ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ ହାଜିରା ପ୍ଲାଣ୍ଟର ସମ୍ପ୍ରସାରଣ
୬୦ ହଜାର କୋଟି ନିବେଶ ଦେଶରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ: ମୋଦୀ
ଭୁବନେଶ୍ବର : ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ ହାଜିରା ପ୍ଲାଣ୍ଟର ସମ୍ପ୍ରସାରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏହି ସମାବେଶକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇସ୍ପାତ କାରଖାନା ମାଧ୍ୟମରେ କେବଳ ପୁଞ୍ଜି ବିନିଯୋଗ ହେଉନାହିଁ ବରଂ ଅନେକ ନୂତନ ସମ୍ଭାବନା ପାଇଁ ଦ୍ୱାର ବି ଖୋଲୁଛି। ୬୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଗୁଜରାଟ ଏବଂ ଦେଶର ଯୁବକଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ସମ୍ପ୍ରସାରଣ ପରେ ହାଜିରା ଷ୍ଟିଲ ପ୍ଲାଣ୍ଟରେ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ୯ ନିୟୁତ ଟନରୁ ୧୫ ନିୟୁତ ଟନକୁ ବୃଦ୍ଧି ପାଇବ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କମ୍ପାନିର ଉକ୍ତ ସମ୍ପ୍ରସାରଣ ସହିତ ଭାରତକୁ ଏକ ସମ୍ପୂର୍ଣ୍ଣ ନୂଆ ପ୍ରଯୁକ୍ତି ଆସୁଛି ଯାହା ଇଲେକ୍ଟ୍ରିକ୍ ଯାନ, ଅଟୋମୋବାଇଲ୍ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ରରେ ବହୁ ମାତ୍ରାରେ ସାହାଯ୍ୟ କରିବ। ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆର ଏହି ପ୍ରକଳ୍ପ ମେକ୍ ଇନ୍ ଇଣ୍ଡିଆର ଲକ୍ଷ୍ୟରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବା ନେଇ ମୁଁ ନିଶ୍ଚିତ। ଇସ୍ପାତ କ୍ଷେତ୍ରରେ ଏକ ବିକଶିତ ଭାରତ ତଥା ଆତ୍ମନିର୍ଭରଶୀଳ ଭାରତ ପାଇଁ ଏହା ଆମର ପ୍ରୟାସକୁ ନୂତନ ଶକ୍ତି ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦେଶର ଇସ୍ପାତ ଶିଳ୍ପରେ ବିକାଶ ପାଇଁ ଅପାର ସମ୍ଭାବନା ଅଛି। ଏହି ଶିଳ୍ପକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ପ୍ରଧାନମନ୍ତ୍ରୀ ତାଲିକାଭୁକ୍ତ କରିଛନ୍ତି। ସେ କହିଛନ୍ତି ଯେ ପିଏଲଆଇ ଯୋଜନା ଏହାର ଅଭିବୃଦ୍ଧିର ନୂଆ ରାସ୍ତା ସୃଷ୍ଟି କରିଛି। ଦେଶ ବର୍ତ୍ତମାନ ଅଶୋଧିତ ଇସ୍ପାତର ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ସ୍ଥିର କରିଛି। ଆମେ ବର୍ତ୍ତମାନ ୧୫୪ ନିୟୁତ ଟନ ଅଶୋଧିତ ଇସ୍ପାତ ଉତ୍ପାଦନ କରୁଛୁ। ଆଗାମୀ ୯-୧୦ ବର୍ଷ ମଧ୍ୟରେ ୩୦୦ ନିୟୁତ ଉତ୍ପାଦନ କ୍ଷମତା ହାସଲ ଲକ୍ଷ ରହିଛି।
ଗୋଟିଏ ପଟେ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତାକୁ ଭାରତ ବିସ୍ତାର କରୁଛି ଏବଂ ଅନ୍ୟ ପଟେ ଏହା ପରିବେଶ ଅନୁକୂଳ ପ୍ରଯୁକ୍ତିର ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଭାରତ ଏପରି ଉତ୍ପାଦନ ପ୍ରଯୁକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରୁଛି ଯାହା କେବଳ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରେ ନାହିଁ ବରଂ ଅଙ୍ଗାରକାମ୍ଳକୁ ପୁନର୍ବାର ବ୍ୟବହାର କରିଥାଏ। କମ୍ପାନିର ହାଜିରା ପ୍ରକଳ୍ପ ସବୁଜ ପ୍ରଯୁକ୍ତିର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି।