ଅଦାଲତ ଅବମାନନା ମାମଲା : ଉଚ୍ଚଶିକ୍ଷା ସଚିବ, ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ହାଇକୋର୍ଟ ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଶ୍ବିନୀ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବେ ହାଜିର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନି‌ର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ ନେଇ ଦାୟର ମାମଲାରେ ୨୦୧୯, ଡିସେମ୍ବର ୧୨ରେ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ଏହାପରେ ମଧ୍ୟ ଉଭୟ ଅଧିକାରୀ ମାମଲାର ଶୁଣାଣି ସମୟରେ ପକ୍ଷ ରଖି ନ ଥିଲେ। ଏଭଳି ସ୍ଥିତିରେ ନଭେମ୍ବର ୩ରେ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଙ୍କୀ ସ୍ବୟଂଶାସିତ କଲେଜର ପ୍ରାଧ୍ୟାପକ ବସନ୍ତ କୁମାର ସାହୁଙ୍କ ଅଦାଲତ ଅବମାନନା ସଂପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୟୁଜିସି ସ୍କେଲ ଦରମା ପ୍ରସଂଗ ନେଇ ଆବେଦନକାରୀ ୧୯୯୯ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୮, ଜୁଲାଇ ୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ୟୁଜିସି ସ୍କେଲ ଆଧାରରେ ସଂଶୋଧିତ ଦରମା ଓ ବକେୟା ପ୍ରାପ୍ୟ ଏକ ମାସ ଭିତରେ ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଆବେଦନକାରୀ ୨୦୧୯ରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ୨୦୧୯, ଫେବ୍ରୁଆରି ୨୦ରେ ହାଇକୋର୍ଟ ଅଦାଲତ ଅବମାନନା ମାମଲାର ଶୁଣାଣି କରି ପୂର୍ବ ନିର୍ଦ୍ଦେଶ ୩ ମାସ ଭିତରେ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟସୀମା ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା। ଏହାପରେ ପୁଣି ଆବେଦନକାରୀ ଦ୍ବିତୀୟଥର ପାଇଁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଆବେଦନରେ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପୁରୁଷୋତ୍ତମ ଚୁଳି ଓ ପ୍ରିୟମ୍ବଦା ନାଥ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର