ଜୟପୁର: ରାଜସ୍ଥାନର ବାରଂରୁ ବିଧାୟକ ଥିବା ପାନଚାନ୍ଦ ମେଘୱାଲ ଆଜି ଇସ୍ତଫା ଦେଇଛନ୍ତି | କଂଗ୍ରେସ ବିଧାୟକ ଜଣକ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିକଟକୁ ପଠାଇଦେଇଛନ୍ତି | ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଦଳିତ ବର୍ଗଙ୍କ ଉପରେ ହେଉଥିବା ଅତ୍ୟାଚାରରେ ସେ ବ୍ୟଥିତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିବା ଇସ୍ତଫା ପତ୍ରରେ ବିଧାୟକ ଲେଖିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୁରିଥିବାବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି | ମୁଁ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି, କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଜ୍ୟର ଦଳିତ ତଥା ବଞ୍ଚିତ ବର୍ଗ ପ୍ରତି କ୍ରମାଗତ ଅତ୍ୟାଚାର ହେବାରେ ଲାଗିଛି | ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଯୋଗୁଁ ମୋର ହୃଦୟକୁ ଗଭୀର ଆଘାତ ଲାଗିଛି | ମୋ ସମାଜ ଆଜି ଯେଉଁ ପ୍ରକାରର ନିର୍ଯାତନାର ସମ୍ମୁଖୀନ ହେଉଛି, ତାହା ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ | ପାନଚାନ୍ଦ ମେଘୱାଲ କହିଛନ୍ତି, “ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି ।
ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥିରୁ ଜଣାପଡୁଛି ଯେ ସମାନତା ଅଧିକାର ଯାହା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଦଳିତଙ୍କ ପାଇଁ ପ୍ରଦାନ କରିଥିଲେ ତାହାକୁ ସୁରକ୍ଷା ଦେବା ପାଇଁ କେହି ନାହାଁନ୍ତି। ଅନେକ ଥର ଯେତେବେଳେ ମୁଁ ବିଧାନସଭାରେ ଏଭଳି ମାମଲା ଉଠାଇଥିଲି, ସେତେବେଳେ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ସେ କହିଛନ୍ତି, “ଯେତେବେଳେ ଆମେ ଆମ ସମାଜର ଅଧିକାରକୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହେବା, ସେତେବେଳେ ଆମର ପଦରେ ରହିବାର କୌଣସି ଅଧିକାର ନାହିଁ। ଏହି ପଦବୀରୁ ମୋର ଇସ୍ତଫା ଗ୍ରହଣ କରନ୍ତୁ’ |