ମସ୍କଙ୍କ ଭାରତ ଗସ୍ତ ଘୁଞ୍ଚିଲା: କଟାକ୍ଷ କଲା କଂଗ୍ରେସ

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ନୂଆଦିଲ୍ଲୀ: ଟେସ୍‌ଲା ତଥା ସ୍ପେସ୍‌ଏକ୍ସ କମ୍ପାନିର ସିଇଓ ଏଲନ୍‌ ମସ୍କଙ୍କ ଭାରତ ଗସ୍ତ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି। ଚଳିତମାସ ୨୧ ଓ ୨୨ ତାରିଖରେ ସେ ଭାରତ ଗସ୍ତରେ ଆସିଥାନ୍ତେ। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସହିତ ମହାକାଶ ପ୍ରଯୁକ୍ତି କ୍ଷେତ୍ରର ଭାରତୀୟ ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏହି ଗସ୍ତକୁ ମସ୍କ ଘୁଞ୍ଚାଇ ଦେଇଛନ୍ତି। ଚଳିତବର୍ଷ ପରବର୍ତ୍ତୀ ସମୟରେ ସେ ଭାରତ ଆସିବେ ବୋଲି କହିଛନ୍ତି। ଟେସ୍‌ଲା କମ୍ପାନିର ଆର୍ଥିକ ଫଳାଫଳ ଆସନ୍ତା ୨୩ ତାରିଖରେ ଘୋଷଣା ହେବ। ବର୍ତ୍ତମାନ ସ୍ଥିତିରେ ଏହି ବୈଠକରେ ସେ ଉପସ୍ଥିତ ରହିବାର ଆବଶ୍ୟକତା ଥିବାରୁ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ମସ୍କ ଘୁଞ୍ଚାଇ ଦେଇଛନ୍ତି। ଭାରତ ଗସ୍ତ ସମୟରେ ମସ୍କ ଭାରତରେ ଟେସ୍‌ଲାର କାରଖାନା ସ୍ଥାପନ ନେଇ ୨୦୦ରୁ ୩୦୦ କୋଟି ଡଲାର ପର୍ଯ୍ୟନ୍ତ ପୁଞ୍ଜିନିବେଶ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ଏଥିସହିତ ସାଟେଲାଇଟ୍‌ ନେଟ୍‌ୱର୍କ ଜରିଆରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପ୍ରଦାନ ଆରମ୍ଭ ପାଇଁ ମସ୍କ କିଛି ଘୋଷଣା କରିବେ ବୋଲି ଅନୁମାନ କରାଯାଉଥିଲା।

ଅନ୍ୟପକ୍ଷରେ ଟେସ୍‌ଲା ସିଇଓ ଏଲନ ମସ୍କ ତାଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖିବା ପରେ ଏହି ପ୍ରସଙ୍ଗରେ ବି‌ରୋଧୀ କଂଗ୍ରେସ ଦଳ ସରକାରଙ୍କୁ କଟାକ୍ଷ କରିଛି। କଂଗ୍ରେସ ସାଧାରଣ ସଂପାଦକ ଜୟରାମ ‌ରମେଶ କହିଛନ୍ତି ଜଣେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ମସ୍କ ଆସିବା ଠିକ୍ ମନେ ନକରି ତାଙ୍କ ଗସ୍ତକୁ ସ୍ଥଗିତ ରଖିଛନ୍ତି। ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟର ନେତା ପ୍ରଧାନମନ୍ତ୍ରୀ ମସ୍କଙ୍କୁ ଶୀଘ୍ର ସ୍ବାଗତ କରିବେ। ଏପରିକି ଇଣ୍ଡିଆ ମେଣ୍ଟ ସରକାର ଦେଶରେ ବିଦ୍ୟୁତ ଯାନ ପ୍ରକଳ୍ପକୁ ଅଧିକ ବେଗରେ ତ୍ବରାନ୍ବିତ କରିବେ ବୋଲି ରମେଶ କହିଛନ୍ତି।

ସମ୍ବନ୍ଧିତ ଖବର