ରେଳ ବଜେଟରେ ରାୟଗଡ଼ା ଡିଭିଜନ୍ ନିରାଶ : ନୂଆ ପାଇଁ କୁନ୍ଥେଇଲେ, ପୁରୁଣା ଲାଗି ଅଜାଡ଼ିଲେ

ରାୟଗଡ଼ା : ନୂଆ ରେଳ ଡିଭିଜନ୍ ମାନ୍ୟତା ପାଇଥିବା ରାୟଗଡ଼ାକୁ ୨୦୨୦ ରେଳ ବଜେଟ୍‌ ନିରାଶ କରିଛି। ଡିଭିଜନ୍ ଅଧୀନରେ ପ୍ରସ୍ତାବିତ ନୂଆ ରେଳ ଲାଇନ୍ ପାଇଁ ଅନୁଦାନ ଦେବାକୁ ବିଭାଗ କୁନ୍ଥକୁନ୍ଥ ହୋଇଥିବା ବେଳେ ପୁରୁଣାର ଦୋହରୀକରଣ ପାଇଁ ଅନୁଦାନ ଅଜାଡ଼ି ଦେଇଛି। କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରାକରଣ ଲାଗି ବିଭାଗ ୨୦୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛି। ଦୀର୍ଘ ଦିନର ଦାବି ନୌପଡ଼ା-ଗୁଣପୁର-ଥେରୁବାଲି ରେଳପଥକୁ ବିଭାଗ ପୁଣି ଥରେ ଝୁଲାଇ ରଖି ପୂର୍ବ ବର୍ଷ ଭଳି ଲକ୍ଷେ ଟଙ୍କାର ଅନୁଦାନ ଦେଇଛି। ସେହିପରି ମାଲକାନଗିରି ଓ ନବରଂଗପୁର ରେଳପଥ ପାଇଁ କେନ୍ଦ୍ର ଘୋଷଣା କରିଥିବା ଅର୍ଥ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି।

ଶିଳ୍ପ ସମୃଦ୍ଧ ଅବିଭକ୍ତ କୋରାପୁଟ ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ୨୦୧୯ ଜୁଲାଇ ମାସରେ ରାୟଗଡ଼ାକୁ ନୂଆ ରେଳ ଡିଭିଜନର ମାନ୍ୟତା ଦେଇଥିଲେ କେନ୍ଦ୍ର ସରକାର। ପୂର୍ବରୁ ଏହା ବିଶାଖାପାଟଣା ସ୍ଥିତ ୱାଲଟିୟର୍ ଡିଭିଜନ୍ ଅଧୀନରେ ଥିଲା। ରାୟଗଡ଼ା, କୋରାପୁଟକୁ ଛାଡ଼ିଲେ ଅନ୍ୟ ଦୁଇ ଜିଲ୍ଲା ମାଲକାନଗିରି, ନବରଂଗପୁର ଜିଲ୍ଲାକୁ ରେଳପଥ ସଂଯୋଗ ହୋଇନଥିବାରୁ ୨୦୧୬ ରେଳ ବଜେଟରେ ସରକାର ଏହି ଦୁଇ ରେଳପଥ ଲାଗି ସବୁଜ ସଂକେତ ଦେଇଥିଲେ। ଏଥି ସହିତ ୨୦୧୭-୧୮ ରେଳ ବଜେଟରେ ନୌପଡ଼ା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ କରି ୯୩୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ହେଲେ ପରବର୍ତୀ ସମୟରେ ଏହି ରେଳପଥ ଦ୍ବାରା ଭବିଷ୍ୟତରେ ରେଳ ବିଭାଗ ଲାଭବାନ ନ ହେବା ଦର୍ଶାଇ ଅନୁଦାନ ଦେଉନି। ୨୦୧୮-୧୯ ବଜେଟରେ ଗୁଣପୁର-ଥେରୁବାଲି ପ୍ରକଳ୍ପକୁ ଟଙ୍କାଟିଏ ଅନୁଦାନ ମିଳିନଥିବା ବେଳେ ବିଗତ ଦୁଇ ଆର୍ଥିକ ବର୍ଷରେ ମିଳିଛି ମାତ୍ର ୨ ଲକ୍ଷ ଟଙ୍କା। ଦୀର୍ଘ ୪୯ ବର୍ଷର ଦାବିକୁ କେନ୍ଦ୍ର ସରକାର ଲାଭବାନ୍ ନଥିବା ଦର୍ଶାଇ ଅଣଦେଖା କରୁଥିବାରୁ ଥେରୁବାଲି-ଗୁଣପୁର ରେଳ ପ୍ରକଳ୍ପର ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯିବା ସହ ଶିଳ୍ପ କରିଡର୍ ସ୍ବପ୍ନ ମଉଳିବାରେ ଲାଗିଛି। ୧୯୭୨ରେ ସର୍ଭେ ଆରମ୍ଭ ହୋଇ ୨୦୧୪ ମସିହାରେ ଶେଷ ହେବା ପରେ ୭୯ କିମି ରେଳପଥର ରେଟ୍ ଅଫ୍ ରିଟର୍ଣ୍ଣ ୧୩.୫ ଥିଲା। କିନ୍ତୁ ଡିପିଆର ପ୍ରସ୍ତୁତ ସତ୍ତ୍ବେ ଗତ ୫ଟି ରେଳ ବଜେଟରେ ଏହି ପ୍ରକଳ୍ପକୁ ସବୁଜ ସଂକେତ ମିଳିପାରୁନି। ମାଲକାନଗିରି ଓ ନବରଂଗପୁର ରେଳପଥ ସ୍ଥିତି ମଧ୍ୟ ସମାନ। ଦିନକୁ ଦିନ ଏହି ଦୁଇ ରେଳପଥର ଯୋଜନା ଆକାର ବଢ଼ି ଚାଲିଥିବା ବେଳେ ଚଳିତ ରେଳ ବଜେଟରେ ବିଭାଗ ମାଲକାନଗିରି ପାଇଁ ୩୩ କୋଟି ଏବଂ ନବରଂଗପୁର ପାଇଁ ୨୦ କୋଟିର ଅନୁଦାନ ଦେଇଛି। ତେବେ କୋରାପୁଟ-ସିଙ୍ଗାପୁର ରେଳପଥର ଦୋହରୀକରଣ ପାଇଁ ବିଭାଗ ୨୦୧ କୋଟି ଟଙ୍କା ଘୋଷଣା କରିଛି। ପାହାଡ଼ ପର୍ବତ ଘେରା ଏହି ରେଳପଥର ନିର୍ମାଣ ୧୯୯୮ ମସିହାରେ ଶେଷ ହୋଇଥିବା ବେଳେ ଆଜି ଯାଏଁ ଗୋଟିଏ ଲାଇନରେ ହିଁ ରେଳ ଚଳାଚଳ କରୁଛି। ନିର୍ମାଣର ୨୦ ବର୍ଷ ପରେ ଅର୍ଥାତ୍ ୨୦୧୮ରେ ଏହି ଲାଇନକୁ ବିଦ୍ୟୁତକରଣ କରାଯିବା ପରେ ଏବେ ଦୋହରୀକରଣ ପାଇଁ ବିଭାଗର ଶୁଭ ଦୃଷ୍ଟି ପଡ଼ିଛି।

ବିଶାଖାପାଟଣା-କିରୁଣ୍ଡୋଲ୍, ସମ୍ବଲପୁର- କୋରାପୁଟ, ରାୟଗଡ଼ା- ଝାରସୁଗୁଡ଼ା ଏବଂ ଥେରୁବାଲିଠୁ ଆରମ୍ଭ କରି କେନ୍ଦୁଝର ଶିଳ୍ପ କରିଡର୍ ସହ ସଂଯୋଗ ହୋଇଛି ଏହି ରେଳପଥ। ଯେଉଁଥିପାଇଁ ନବରତ୍ନ କଂପାନି ନାଲକୋ, ଉତ୍କଳ ଆଲୁମିନା ଇଣ୍ଟର ନ୍ୟାସନାଲ୍, ଇମ୍ଫା ଫେରୋକ୍ରୋମ କାରଖାନା, ଜେକେ କାଗଜକଳ, ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟ୍, କିରୋଣ୍ଡୋଲରୁ ଲୁହାପଥର ଖଣି, ଝାରସୁଗୁଡ଼ା ବେଦାନ୍ତ କଂପାନିରୁ ବକ୍ସାଇଟ୍, ଆଲୁମିନୟମ୍, ସମ୍ବଲପୁର ମହାନଦୀ କୋଲଫିଲଡ୍ ସମେତ ବହୁ ଖଣି ଓ ଶିଳ୍ପ ସଂସ୍ଥାର ମାଲ ପରିବହନ ହୋଇ ପାରୁଛି। ବିନା ଦ୍ବିଧାରେ ଏହି ରେଳପଥ ଦେଇ ଦୈନିକ ୩୦ରୁ ଊର୍ଧ୍ବ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି। ଯାହାର ରାଜସ୍ବ ବାବଦକୁ କେନ୍ଦ୍ର ସରକାର ମାସିକ ଆଦାୟ କରୁଛନ୍ତି କୋଟି କୋଟି ଟଙ୍କା। ଏହି କାରଣରୁ ରେଳ ବିଭାଗ ଏହି ରେଳପଥର ଦୋହରାକରଣ ଚାହୁଁଛି।

କିନ୍ତୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ପର୍ଯ୍ୟନ୍ତ ଟିକିରି କିମ୍ବା କୋରାପୁଟରେ ଲଗେଜ୍ ବୁକିଂ ବ୍ୟବସ୍ଥାର ସୁବିଧା କରିନି ରେଳ ବିଭାଗ। କେଆର୍ ଲାଇନର ପ୍ରମୁଖ ଷ୍ଟେସନ ମଧ୍ୟରେ ଥିବା କେଉଟଗୁଡ଼ା, ଭାଲୁମାସ୍କା, ଟିକିରି, ଲକ୍ଷ୍ମୀପୁର ଭଳି ଅନେକ ଷ୍ଟେସନରେ ଆବଶ୍ୟକ ପ୍ଲାଟର୍ଫମ ନଥିବାରୁ ଯାତ୍ରୀ ରେଳ ଧାରଣା ଦେଇ ଯାତାୟାତ କରୁନାହାନ୍ତି। ସେହିପରି ଫୁଟ୍ ଓଭରବ୍ରିଜ୍ ସମେତ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ମଧ୍ୟ ଷ୍ଟେସନଗୁଡ଼ିକରେ ନାହିଁ। ରାୟଗଡ଼ା ଷ୍ଟେସନକୁ ଛାଡ଼ିଦେଲେ କୋରାପୁଟ ପର୍ଯ୍ୟନ୍ତ ଥିବା ଅନ୍ୟ ସମସ୍ତ ଷ୍ଟେସନ ଅବହେଳିତ ଅବସ୍ଥାରେ। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ବିକାଶ‌ରେ ରେଳପଥ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉ ଥିବାରୁ କେନ୍ଦ୍ର ସରକାର ରେଳ ବଜେଟରେ ଏହି ଜିଲ୍ଲା ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର