କେନ୍ଦ୍ର ସରକାର ଅନୁମତି ଦେଲେ ପାକିସ୍ତାନ ଯିବ ଭାରତୀୟ କ୍ରିକେଟ ଟିମ୍‌

ନୂଆଦିଲ୍ଳୀ: କ୍ରିକେଟ ଖେଳିବାକୁ ପାକିସ୍ତାନ ଯାଇପାରେ ଭାରତୀୟ କ୍ରିକେଟ ଟିମ । ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇପାରେ । ଏଥିପାଇଁ କେବଳ ଗୋଟିଏ ସର୍ତ୍ତ ରଖିଛି ବିସିସିଆଇ । ଯଦି କେନ୍ଦ୍ର ସରକାର ଯିବାକୁ ଅନୁମତି ଦେବ ତେବେ ଭାରତୀୟ ଟିମ ପାକିସ୍ତାନ ଯିବ ବୋଲି କହିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା । ୨୦୨୫ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳାଯିବାର ଅଛି । ୫୦ ଓଭର ବିଶିଷ୍ଟ ଏହି ଟୁର୍ଣ୍ଣାମେଂଟରେ ଆୟୋଜକ ଦେଶ ସହ ବିଶ୍ୱର ଶ୍ରେଷ୍ଠ ୮ ଦଳ ଖେଳିବେ । ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଥିବାରୁ ୨୦୦୮ ପରେ ଭାରତୀ ଟିମ ପାକିସ୍ତାନ ଯାଇନାହିଁ । ଶେଷ ଥର ପାଇଁ ଦୁଇ ଦେଶ ମଧ୍ୟରେ ୨୦୧୨-୨୦୧୩ରେ ଦିପାକ୍ଷିକ ସିରିଜ ଖେଳାଯାଇଥିଲା ।

ଗତ ବର୍ଷ ପାକିସ୍ତାନ ଏସିଆ କପର ଆୟୋଜନ କରିଥିବା ବେଳେ ଭାରତ କିନ୍ତୁ ପାକିସ୍ତାନ ଯାଇନଥିଲା । ଏଥିପାଇଁ ହାଇବ୍ରିଡ ମଡେଲ ପ୍ରସ୍ତୁତ କରାଯାଇଥିଲା । ଭାରତ ତାର ସବୁ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା । ଭାରତ ନଯିବାକୁ ନେଇ ପାକିସ୍ତାନ ଅଭିଯୋଗ କରିଥିଲା । ତେବେ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ତିନି ଷ୍ଟାଡିୟମ କରାଚି, ଲାହୋର ଏବଂ ରାୱଲପିଣ୍ଡିରେ ଖେଳାଯିବାର ଅଛି । ଯଦି ଭାରତ ଯାଏ ତେବେ କେବଳ ଲାହୋରରେ ଭାରତ ମ୍ୟାଚ ଖେଳିବ ବୋଲି ଇଏସପିଏନ ରିପୋର୍ଟ କରିଛି ।

ସମ୍ବନ୍ଧିତ ଖବର