ଜେଏମ୍‌ଏମ୍‌ ପ୍ରାର୍ଥୀ ନିହାରଙ୍କ ପ୍ରାର୍ଥିପତ୍ର ନାକଚ

ରାଉରକେଲା: ଟିକଟ୍‌ ନ ମିଳିବାରୁ ବିଜେଡି ଛାଡ଼ି ଇଣ୍ଡି ମେଣ୍ଟ (ଜେଏମ୍‌ଏମ୍‌)ରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ନିହାର ସୁରିନଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଜାତୀୟ ଦଳର ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲବେଳେ ୧୦ ଜଣ ଲେଖାଏ ପ୍ରସ୍ତାବକ ଦେବାର ନିୟମ ରହିଛି। କିନ୍ତୁ ନିହାର ସୁରିନ୍‌ ନିଜ ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଦାଖଲବେଳେ ଜଣେ ପ୍ରସ୍ତାବକ ଦେଇଥିଲେ। ରିଟର୍ଣ୍ଣିଂ ଅଫିସର୍‌ ଯାଞ୍ଚବେଳେ ଏହି କାରଣରୁ ନିହାର ସୁରିନଙ୍କ ପ୍ରାର୍ଥିପତ୍ର ନାକଚ କରିଦେଇଛନ୍ତି।

ପୂର୍ବତନ ବିଧାୟକ ନିହାର ବୀରମିତ୍ରପୁର ବିଜେଡି ଟିକଟ୍‌ ଦୌଡ଼ରେ ରହିଥିଲେ। ହେଲେ ଦଳ ତାଙ୍କୁ ବାଦ୍ ଦେଇ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପୁଅ ରୋହିତ ଯୋସେଫ ତିର୍କିଙ୍କୁ ପ୍ରାର୍ଥୀ କରିଥିଲା। ରୋହିତ ଟିକେଟ୍‌ ପାଇବା ପରେ ନିହାର ଓ ଅନ୍ୟମାନେ ବିଜେଡି ଛାଡିଥିଲେ। ପରବର୍ତ୍ତୀ ସମୟରେ ରାଞ୍ଚିସ୍ଥିତ ଶିବୁ‌ ସୋରେନଙ୍କ ବାସଭବନରେ ଜେଏମ୍‌ଏମ୍‌ରେ ସାମିଲ ହୋଇଥିଲେ। ସାମିଲ ହେବାର କିଛିଦିନ ପରେ ତାଙ୍କୁ ଜେଏମ୍‌ଏମ୍‌ ଟିକଟ୍‌ ମିଳିଥିଲା। ପ୍ରାର୍ଥିପତ୍ର ନାକଚ ହେବା ପରେ ନିହାର ସୁରିନ ଓ ତାଙ୍କ ସମର୍ଥକଙ୍କ ଆଭିମୁଖ୍ୟ କ’ଣ ରହିବ, ତା’ ଉପରେ ବୀରମିତ୍ରପୁର ମତଦାତାଙ୍କ ନଜର ରହିଛି। ସୂଚନାଯୋଗ୍ୟ, ବୀରମିତ୍ରପୁର ଆସନରେ କଂଗ୍ରେସ ଦଳ ପ୍ରାର୍ଥୀ ନଦେଇ ଏହା ସହଯୋଗୀ ଦଳ ଜେଏମ୍‌ଏମ୍‌କୁ ଛାଡ଼ିଥିଲା। କିନ୍ତୁ ଜେ​ଏମ୍‌ଏମ୍‌ ପ୍ରାର୍ଥିତ୍ବ ଖାରଜ ପରେ ଏବେ ଏହି ଆସନରେ ବିଜେଡି-ବିଜେପି ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ଏକପ୍ରକାର ନିଶ୍ଚିତ ହୋଇଛି।

ସମ୍ବନ୍ଧିତ ଖବର