ଆକାଶ ହତ୍ୟା ମାମଲାରେ ସିଆଇଡି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲା ରାଜ୍ୟ ମାନବିକ ଅଧିକାର କମିଶନ

ଜୟପୁର: ଗତ ୨୦୧୭ ମସିହାରେ ଆକାଶ ମହୁରିଆଙ୍କୁ ହତ୍ୟା କରି ବାଇକ୍ ଦୁର୍ଘଟଣାର ରୁପ ଦେବା ଏବଂ ତାଙ୍କ ଭାଇ ଜିତ୍ ମହୁରିଆଙ୍କୁ ବେଆଇନ୍ ଭାବେ ଜୟପୁର ଟାଉନଥାନାରେ ୫ଦିନ ଅଟକ ରଖିଥିବା ଅଭିଯୋଗ ଉଠିଥିଲା। ଏହି ଅଭିଯୋଗକୁ ନେଇ ତାଙ୍କ ମା ପ୍ରବିଣା ମହୁରିଆ ରାଜ୍ୟ ମାନବିକ ଅଧିକାର କମିଶନର ଦ୍ବାରସ୍ଥ ହୋଇଥିଲେ। କମିଶନ ଏହାର ଶୁଣାଣି କରି ଜିତ୍ ମହୁରିଆଙ୍କୁ ବେଆଇନ ଭାବେ ଥାନାରେ ୫ଦିନ ଅଟକ ରଖିଥିବାରୁ କ୍ଷତିପୁରଣ ବାବଦକୁ ୩୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଟଙ୍କା ତତ୍କାଳୀନ ଟାଉନଥାନା ଆଇଆଇସି ତପନ ନାରାୟଣ ରଥ ଓ ତତ୍କାଳୀନ ସବଇନିସପେକ୍ଟର ଶିବଶଙ୍କର ସାହୁ ମିଳିତ ଭାବେ ରାଜ୍ୟ ସରକାରଙ୍କ ନିକଟରେ ଜମା କରିବେ, ଟଙ୍କା ଜମା ନ କରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦେଶ ଦିଆଯାଇଛି। ତା ସହ ଆକାଶ ମହୁରିଆ ହତ୍ୟା ଅଭିଯୋଗ ମାମଲାର ପୁନଃର୍ବାର ସିଆଇଡି(ସିବି)ର ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ପୁନଃ ତଦନ୍ତ କରି ନଭେମ୍ବର ୧୫ତାରିଖ ସୁଦ୍ଧା ରାଜ୍ୟ ମାନବିକ ଅଧିକାର କମିଶନ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କାର୍ଯ୍ୟାନ୍ବୟନ କରିବାକୁ ଗୃହ ବିଭାଗ ସଚିବଙ୍କୁ ରାଜ୍ୟ ମାନବିକ ଅଧିକାର କମିଶନ ନିର୍ଦେଶ ଦେଇଛନ୍ତି।

ଜଣେ ଯଦି ଅଭିଯୁକ୍ତ ତେବେ ପୁଲିସ ତାକୁ ଧରି ଉପଯୁକ୍ତ ସାକ୍ଷ୍ୟ ,ପ୍ରମାଣ ସହ କୋର୍ଟରେ ହାଜିର କରାଇବା କାମ। କୋର୍ଟ ବିଚାର କରିବା ପରେ ସେ ଅପରାଧି କି ନିରପରାଧି ତା ପରେ ସ୍ପଷ୍ଟ ହେବ। ତେବେ କିଛି ବୁଝି ନ ବିଚାରି ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଏବଂ ବିନା ମାମଲାରେ ଜଣକୁ ଥାନାକୁ ଆଣି ୫ଦିନ ରଖି ଶାରିରୀକ ମାନସିକ ଯନ୍ତ୍ରଣା ଦେବା କେତେ ଦୁର ନ୍ୟାୟସଂଗତ ବୋଲି ତାଙ୍କ ବଡ଼ ଭଉଣୀ ମାନସୀ ମହୁରିଆ, ମାଉସୀ ପୁଅ ଭାଇ କର୍ଣ୍ଣେଲ ବାଘ ଗଣମାଧ୍ୟମକୁ କହିଛନ୍ତି। ପୁଲିସ ଜାଣି ଶୁଣି ମୋ ଭାଇକୁ ହତ୍ୟା କରିବା ସହ ମୋ ସାନଭାଇକୁ ଏବେ ପର୍ଯ୍ୟନ୍ତ ହଇରାଣ ହରକତ କରୁଛନ୍ତି। ରାଜ୍ୟ ମାନବିକ ଅଧିକାର କମିଶନର ନିର୍ଦ୍ଦେଶରେ ସିଆଇଡି ଏହି ମାମଲାର ତଦନ୍ତ କରିବ। ସିଆଇଡି (ସିବି) ସ୍ବଚ୍ଛତା ରଖି ତଦନ୍ତ କରି ଆମ ପରିବାରକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି କହିଛନ୍ତି ଭାଇ ଓ ଭଉଣୀ ।

ସମ୍ବନ୍ଧିତ ଖବର