ଗୁଳି ମାରି ଟଙ୍କା ଲୁଟ ମାମଲା, ୩ ଗିରଫ

ଖୋର୍ଦ୍ଧା/ବେଗୁନିଆ: ଗତ ୨୯ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ବାଘମାରୀ ବଜାର ନିକଟରେ ଜନୈକ ବ୍ୟବସାୟୀ ମନମୋହନ ସାମନ୍ତରାୟଙ୍କୁ ଗୁଳିମାଡ଼ କରି ୭୦ହଜାର ଟଙ୍କା ଲୁଟ କରି ନେଇଥିବା ଘଟଣାରେ ଆଜି ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପୋଡ଼ାଡିହର କମଳ ମଙ୍ଗରାଜ ଓରଫ ପପୁ, କୁମ୍ବୀଲୋର ଜୀବନ ସୁନ୍ଦରାୟ ଓରଫ ଦିପୁ ଓ ବରୁଣ ସାମନ୍ତରାୟ ଓରଫ ବୁବୁ । ସେମାନଙ୍କ ନିକଟରୁ ୭ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜୀବନ ଓରଫ ଦିପୁ ମନମୋହନଙ୍କ ଠାରୁ ଟଙ୍କା ଲୁଟିବାକୁ ଯୋଜନା କରି ଅନ୍ୟମାନଙ୍କୁ ଏକାଠି କରିଥିଲେ ।

ସେହିଭଳି ଏହି ଅପରାଧରେ ସମ୍ପୃକ୍ତ ଥିବା ପପୁ ମଙ୍ଗରାଜ ବିରୋଧରେ ଖୋର୍ଦ୍ଧାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ତେବେ ଲୁଟ ଦିନ ଯେଉଁ ଆସାମୀ ଜଣକ ମନମୋହନଙ୍କ ଉପରେ ଗୁଳି ମାଡ଼ କରିଥିଲା ସେ ଓ ଅନ୍ୟ ୪ ଜଣ ଫେରାର୍ ଅଛନ୍ତି । ସେମାନଙ୍କ ଚିହ୍ନଟ ହୋଇସାରିଛି, ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଏସପି ରାଜକିଶୋର ଦୋରା କହିଛନ୍ତି । ସୂଚନାଯୋଗ୍ୟ, ୨୯ ତାରିଖ ରାତିରେ ମନମୋହନ ନିଜର ଦୋକାନ ବନ୍ଦ କରି ଏକ ଟିଭିଏସ୍ ମୋପେଡରେ ସୁନ୍ଦରାସାହିସ୍ଥ ନିଜ ଘରକୁ ଫେରୁଥିଲେ ।

ଏହି ସମୟରେ ରାଜସ୍ୱ କାର୍ଯ୍ୟାଳୟ ନିକଟ ଛକରେ ୭ଜଣ ଯୁବକ ତାଙ୍କୁ ଅଟକାଇବା ସହ ତାଙ୍କ ଗୋଡ଼କୁ ଗୁଳିମାଡ଼ କରି ସେ ଧରିଥିବା ଟଙ୍କା ଭର୍ତି ବ୍ୟାଗଟିକୁ ଲୁଟି ନେଇଥିଲେ । ଗୁଳି ଶବ୍ଦ ଶୁଣି ଆଖପାଖର ଲୋକ ସେଠାରେ ଏକଜୁଟ ହୋଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନମୋହନଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏହି ମାମଲାରେ ଅପରାଧୀଙ୍କୁ ଧରିବାକୁ ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ ସୁଶୀଲ କୁମାର ମିଶ୍ର, ଖୋର୍ଦ୍ଧା ସ୍ପେସାଲ୍ ସ୍କ୍ୱାଡ୍ ଅଧିକାରୀ ରାମଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର