ରେଳବାଇରେ ପ୍ରବଳ କାମ ଚାପ: ୯ ମାସରେ ଭିଆର୍ଏସ୍ ନେଲେଣି ୭୭ ବରିଷ୍ଠ ଅଧିକାରୀ
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଏବେ ପ୍ରବଳ କାମ ଚାପ। ଏଥିଯୋଗୁ ଗତ ୯ ମାସ ମଧ୍ୟରେ ୭୭ ଜଣ ବରିଷ୍ଠ ଅଧିକାରୀ ସ୍ବେଚ୍ଛାକୃତ ଅବସର (ଭିଆର୍ଏସ୍) ନେଲେଣି। ଏମାନଙ୍କ ମଧ୍ୟରେ ଦୁଇଜଣ ସଚିବସ୍ତରୀୟ ଅଧିକାରୀ ରହିଛନ୍ତି। ପୂର୍ବରୁ କୌଣସି ଆର୍ଥିକ ବର୍ଷରେ ଏତେସଂଖ୍ୟାରେ ଅଧିକାରୀ ଭିଆର୍ଏସ୍ ନେଇ ନଥିଲେ। ଚଳିତବର୍ଷ ଜାନୁଆରି ମାସରେ ସର୍ବାଧିକ ୧୧ ଜଣ ଅଧିକାରୀ ଇସ୍ତଫା ଦେଇଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଜୁଲାଇ ମାସରେ ନୂଆ ରେଳମନ୍ତ୍ରୀ ଭାବେ ଅଶ୍ବିନୀ ବୈଷ୍ଣବ ଦାୟିତ୍ବ ଗ୍ରହଣ କରିବା ପରେ ସେ ଅଧିକାରୀମାନଙ୍କୁ ପର୍ଫର୍ମ ଅର୍ ପେରିସ୍ ମନ୍ତ୍ର ଶିଖାଇଥିଲେ। ଯେଉଁ ଅଧିକାରୀମାନଙ୍କର ପ୍ରଦର୍ଶନ ଭଲ ନାହିଁ କିମ୍ବା ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନଙ୍କ ପାଇଁ ରେଳବାଇରେ ସ୍ଥାନ ନାହିଁ। ସେଭଳି ଅଧିକାରୀମାନେ ଭିଆରଏସ୍ ନେବା ଆବଶ୍ୟକ। ନଚେତ୍ ସେମାନଙ୍କୁ ବିଦା କରି ଦିଆଯିବ ବୋଲି ମନ୍ତ୍ରୀ ଗୁରୁତ୍ବାରୋପ କରୁଛନ୍ତି। ଅନ୍ୟପକ୍ଷରେ ଯେଉଁ ଅଧିକାରୀମାନଙ୍କର କାମ ପ୍ରତି ସକାରାତ୍ମକ ଆଭିମୁଖ୍ୟ ରହିଛି ଏବଂ ଯେଉଁମାନେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ସେମାନଙ୍କୁ ସ୍ବୀକୃତି ଦିଆଯାଉଛି। ବିଭିନ୍ନ ଜୋନ୍ରେ ବରିଷ୍ଠ ଯନ୍ତ୍ରୀଭାବେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଏହା ସ୍ବୀକାର କରିଛନ୍ତି ଯେ ପ୍ରଦର୍ଶନ ଜନିତ ଚାପ ବଢ଼ିବାରେ ଲାଗିଛି। ମନ୍ତ୍ରାଳୟ ପକ୍ଷରୁ କଠିନ ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି। ଉଚ୍ଚସ୍ତରୀୟ ଅଧିକାରୀଙ୍କ ଅନୁଧ୍ୟାନ ଦ୍ବାରା ଗତ କିଛିମାସ ମଧ୍ୟରେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। କିଛି ଅଧିକାରୀ ମଧ୍ୟ ଆବଶ୍ୟକ ପଦୋନ୍ନତି ପାଉ ନଥିବାରୁ ଭିଆର୍ଏସ୍ ନେଉଛନ୍ତି।
ଗୋଟିଏ ମାମଲାରେ ମନ୍ତ୍ରୀ ଜଣେ ଅଧିକାରୀଙ୍କୁ ଇସ୍ତଫା ଦେବାକୁ କହିଥିଲେ ଏବଂ ସେହି ଅଧିକାରୀଜଣକ ଲମ୍ବା ଛୁଟିରେ ଯାଇଥିଲେ। ପ୍ରଦର୍ଶନ ଭଲ ନଥିବା ଅଧିକାରୀମାନଙ୍କୁ ଗତ କିଛିବର୍ଷ ହେଲା ବିଦା କରାଯାଉଛି। କେବଳ ରେଳମନ୍ତ୍ରୀ ନୁହନ୍ତି ଅନେକ ସମୟରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭାଗର କାମ ବନ୍ଦ ରଖିବା ପରିବର୍ତ୍ତେ ଇସ୍ତଫା ଦେଇ ଘରକୁ ପଳାନ୍ତୁ ବୋଲି ଅଧିକାରୀମାନଙ୍କୁ କହିଛନ୍ତି। ସଂସଦରେ ବଜେଟ୍ ଉପସ୍ଥାପନ ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସମସ୍ତ ଜେନେରାଲ ମ୍ୟାନେଜର ଏବଂ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ମୁଖ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ବାରା ପ୍ରକଳ୍ପ ପାଇଁ ଏପ୍ରିଲ ପହିଲାରୁ ନିଲାମ ଆହ୍ବାନ କରାଯାଇ ପାରିବ ବୋଲି ସେ କହିଥିଲେ।