ନୂଆଦିଲ୍ଲୀ: ଭାରତର ଆତଙ୍କବାଦ ବିରୋଧ ଲଢ଼େଇରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବା ତୁର୍କୀ ଓ ଅଜରବୈଜାନ ପ୍ରତି ଭାରତୀୟମାନେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏହି ଦୁଇ ଦେଶକୁ ଯିବାକୁ ସେମାନେ ଚାହୁନାହାନ୍ତି। ସେଥିପାଇଁ ତୁର୍କୀ ଓ ଅଜରବୈଜାନକୁ ହେଉଥିବା ଭିସା ଆବେଦନରେ ୪୨ ପ୍ରତିଶତ ହ୍ରାସ ଘଟିଛି। ଭାରତୀୟ ପର୍ଯ୍ୟଟକମାନେ ଏହି ଦୁଇ ଦେଶକୁ ଏଡ଼ାଇ ଏବେ ଥାଇଲ୍ୟାଣ୍ଡ ଓ ଭିଏତ୍‌ନାମ ବୁଲିଯିବାକୁ ଅଧିକ ପସନ୍ଦ କରୁଛନ୍ତି। 

Advertisment

ଭିସା ପ୍ରକ୍ରିୟାକରଣ ସେବା ପ୍ରଦାନ କରୁଥିବା ପ୍ଲାଟ୍‌ଫର୍ମ ଏଟ୍‌ଲିସ୍ ଅନୁସାରେ ଗତ ୩୬ ଘଣ୍ଟା ମଧ୍ୟରେ ୬୦ ପ୍ରତିଶତ ଭାରତୀୟ ଏହି ଦୁଇ ଦେଶ ପାଇଁ କରିଥିବା ଭିସା ଆବେଦନକୁ ଅଧାରେ ଛାଡ଼ି ଦେଇଛନ୍ତି। ଦିଲ୍ଲୀ ଓ ମୁମ୍ବାଇରୁ ତୁର୍କୀ ଯିବା ଲାଗି ଆବେଦନ ୫୩ ପ୍ରତିଶତ କମିଛି। ଇନ୍ଦୋର ଓ ଜୟପୁର ଭଳି ଛୋଟ ସହରରୁ ଆବେଦନ ମଧ୍ୟ ୨୦ ପ୍ରତିଶତ କମିଛି। ଅପରେସନ ସିନ୍ଦୂର ପରେ ବହୁ ସଂଖ୍ୟାରେ ଭାରତୀୟ ସେମାନଙ୍କ ତୁର୍କୀ ଓ ଅଜରବୈଜାନ ବୁକିଂକୁ ବାତିଲ କରିଥିଲେ। 

ଏଟ୍‌ଲିସ୍ ତଥ୍ୟ ଅନୁସାରେ ୨୫ରୁ ୩୪ ବର୍ଷ ବୟସର ୭୦ ପ୍ରତିଶତ ଯୁବକଯୁବତୀ ତୁର୍କୀ ଓ ଅଜରବୈଜାନକୁ ବୟକଟ୍ କରିଛନ୍ତି। ଦଳଗତ ଭାବେ ଯାତ୍ରା କରୁଥିବା ଆବେଦନ ୪୯ ପ୍ରତିଶତ ଏବଂ ଦମ୍ପତି ପରିଭ୍ରମଣ ଆବେଦନ ୨୭ ପ୍ରତିଶତ କମ୍ ହୋଇଛି। ଗୋଟିଏ ପଟେ ଏହି ଦୁଇ ଦେଶ ପାଇଁ ହେଉଥିବା ଭିସା ଆବେଦନ କମ୍ ହୋଇଥିବା ବେଳେ ଭିଏତନାମ୍, ଇଣ୍ଡୋନେସିଆ ପାଇଁ ଆବେଦନ ୩୧ ପ୍ରତିଶତ ବଢ଼ିଛି। ପୁରୁଣାଙ୍କ ତୁଳନାରେ ୨.୩ ଗୁଣା ଅଧିକ ମହିଳା ଏହି ଦୁଇ ଦେଶ ପାଇଁ ଭିସା ଆବେଦନ କରୁଛନ୍ତି।