ଭୁବନେଶ୍ବର: ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍ଡବ୍ଲୁଏସ୍ଏସ୍) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଗିରଫ ଘଟଣାରେ ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସ ନିଜର ବୟାନ ରଖିଛନ୍ତି। ସେ କହିଛନ୍ତି ଯେ, ୩. ୯୬ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ଅର୍ଥାତ ଶ୍ରୀ ଦାସଙ୍କର ଆୟ ଠାରୁ ୨୭୫ ପ୍ରତିଶତ ଅଧିକ ସମ୍ପତ୍ତି ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟଯନ୍ତ୍ରୀ ଶ୍ରୀ ଦାସଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ। ସଂପୃକ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ତଦନ୍ତର ପରିସରଭୁକ୍ତ କରାଯାଇଛି। ଅନୈତିକ ଭାବେ କ୍ରିପ୍ଟୋ କରେନ୍ସିର ଲିଙ୍କ ରହିଛି। ଟିଏଲ୍ସି ଅଲ୍ଟିମାର ୩୮ ଟି ୱାଲେଟରୁ ମିଳିଛି ୧.୭୫ କୋଟି ଟଙ୍କା। ଟିଏଲ୍ସି ଅଲ୍ଟିମା ହେଉଛି ଏକ ବ୍ରିଟେନ୍ର କମ୍ପାନି। ଏଥିରେ ଅଧିକ ବିଦେଶୀ ହାତ ଥିବା ସୁରାଗ ମିଳୁଛି। ନିହାରଙ୍କ ସମସ୍ତ ବ୍ୟାଙ୍କକୁ ସମସ୍ତ ଆକାଉଣ୍ଟ ସିଜ୍ କରିବାକୁ ଚିଠି ଲେଖାଯାଇଛି।
ସୂଚନାଯୋଗ୍ୟ, ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଟଙ୍କା ଲୋଭୀ ଇଞ୍ଜିନିୟର ଆଜି ଗିରଫ ହୋଇଛନ୍ତି। ସେ କ୍ରିଫ୍ଟୋ କରେନ୍ସିରେ ଅର୍ଥ ନିବେଶ କରିଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି। ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ୬ଟି ସ୍ଥାନ (ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼)ରେ ଚଢ଼ଉ କରି ତାଙ୍କ ନାମରେ ଥିବା କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ରାଜଧାନୀରେ ରାଜଉଆସ ପରି ଘର। ସମ୍ବଲପୁର ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏକାଧିକ ପ୍ଲଟ୍ ଓ ପୁଳାପୁଳା ସୁନାଗହଣା। ବିଦେଶ ବଜାରରେ ପୁଞ୍ଜିନିବେଶ। ଜଣେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଏଭଳି ବାଟି ବାଟି ସଂପତ୍ତି ଦେଖି ଭିଜିଲାନ୍ସର ଆଖି ଖୋସି ହୋଇଯାଇଥିଲା।ତାଙ୍କ ଠିକଣାରୁ ଏପର୍ଯ୍ୟନ୍ତ ଜବତ ସମ୍ପତ୍ତିର ମୂଲ୍ୟ ୮ କୋଟିରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ସବୁଠୁ ବଡ଼ କଥା ହେଲା, ଶ୍ରୀ ଦାସ ଆଉ ୨ ଦିନ ପରେ ଚାକିରିରୁ ଅବସର ନେଇଥାଆନ୍ତେ।