୍ନୀ ରାଜ୍ୟ ବିଜେଡି ମହିଳା ସମ୍ପାଦିକା ପ୍ରିୟଙ୍କା ଗୌଡ଼ ଆଶାୟୀ ଥିଲେ। କିନ୍ତୁ ଅନ୍ୟ ଆଶାୟୀଙ୍କ ନାମ ଥିବା ଏକ ପ୍ରାର୍ଥୀ ତାଲିକା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଏହାପରେ ଉଭୟ ସ୍ବାମୀ-ସ୍ତ୍ରୀ ବିଜେଡିରୁ ଇସ୍ତଫା ଦେଇ ସ୍ବାଧୀନ ଭାବେ ନାମାଙ୍କନ କରିଥିଲେ। ଯାହାକି ବିଜେଡି ପାଇଁ କାଳ ହୋଇଥିଲା। ପ୍ରିୟଙ୍କା ସ୍ବାଧୀନ ଭାବେ ଅଧ୍ୟକ୍ଷ ଓ ତାଙ୍କ ସ୍ବାମୀ ଅଶୋକ କାଉନ୍ଲସିଲର୍ ପଦବି ପାଇଁ ଲଢ଼େଇ କରି ଶେଷରେ ବିଜୟୀ ହୋଇଛନ୍ତି।
ସେହିପରି କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର କୋଦଳା ଏନ୍ଏସି ଅଧ୍ୟକ୍ଷ ପାଇଁ କିଛି ବରିଷ୍ଠ ବିଜେଡି ନେତା ଆଶାୟୀ ଥିଲେ। କିନ୍ତୁ ସେମାନଙ୍କୁ ଅଣଦେଖା କରି ଅନ୍ୟ ଜଣେ ନବାଗତ ଚେହେରାଙ୍କୁ ପ୍ରାର୍ଥୀ କରାଯାଇଥିଲା। ଫଳରେ କୋଦଳା ଏନ୍ଏସିର ବହୁ ବରିଷ୍ଠ ବିଜେଡି ନେତା ନିର୍ବାଚନ ପ୍ରକ୍ରିୟା ଠାରୁ ଏକପ୍ରକାର ନିଜକୁ ଦୂରେଇ ରଖିଥିଲେ। ସେପଟେ ବିଜେପି ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସମାଜସେବୀ ସୂର୍ଯ୍ୟନାରାୟଣ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ସୂର୍ଯ୍ୟଙ୍କ ସହିତ ଲୋକଙ୍କ ବିପୁଳ ଜନସମର୍ଥନ ରହିଥିଲା। ଯାହା ଫଳରେ ବିଜେଡି ପରାଜିତ ହେଲା।
ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗଡ଼ରେ ପୌର ନିର୍ବାଚନରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଜେଡିକୁ ଚକ୍ମା ଦେଇ କଂଗ୍ରେସ ପ୍ରାର୍ଥୀ ଅଧ୍ୟକ୍ଷ ଆସନ ହାତେଇବାରେ ସକ୍ଷମ ହୋଇଛି। ଏପରିକି ଦିଗପହଣ୍ଡିର ୧୧ଟି ୱାର୍ଡ଼ ମଧ୍ୟରୁ ୬ଟି କଂଗ୍ରେସ ଦଖଲ କରିଥିବା ବେଳେ ବିଜେଡି ହାତରେ ୫ଟି ୱାର୍ଡ଼ ରହିଛି। ଡ. ପାତ୍ର ବାଚସ୍ପତି ଦାୟିତ୍ବ ନେବାପରେ ସେ ପ୍ରତ୍ୟକ୍ଷ ରାଜନୀତି ଠାରୁ ଦୂରେଇ ରହିଛନ୍ତି। ଏହାଦ୍ବାରା ଦିଗପହଣ୍ଡି ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ପୌର ନିର୍ବାଚନରେ ବହୁ ବରିଷ୍ଠ ନେତାଙ୍କୁ କୋଣଠେସା କରାଯାଇଥିଲା। ଅନିଭିଜ୍ଞ ନେତାଙ୍କୁ ନିର୍ବାଚନ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଯାହାକି ବିଜେଡି ପାଇଁ କାଳ ହେଲା ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।