ରାସ୍ତାକଡ଼ରେ ପରିବା ବିକ୍ରି ବନ୍ଦ ନେଇ ବିକ୍ରେତାଙ୍କ ପ୍ରତିବାଦ 

ହାବେଳୀ ପଡ଼ିଆରେ ପରିବା ବଜାର ଘୁଂଚାଇବାକୁ ପ୍ରଶାସନର ପ୍ରତିଶ୍ରୁତି

ଖୋର୍ଦ୍ଧା,: ଖୋର୍ଦ୍ଧା ସହରରେ ରାସ୍ତାର ଉଭୟ କଡ଼ରେ ପରିବା ଦୋକାନୀ ପରିବା ବିକ୍ରି କରୁଥିଲେ । ବର୍ତମାନ ପୌର ପ୍ରଶାସନ ଏହାକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛି । ଏହାକୁ ନେଇ ପରିବା ଦୋକାନୀମାନେ ପ୍ରତିବାଦ ପରେ ସ୍ଥାୟୀ ଭାବେ ହାବେଳୀ ପଡ଼ିଆରେ ପରିବା ବଜାର ବସାଇବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ଖୋର୍ଦ୍ଧା ସହରରେ ଷ୍ଟେଟ୍ ବ୍ୟାଙ୍କ ଛକ ଠାରେ ପରିବା ବଜାର ରହିଥିଲା । ତେବେ ଜନସଂଖ୍ୟା ସହ ବ୍ୟବସାୟୀଙ୍କ ସଂଖ୍ୟା ବୃଦ୍ଧି ଘଟିବାରୁ ସେଠାରେ ସ୍ଥାନାଭାବ ଘଟିଥିଲା । ଫଳରେ ଗତ କିଛି ବର୍ଷ ଧରି ପରିବା ବ୍ୟବସାୟୀମାନେ ନୂଆବସଷ୍ଟାଣ୍ଡ ଠାରୁ ଷ୍ଟେଟ୍ ବ୍ୟାଙ୍କ ଛକ ମଧ୍ୟ ରାସ୍ତାର ଉଭୟ କଡ଼ରେ ଅସ୍ଥାୟୀ ଭାବେ ବସି ପରିବା ବିକ୍ରି କରୁଥିଲେ ।

ସେମାନଙ୍କ ମଧ୍ୟରୁ କେତେକ ଜବରଦଖଲ କରି ସ୍ଥାୟୀ ଭାବେ ଦୋକାନ କରିବା ଆରମ୍ଭ କରିଥିଲେ । ଏଭଳି ଜବରଦଖଲକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ରାସ୍ତାକଡ଼ରେ ପରିବା ବିକ୍ରି ଉପରେ ବାରଣ କରିଛି ।

ପରିବା ବ୍ୟବସାୟୀ ବାସୁଦେବ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସମୟରେ ରାସ୍ତାକଡ଼ରେ ପରିବା ବିକ୍ରି କରିବାକୁ ବାରଣ କରାଯାଇଥିଲା । ଏହା ସହ ଷ୍ଟେଟ୍ ବ୍ୟାଙ୍କ ଛକ ପରିବା ବଜାର ମଧ୍ୟ ବନ୍ଦ କରାଯାଇ ହାବେଳୀ ପଡ଼ିଆକୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତମାନ କଟକଣା ଉଠିଯିବା ପରେ ପୁଣି ଷ୍ଟେଟ୍ ବ୍ୟାଙ୍କ ଛକର ପରିବା ବଜାର ଆରମ୍ଭ ହୋଇଛି ।

ହାବେଳୀ ପଡ଼ିଆରେ ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନଙ୍କ ନିକଟରୁ ଗ୍ରାହକ ଆସିଲେ ନାହିଁ । ଫଳରେ ଅନେକ କ୍ଷତି ସହିଲେ । ବର୍ତମାନ ପୁଣି ସେମାନେ ରାସ୍ତାକଡ଼ରେ ପରିବା ବିକ୍ରି କରିବା ଆରମ୍ଭ କରିଛନ୍ତି । ତେବେ ପୌର ପରିଷଦ ସେମାନଙ୍କୁ ପରିବା ବିକ୍ରି କରିବା ଉପରେ କଟକଣା ଲଗାଇଛି ।

ପୌର ପ୍ରଶାସନର ବାରଣ ପରେ ଆଜି ରାସ୍ତାକଡ଼ରେ ପରିବା ବିକ୍ରି କରୁଥିବା ପରିବା ବ୍ୟବସାୟୀ ନିଜର ବ୍ୟବସାୟ ବନ୍ଦ କରିବା ସହ ଧାରଣାରେ ବସିଥିଲେ । ଏହାପରେ ଏପ ପ୍ରତିନିଧି ଦଳ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତରେ ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥି ଉପସ୍ଥିତ ଥିଲେ । ଆଲୋଚନାରେ ପୌର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ପରିବା ବଜାର ମଧ୍ୟରେ ଥିବା ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ହାବେଳୀ ପଡ଼ିଆକୁ ଖୁବ୍ଶୀଘ୍ର ସ୍ଥାନାନ୍ତରିତ ହେବ । ଏହା ସହ ପରିବା ବ୍ୟବସାୟୀ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଯଦି ସମସ୍ତ ବ୍ୟବସାୟୀ ହାବେଳୀ ପଡ଼ିଆକୁ ଯିବେ ତେବେ ସେମାନେ ଯିବାରେ କୌଣସି ଆପତ୍ତି ନାହିଁ ।

ସମ୍ବନ୍ଧିତ ଖବର