ବହୁଚର୍ଚ୍ଚିତ କୋପାରଡ଼ି ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୩ ଦୁଷ୍କର୍ମକାରୀ ପାଇଲେ ଫାଶୀ ଦଣ୍ଡାଦେଶ

ଅହମ୍ମଦନଗର: ବହୁଚର୍ଚ୍ଚିତ କୋପାରଡ଼ି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ସେସନସ୍‌ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଘଟଣାରେ ସଂପୃକ୍ତ ତିନିଜଣ ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଫାଶୀ ଦଣ୍ଡାଦେଶ ପାଇଥିବା ଏହି ତିନି ଦୁଷ୍କର୍ମକାରୀ ଗତ ୨୦୧୬ରେ ମହାରାଷ୍ଟ୍ରର କୋପାରଡ଼ି ଗ୍ରାମରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅତ୍ୟନ୍ତ ଜଘନ୍ୟ ଭାବେ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିଲେ।

ସେସନ୍‌ସ କୋର୍ଟର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ସୁବର୍ଣ୍ଣ କେଭ୍‌ଲେ, ଏହି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଘଟଣାରେ ସଂପୃକ୍ତ ତିନି ଅଭିଯୁକ୍ତ ଗଣଦୁଷ୍କର୍ମକାରୀ ଜିତେନ୍ଦ୍ର ବାବୁଲାଲ ସିନ୍ଧେ, ସନ୍ତୋଷ ଗୋରଖ ଭାଓ୍ଵଲ ଓ ନୀତିନ୍‌ ଗୋପୀନାଥ ଭାଇଲୁମେଙ୍କୁ ଗତ ନଭେମ୍ବର ୧୮ ତାରିଖରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ପରବର୍ତ୍ତୀ ସମୟରେ ଆଜି ସଂପୃକ୍ତ ଦୁଷ୍କର୍ମକାରୀଙ୍କ ବିରୋଧରେ ଦଣ୍ଡବିଧାନ କରି ଏମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୨୦୧୬ ଜୁଲାଇ ୧୩ ତାରିଖରେ ମହାରାଷ୍ଟ୍ରର କୋପାରଡ଼ି ଗ୍ରାମରେ ଜନୈକା ୧୫ ବର୍ଷୀୟା ନାବାଳିକାଙ୍କୁ ଜଘନ୍ୟ ଭାବେ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗଣଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ସଂପୃକ୍ତା ନାବାଳିକା ଜଣକ ମରାଠା ସଂପ୍ରଦାୟର ହୋଇଥିବା କାରଣରୁ ଏହି ଘଟଣାକୁ କେନ୍ଦ୍ର କରି ସମଗ୍ର ମହାରାଷ୍ଟ୍ରରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଏହି ଘଟଣାର ତଦନ୍ତ କରି ଅହମ୍ମଦନଗର ପୁଲିସ୍‌ ଘଟଣାରେ ସଂପୃକ୍ତ ଜିତେନ୍ଦ୍ର ବାବୁଲାଲ ସିନ୍ଧେ, ସନ୍ତୋଷ ଗୋରଖ ଭାଓ୍ଵଲ ଓ ନୀତିନ୍‌ ଗୋପୀନାଥ ଭାଇଲୁମେଙ୍କୁ ଗିରଫ କରିବା ସହ ଗତ ଅକ୍ଟୋବର ୭ ତାରଖରେ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ବିଭିନ୍ନ ଦଫାରେ ୩୫୦ ପୃଷ୍ଠାର ଏକ ଚାର୍ଜସିଟ୍‌ କୋର୍ଟରେ ଉପସ୍ଥାପିତ କରିଥିଲେ।

ସମ୍ବନ୍ଧିତ ଖବର