ଯାତ୍ରା ସମୟରେ ବିମାନରେ ବାନ୍ତି ଓ ପରିଶ୍ରା କଲେ ନିଶାସକ୍ତ ବ୍ୟକ୍ତି; ମହିଳା କ୍ରୁଙ୍କ ସଫେଇ କାର୍ଯ୍ୟକୁ ପ୍ରଶଂସା କଲେ ଲୋକ
ନୂଆଦିଲ୍ଲୀ: ଅଧିକାଂଶ ସମୟରେ ମଦ୍ୟପ ଯାତ୍ରୀମାନେ ଟ୍ରେନ୍ରେ କିମ୍ବା ବିମାନରେ ଯାତ୍ରା କରୁଥିବା ବେଳେ ବିଭିନ୍ନ ରକମର କାଣ୍ଡ ଘଟାଉଥିବାର ଦୃଶ୍ୟ ଆପଣ ଦେଖିଥିବେ। ଆଗରୁ ସୋସିଆଲ୍ ମିଡିଆରେ ଏପରି ଅନେକ ଫଟୋ, ଭିଡିଓ ଭାଇରାଲ୍ ହୋଇଛି। ନିକଟରେ ଯେଉଁ ଭିଡିଓଟି ଭାଇରାଲ୍ ହୋଇଛି, ସେଥିରେ ଗୌହ୍ବାଟୀରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ନିଶାସକ୍ତ ଯାତ୍ରୀ ବାନ୍ତି ସହ ପରିଶ୍ରା କରୁଥିବାର ଦେଖିବାକୁ ମିଳିଛି। ତେବେ ଭଲ କଥାଟି ହେଉଛି, ବିମାନକୁ ଅନ୍ୟ କିଛି କ୍ରୁଙ୍କ ସହଯୋଗ ନେଇ ସଫାସୁତରା କରି ଶ୍ବେତା ନାମ୍ନୀ ଜଣେ ମହିଳା କ୍ରିୟୁ ପ୍ରଶଂସା ସାଉଁଟିଛନ୍ତି।
ଘଟଣାଟି ମାର୍ଚ ୨୬ ତାରିଖର। ଇଣ୍ଡିଗୋ ବିମାନ ୬ଇ ୭୬୨ରେ ଏପରି ଏକ ଘଟଣା ଘଟିଥିବା ରିପୋର୍ଟ ହସ୍ତଗତ ହୋଇଛି। ତେବେ ମହିଳାମାନେ ମିଳିତ ଭାବେ କରିଥିବା ଏହି ସଫେଇ କାର୍ଯ୍ୟ ବେଳର ଏକ ଫଟୋକୁ ନିଜ ଆକାଉଣ୍ଟ୍ରେ ସେୟାର୍ କରି ପ୍ରଶଂସା କରିଛନ୍ତି ଟ୍ବିଟର୍ ବ୍ୟବହାରକାରୀ ଭାସ୍କର ଦେବ କନୱାର୍। ଯେ ନାରୀ ଶକ୍ତିକୁ ସାଲ୍ୟୁଟ୍ କରିବା ସହ ପୂରା ଘଟଣାକୁ ବ୍ୟାଖ୍ୟା କରିଛନ୍ତି।
Indigo 6E 762 : Guwahati to Delhi.Intoxicated passenger vomited on the aisle and defecated all around the toilet.Leading lady Shewta cleaned up all the mess and all the girls managed the situation exceptionally well.Salute girl power🙏#Indigo #girlpower #DGCA pic.twitter.com/iNelQs48Tc
— Bhaskar Dev Konwar @BD (@bdkonwar) March 26, 2023
ଜଣେ ନିଶାସକ୍ତ ବ୍ୟକ୍ତି ନିଜ ଉପରୁ ନିୟନ୍ତ୍ରଣ ହରାଇବା ପରେ ମହିଳାମାନେ ବିମାନଟିକୁ ସଫା କରିଥିଲେ। ହେଲେ କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଏହା ଆଦୌ ପସନ୍ଦ ଆସିନାହିଁ। ଯେଉଁଭଳି ଭାବେ ସେମାନେ ହାତରେ ଗ୍ଲୋବ୍ସ ଓ ମୁହଁରେ ମାସ୍କ ପିନ୍ଧି ପୂରା ପରିସ୍ଥିତିକୁ ପରିଚାଳନା କରିଛନ୍ତି, ସେଥିପାଇଁ ସେମାନଙ୍କୁ ବିଭିନ୍ନ ମହଲରୁ ବହୁ ଗ୍ରହଣୀୟତା ବି ମିଳିଛି। ଯୁବତୀମାନେ ବିମାନକୁ ସଫା କରିବାକୁ ଟିସୁ ପେପର୍ ସହ ସ୍ପ୍ରେ ବ୍ୟବହାର କରୁଥିବା ଆପଣ ଫଟୋରେ ଦେଖି ପାରୁଥିବେ।