ଭୋଟରଙ୍କ ଆଗ୍ରହ କମୁଛି! ପ୍ରଥମ ପର୍ଯ୍ୟାୟରେ କମ୍‌ ମତଦାନ ଚିନ୍ତା ବଢ଼ାଉଛି

୨୦୧୪ ଓ ୨୦୧୯ ଭଳି ଆଗ୍ରହ ନାହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବାକୁ ‌ଥିବା ବେଳେ ଗତକାଲି ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ଟି ଆସନରେ ଭୋଟ୍‌ ଗ୍ରହଣ ସଂପୂର୍ଣ୍ଣ ହୋଇଛି । ପୂର୍ବ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ମତଦାନ ପ୍ରତିଶତ କମ୍ ରହିଛି। ଏଥର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୩ ପ୍ରତିଶତ ମତଦାନ ହୋଇଛି। ୨୦୧୯ରେ ଏହା ପ୍ରାୟ ୭୦ ପ୍ରତିଶତ ଥିଲା। ସମଗ୍ର ଦେଶରେ ସର୍ବନିମ୍ନ ମତଦାନ ବିହାରରେ ଦେଖିବାକୁ ମିଳିଛି। ବିହାରରେ ମାତ୍ର ୪୭.୫୦ ପ୍ରତିଶତ ମତଦାନ ହୋଇଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଭୋଟରମାନେ କାହିଁକି ମତଦାନ କେନ୍ଦ୍ରରେ ପହଞ୍ଚିଲେ ନାହିଁ? ଭୋଟରଙ୍କ ମଧ୍ୟରେ ୨୦୧୯ ଓ ୨୦୧୪ର ଉତ୍ସାହ ଏଥର ଦେଖିବାକୁ ମିଳିନାହିଁ। ଏହା ବିଜେପି ପାଇଁ ଚିନ୍ତା ବଢାଇପାରେ, କାରଣ ଜାତୀୟ ରାଜନୀତିରେ ମୋଦୀ ଯୁଗ ଆସିବା ପରେ ଭୋଟ ପ୍ରତିଶତ କ୍ରମାଗତ ଭାବେ ବଢ଼ିଥିଲା। । ୨୦୧୪ ଓ ୨୦୧୯ରେ ଭୋଟ୍ ପ୍ରତିଶତ ଭଲ ରହିଥିଲା। ଚଳିତ ନିର୍ବାଚନରେ ବିଜେପି ନିଜ ପାଇଁ ମିସନ ୩୭୦ର ଟାର୍ଗେଟ ରଖିଛି । ଦଳ ସହଜରେ ଏହି ଲକ୍ଷ୍ୟରେ ପହଞ୍ଚିବ ବୋଲି ବିଜେପି ପକ୍ଷରୁ ବାରମ୍ବାର ଦାବି ହେଉଛି। ତେବେ ଭୋଟ୍ ପ୍ରତିଶତ ହ୍ରାସ ପାଇବା ପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି ଯେ ବିଜେପି ନେତାଙ୍କ ଭଳି ବିଜେପି ଭୋଟରମାନେ ଅତ୍ୟଧିକ ଆତ୍ମବିଶ୍ୱାସର ଶିକାର ହୋଇଛନ୍ତି କି? ବିଜେପି ଭୋଟରମାନେ ମତଦାନ କେନ୍ଦ୍ରରେ ପହଞ୍ଚି ନଥିଲେ କି? ତେବେ କେଉଁ ଅଞ୍ଚଳରେ ଭୋଟର୍‌ଙ୍କ ସଂଖ୍ୟା ଅଧିକ ଏବଂ କେଉଁ ଅଞ୍ଚଳରେ କମ୍ ମତଦାନ ହୋଇଛି ସେ ନେଇ କୌଣସି ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ।

ବିଜେପିର ସ୍ଥିତି ସୁଦୃଢ଼ ଥିବା ରାଜ୍ୟ ୟୁପି, ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ଏଥର ଚମକପ୍ରଦ ସଫଳତା ହାସଲ କରିବ ବୋଲି ଲକ୍ଷ୍ୟ ରଖିଛି। ଏହି ରାଜ୍ୟଗୁଡ଼ିକରେ ଭଲ ପ୍ରଦର୍ଶନ କରି ୨୦୧୪ ଏବଂ ୨୦୧୯ର ପ୍ରଦର୍ଶନକୁ ଦୋହରା‌ଇଲେ ହିଁ ଏହା ନିଜ ମିସନରେ ସଫଳ ହୋଇପାରିବ। ତେବେ ମତଦାନ ପ୍ରତିଶତରେ ବଡ଼ ଧରଣର ହ୍ରାସ ପରେ ବିଜେପି ନେତୃତ୍ୱଙ୍କ ସମସ୍ୟା ବଢିପାରେ ବୋଲି କୁହାଯାଉଛି। ଏହି ନିର୍ବାଚନରେ ବିଜେପି ମିସନ ଦକ୍ଷିଣକୁ ନେଇ ବେଶ୍ ସକ୍ରିୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ରାଜ୍ୟଗୁଡ଼ିକରେ ଲଗାତାର ସଭା, ରୋଡ ସୋ କରୁଛନ୍ତି। ୩୭୦ ଟାର୍ଗେଟ ହାସଲ କରିବାକୁ ହେଲେ ବିଜେପିକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ତେବେ ରାଜସ୍ଥାନ, ୟୁପି, ମଧ୍ୟପ୍ରଦେଶ, ବିହାର ଭଳି ରାଜ୍ୟରେ ବିଜେପି ଯେଭଳି ଲହର ସୃଷ୍ଟି କରିବାରେ ସକ୍ଷମ ହେଉଛି ମିସନ ସାଉଥ କ୍ଷେତ୍ରରେ ତାହା ସମ୍ଭବ ହେଉନାହିଁ। ବିହାରରେ ଗତ ଲୋକସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୫୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତ ନିର୍ବାଚନରେ ପ୍ରାୟ ୪୭ ପ୍ରତିଶତ ମତଦାନ ହୋଇଛି। ଉତ୍ତରପ୍ରଦେଶରେ ଏହି ପର୍ଯ୍ୟାୟରେ ଯେଉଁ ଆସନଗୁଡ଼ିକରେ ମତଦାନ ହୋଇଥିଲା ସେଠାରେ ଗତ ନିର୍ବାଚନରେ ପ୍ରାୟ ୬୭ ପ୍ରତିଶତ ମତଦାନ ହୋଇଥିଲା। ଏଥର ସେଠାରେ ୫୭ ପ୍ରତିଶତ ମତଦାନ ହୋଇଛି। ମଧ୍ୟପ୍ରଦେଶରେ ଗତ ନିର୍ବାଚନରେ ୭୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମାତ୍ର ୬୩ ପ୍ରତିଶତ ମତଦାନ ହୋଇଛି ।

ସମ୍ବନ୍ଧିତ ଖବର