ସେ ଥିଲେ ଶାନ୍ତ, ସରଳ, ନିଷ୍କପଟ ଓ ପରୋପକାରୀ। ବହୁ ଦରିଦ୍ର, ଅଭାବୀ ଲୋକଙ୍କୁ ସେ ସାହାଯ୍ୟ କରୁଥିଲେ। ଓ.ଏ.ଏସ୍ ଅଫିସର ଭାବରେ ବିବିଧ ସରକାରୀ ପଦପଦବି ମଣ୍ଡନ କରିଥିଲେ ସୁଦ୍ଧା ଅହମିକା ନ ଥିଲା ତାଙ୍କର। ଜୀବନଦୃଷ୍ଟି ଥିଲା ତାଙ୍କର ପ୍ରସାରିତ। ବଡ଼ ଅନୁଭବୀ ଓ ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ସେ ପ୍ରତିଷ୍ଠିତ ହୋଇଥିଲେ ସମାଜରେ। ତାଙ୍କର ଗଳ୍ପ ଓ ନାଟକରେ ସେହି ସ୍ବର ପ୍ରତିଧ୍ବନିତ। ଏହି ସ୍ମରଣୀୟ, ଦରଦୀ ଓ ବନ୍ଧୁବତ୍ସଳ ମଣିଷ ଜଣକ ହେଲେ ରବୀନ୍ଦ୍ରନାଥ ଦାସ। ତାଙ୍କୁ ଜଣେ ଘନିଷ୍ଠ ଓ ଅନ୍ତରଙ୍ଗ ବଡ଼ ଭାଇ ବୋଲି ମୁଁ କେବଳ ନୁହେଁ, ମୋର ସମବୟସ୍କ ଅନ୍ୟ ଲେଖକମାନେ ମଧ୍ୟ ମନେ କରନ୍ତି। ଦେଖାହେଲା ମାତ୍ରେ ସେ ସମ୍ଭାଷଣ ଜଣାନ୍ତି ଅଳ୍ପ ହସି। ପ୍ରଗଳ୍ଭ ସେ କେବେ ହେଲେ ନୁହନ୍ତି, କଥା କେଇପଦ ହୁଅନ୍ତି ଅତି ଅନ୍ତରଙ୍ଗ ମଣିଷ ଭାବରେ। ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଥିଲେ। ଏକାଡେମୀର ଉନ୍ନତି ବିଧାନ ପାଇଁ ଅନେକ କାର୍ଯ୍ୟ ମଧ୍ୟ କରିଯାଇଥିଲେ। ଅଫିସ୍ର କର୍ମଚାରୀମାନଙ୍କ ପ୍ରତି ସେ ଥିଲେ ସଦୟ ଓ ସ୍ନେହଶୀଳ।
Sambad is now on WhatsApp
Join and get latest news updates delivered to you via WhatsApp
ରବୀନ୍ଦ୍ରନାଥ ଦାସ
ଆବିର୍ଭାବ: ୧୭.୦୫.୧୯୪୩
ତିରୋଧାନ: ୨୦.୦୪.୨୦୨୨
ମଣିଷ ମଣିଷକୁ ଭଲପାଉ, ଚତୁର୍ଦ୍ଦିଗରେ ଖେଳିଯାଉ ସ୍ନେହ ମମତାର ବାତାବରଣ। ଏକାକୀପଣିଆର ଓ ଯେତେସବୁ ନୈରାଶ୍ୟର ଅବସାନ ଘଟୁ। ପରିବାରଠାରୁ ଆରମ୍ଭ କରି ପରିବ୍ୟାପ୍ତ ସମାଜ ବ୍ୟବସ୍ଥା ଯାଏ ଏହା ବିରାଜମାନ କଲେ ଜୀବନରେ ଆସିବ ସୁଖ ଓ ଶାନ୍ତି। ଚିରନ୍ତନ ଏହି ସତ୍ୟ ରବୀନ୍ଦ୍ରନାଥ ଦାସ ଉଚ୍ଚାରଣ କରିଛନ୍ତି ତାଙ୍କର ନାଟକ ଓ ଗଳ୍ପଗୁଡ଼ିକରେ ନିଷ୍କପଟ ଭାବରେ। ‘ବିଷଣ୍ଣ ପୃଥିବୀ’, ‘ଅନ୍ତିମ ପର୍ବ’, ‘ଯଯାତି ଯନ୍ତ୍ରଣା’, ‘ଅଂଗାର’ ପ୍ରଭୃତି ତାଙ୍କର ନାଟକଗୁଡ଼ିକରେ ଦର୍ଶକ ଓ ପାଠକ ଏହି ସତ୍ୟକୁ ସାମ୍ନା କରେ। ଏଥିପାଇଁ ନାଟ୍ୟକାର କେତେବେଳେ ମିଥ୍ ପୁଣି କେତେବେଳ ପ୍ରତୀକ ବା ଆଲିଗୋରୀର ଆଶ୍ରୟ ନେଇଛନ୍ତି। ପ୍ରାୟତଃ ତିରିଶଟି ନାଟକର ସେ ସ୍ରଷ୍ଟା। ଅନେକ ଗଳ୍ପ ମଧ୍ୟ ରଚନା କରିଯାଇଛନ୍ତି ଶ୍ରୀଯୁକ୍ତ ଦାସ। ୧୯୭୦ ମସିହା ପରବର୍ତ୍ତୀ ଓଡ଼ିଆ ନାଟକକୁ ତାଙ୍କ ଲେଖନୀର ଜୟଯାତ୍ରା ସମୃଦ୍ଧ କରିଛି। ତାଙ୍କର ନାଟକଗୁଡ଼ିକ ତେଣୁ ସମୟାତୀତ ହେବାର ଗୌରବ ଅର୍ଜନ କରିଛି। ତାଙ୍କର ଅମର ଆତ୍ମା ଉଦ୍ଦେଶ୍ୟରେ ଜଣାଉଛି ପ୍ରଣତି ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
ମୋ: ୮୯୧୭୩୨୦୩୬୨