ଭୁବନେଶ୍ବର : କାଶୀପୁର କଲେରା ମହାମାରୀ ପାଇଁ ସ୍ଥାନୀୟ ପ୍ରଶାସନର ଅପାରଗତା ଓ ଦୂରଦୃଷ୍ଟିହୀନତା ଦାୟୀ। ପୂର୍ବରୁ ଅନେକଥର କଲେରା ମହାମାରୀ ଓ ବ୍ୟାପକ ଜୀବନହାନୀ ବିଷୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଜାଣିଥିଲେ ବି କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଜନସ୍ୱାସ୍ଥ୍ୟ ବିଶେଷକରି ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କୌଣସି ଆନ୍ତରିକ ଚେଷ୍ଟା କରାଯାଇନାହିଁ। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବିଶେଷଜ୍ଞ ଓ ଏମ୍ବିବିଏସ ଡାକ୍ତର ନ ରହିବା, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ଗାଁ ଗାଁକୁ ନଯିବା ମହାମାରୀର କାୟା ବଢ଼ାଇଛି। ପ୍ରଶାସନ ପକ୍ଷରୁ ସିଏସ୍ଆର୍ ଓ ଡିଏମ୍ଏଫ୍ ପାଣ୍ଠିର ସୁବିନିଯୋଗ କରାଯାଇନାହିଁ। ଫଳରେ ବର୍ତ୍ତମାନର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ମନ୍ତ୍ରୀ ଓ ସଚିବମାନେ ପଛୁଆ ବ୍ଲକ୍କୁ ଯାଇ ଲୋକଙ୍କ ସମସ୍ୟା ବୁଝନ୍ତୁ, ଲୋକଙ୍କ ସହ ରୁହନ୍ତୁ ବୋଲି ଯୁବ ଓଡ଼ିଶାର ସଭାପତି ତେଜେଶ୍ବର ପରିଡ଼ା ଦାବି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏକ ବିବୃତିରେ ଶ୍ରୀ ପରିଡ଼ା କହିଛନ୍ତି ଯେ ରାୟଗଡ଼ା ଜିଲ୍ଲାରେ କାମ କରିବା ପାଇଁ ଅଧିକାରୀଙ୍କ ଆନ୍ତରିକତା ନାହିଁ। କାଶୀପୁର, କଲ୍ୟାଣସିଂପୁର, ଚନ୍ଦ୍ରପୁର ଭଳି ବ୍ଲକ୍ ନାମ ଶୁଣିଲେ ବିଭିନ୍ନ ଆଳ ଦେଖାଇ ଅଧିକାରୀ ଲମ୍ବା ଛୁଟିରେ ରହୁଛନ୍ତି। କେବଳ ରାୟଗଡ଼ା ନୁହେଁ, କଲେରା ବ୍ୟାପୁଥିବା କୋରାପୁଟ ଓ ଗଜପତିର ବିଭିନ୍ନ ବ୍ଲକ ଅଞ୍ଚଳକୁ ଦକ୍ଷ ଓ ଆଗ୍ରହୀ ସରକାରୀ ଅଧିକାରୀ ଓ କର୍ମଚାରୀ ପଠାଇବା ସହ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଧ୍ୟାନ ଦେବାକୁ କହିଛନ୍ତି। ଏଥିସହ ରାୟଗଡ଼ା ଜିଲ୍ଲାର ଖଣି, ପାଣି, ଜଙ୍ଗଲ ଜମି, ପ୍ରାକୃତିକ ସମ୍ପଦ, ପାହାଡ଼ ପର୍ବତ, ନିରୀହ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ତଥା ପଛୁଆ ବର୍ଗର ଗରିବ ଲୋକଙ୍କ ଯୋଗୁଁ ପ୍ରତି ବର୍ଷ ଶହଶହ କୋଟି ଟଙ୍କା ଲାଭ କମାଉଥିବା ବଡ଼ ଶିଳ୍ପ ସଂସ୍ଥାମାନେ ଏହି ବିପତ୍ତି ସମୟରେ ଗଲେ କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି।