ଭୁବନେଶ୍ବର: ପୁଣି ରାଜଧାନୀ ଉପକଣ୍ଠ ଯାଁଳା ବଜାରରେ ବନ୍ଧୁକ ଗର୍ଜିଛି। ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ଦୁର୍ବୃତ୍ତମାନେ ସ୍ବାତୀ ଜୁଏଲର୍ସର ମାଲିକଙ୍କ ପୁଅକୁ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ରେ ଗୁରୁତର ଲୋକନାଥ ସୁବୁଦ୍ଧି ଏବେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଓ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ତେବେ ଲୁଟେରାମାନେ ଲୋକନାଥଙ୍କ ପାଖରୁ କିଛି ଲୁଟି ପାରିନଥିବା ଜଣାପଡ଼ିଛି। ଆକ୍ରମଣ କରି ସେଠାରୁ ଖସି ପଳାଇବା ବେଳେ ସେମାନେ ୬ ରାଉଣ୍ଡ ଗୁଳି ଫୁଟାଇଥିବା ଜଣାପଡ଼ିଛି। ଖବର ପାଇ ଏସିପି ରଜତ ରାୟଙ୍କ ନେତୃତ୍ବରେ ଯାଁଳା ଫାଣ୍ଡି, ଇନ୍ଫୋଭ୍ୟାଲି ଥାନା, ଜଟଣୀ ଥାନା, ତମାଣ୍ଡୋ ଥାନା ଓ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତମାନଙ୍କ ଟେର୍ ମିଳିନାହିଁ। ଗତ ମାସରେ ଏହି ବଜାରସ୍ଥିତ ସାଗରିକା ଜୁଏଲର୍ସ ମାଲିକ କବିରାଜ ସୁବୁଦ୍ଧିଙ୍କ ଦୋକାନରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଗହଣା ଲୁଟିଥିଲେ ଓ ଗୁଳିମାଡ଼ କରି ଫେରାର୍ ହୋଇଯାଇଥିଲେ। ସେହି ଘଟଣାରେ ପୁଲିସ କାହାକୁ ଗିରଫ କରିପାରିନଥିବା ବେଳେ ଆଜିର ଏହି ଅଘଟଣକୁ ନେଇ ଯାଁଳା ବଜାରରେ ଆତଙ୍କ ଖେଳିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ରାତି ପ୍ରାୟ ୯ଟା ୧୫ବେଳେ ଯାଁଳା ବଜାରରୁ ସ୍ବାତୀ ଜୁଏଲର୍ସର ମାଲିକ ଭଗବାନ ସୁବୁଦ୍ଧି ଓ ତାଙ୍କ ପୁଅ ଲୋକନାଥ ଦୋକାନ ବନ୍ଦ କରି ମୁଣ୍ଡୁମୁହାଣସ୍ଥିତ ଘରକୁ ବାହାରିଥିଲେ। ସେମାନେ ଗହଣାତକ ବ୍ୟାଗ୍ରେ ଭର୍ତ୍ତି କରି ସ୍କୁଟି ଡିକିରେ ରଖିଥିଲେ। ଭଗବାନଙ୍କ ସ୍କୁଟିରେ ଗହଣାତକ ଥିଲା। ଭଗବାନ ଆଗେ ଆଗେ ଯାଉଥିବା ବେଳେ ପୁଅ ଲୋକନାଥ ପଛରେ ଯାଉଥିଲେ। ଯାଁଳା ପୋଷ୍ଟ ଅଫିସ କଡ଼ ଗଳିରେ ସେମାନେ ଯାଉଥିବା ବେଳେ ଏକ ଅନ୍ଧାରିଆ ସ୍ଥାନରେ ଛପି ଥିବା ପ୍ରାୟ ୩/୪ ଜଣ ଦୁର୍ବୃତ୍ତ ଲୋକନାଥଙ୍କୁ ଅଟକାଇଥିଲେ। ସେତେବେଳକୁ ଭଗବାନ କିଛି ବାଟ ଆଗେଇ ଯାଇଥିଲେ। ତେଣୁ ଦୁର୍ବୃତ୍ତମାନେ ତାଙ୍କ ପୁଅକୁ ଅଟକାଇଥିବା ବାବଦରେ ସେ କିଛି ଜାଣିପାରିନଥିଲେ। ଦୁର୍ବୃତ୍ତମାନେ ଲୋକନାଥଙ୍କୁ ଅଟକାଇବା ସହ ଅଚାନକ ଜଣେ ଦୁର୍ବୃତ୍ତ ଏକ ବନ୍ଧୁକ ବଟ୍ରେ ତାଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲା। ଫଳରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ସେମାନେ ଲୁଟେରା ବୋଲି ପ୍ରଥମେ ଲୋକନାଥ ବୁଝିପାରିନଥିଲେ। ଏମିତିକି ଦୁର୍ବୃତ୍ତ ଜଣକ ବନ୍ଧୁକରେ ମୁଣ୍ଡକୁ ଆଘାତ କରିଛି ବୋଲି ସେ ଜାଣିପାରିନଥିଲେ। ତେଣୁ ମୁଣ୍ଡ ଫାଟିଯିବାରୁ ସେ ରାଗରେ ଉକ୍ତ ଦୁର୍ବୃତ୍ତକୁ କାବୁ କରିବାକୁ ଯାଇ ତା’ ବେକକୁ କଣ୍ଠା ପକାଇଦେଇଥିଲେ।
ଦୁଇ ଜଣକ ମଧ୍ୟରେ ଧସ୍ତାଧସ୍ତି ଲାଗିଥିବା ବେଳେ ଅନ୍ୟ ଦୁର୍ବୃତ୍ତମାନେ ସ୍କୁଟି ଡିକି ଭାଙ୍ଗି ଗହଣା ଦରାଣ୍ଡି ଥିଲେ। ମାତ୍ର ଗହଣା ବ୍ୟାଗ୍ ନପାଇ ସେମାନେ ଲୋକନାଥକୁ ମାଡ଼ ମାରିଥିଲେ। ତଥାପି ଲୋକନାଥ କଣ୍ଠା ପକାଇଥିବା ଦୁର୍ବୃତ୍ତକୁ ଛାଡ଼ି ନଥିଲେ ଓ ପାଟି କରି ପାଖ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ପାଖରେ ଥିବା ୩ଟି ପରିବାରର ଲୋକେ ଘଟଣା କ’ଣ ଜାଣିବାକୁ ବାହାରି ଆସିବା ଦେଖି ଦୁର୍ବୃତ୍ତମାନେ ଆଉ କାଳବିଳମ୍ବ କରିନଥିଲେ। ସେମାନେ ଲୋକନାଥଙ୍କ ଜଙ୍ଘକୁ ଅତି ନିକଟରୁ ୨ ରାଉଣ୍ଡ ଗୁଳିମାଡ଼ କରିବା ସହ ଲୋକଙ୍କୁ ଭୟଭୀତ କରିବାକୁ ଆଉ ୬ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗୁଳିମାଡ଼ ପରେ ଲୋକନାଥ ତଳେ ପଡ଼ିଯାଇଥିବା ବେଳେ ପାଖ ଲୋକମାନେ ଭୟରେ ଘରେ ପଶିଯାଇଥିଲେ। ଏହି ମଉକାରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଚାଲିଯିବାର ପ୍ରାୟ ୧୫ ମିନିଟ୍ ପରେ ସ୍ଥାନୀୟ ଲୋକେ ସେଠାକୁ ଆସିଥିଲେ ଓ ଲୋକନାଥଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ।