ଏନ୍‌ଏଚ୍‌ରୁ ହଟିବ ବେଆଇନ ବସ୍‌ଷ୍ଟପ୍‌: ପୁଣି ଥରେ ପ୍ରିପେଡ୍‌ ଅଟୋ ବ୍ୟବସ୍ଥା

ବାମପାର୍ଶ୍ବ ସମାନ୍ତରାଳ ରାସ୍ତାରେ ସ୍ପିଡ୍‌ ବ୍ରେକର

ଭୁବନେଶ୍ୱର: ଜାତୀୟ ରାଜପଥ ଉପରେ ଆଉ ବସ୍‌ ରହିବ ନାହିଁ। ବେଆଇନ ବସ୍‌ଷ୍ଟପ୍‌ ହଟିବ। ଯାତ୍ରୀ ଉଠାଇବାକୁ ହେଲେ ବସ୍‌ଗୁଡ଼ିକ ସର୍ଭିସ୍‌ ରୋଡ୍‌ ଦେଇ ଯିବେ। ଯେଉଁ ବସ୍‌ଗୁଡ଼ିକ ରାଜପଥରେ ରଖି ଯାତ୍ରୀ ଉଠାଇବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏ ନେଇ ଖୁବ୍‌ଶୀଘ୍ର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନଏଚଏଆଇ) କମିସନରେଟ୍‌ ପୁଲିସକୁ ଚିଠି ଲେଖିବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ। ଏକାଧିକ ବସ୍‌ ଯାତ୍ରୀ ଉଠାଇବା ପାଇଁ ଭୁବନେଶ୍ବର ଦେଇ ଯାଇଥିବା ରାଜପଥର ବିଭିନ୍ନ ସ୍ଥାନରେ ବସ୍‌ ରଖି ଯାତ୍ରୀ ଉଠାଉଥିବାରୁ ଦୁର୍ଘଟଣା ଘଟିବା ସହ ପ୍ରବଳ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଡିଏ ଉପାଧ୍ୟକ୍ଷ ବଲ୍‌ୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ସିଟି କୋ-ଅର୍ଡିନେସନ କମିଟି ବୈଠକରେ ଏଭଳି ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଏନ୍‌ଏଚ୍‌ଏଆଇ ଟ୍ରାଫିକ୍‌ ପୁଲିସ ସହ ସମନ୍ବୟ ରକ୍ଷା କରି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଏହି ରାସ୍ତାରେ ନିୟମିତ ଦୁର୍ଘଟଣା ଘଟୁଥିବାରୁ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ବ୍ଲାକ୍‌ସ୍ପଟ୍‌ ସହ ରାସ୍ତା ପ୍ରସ୍ତୁତିରେ ଥିବା ତ୍ରୁଟି ଚିହ୍ନଟ କରି ସ୍ପିଡ୍‌ବ୍ରେକର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାସ୍ତାର ବୁଦ୍ଧପାର୍କ ଛକରେ ଏକ ଟ୍ରାଫିକ୍‌ ପୋଷ୍ଟ ସ୍ଥାପନା କରାଯିବ। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଉଥିବାରୁ ଅଧିକାଂଶ ଲୋକ ଏହି ରାସ୍ତାକୁ ପସନ୍ଦ କରୁଥିବାରୁ ଗହଳି ବଢ଼ିଛି। ଏଣୁ ବୁଦ୍ଧପାର୍କ ଛକରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍‌ ପୋଷ୍ଟ ସ୍ଥାପନ କରିବା ପରେ ଯଥାଶୀଘ୍ର ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ କମିସନରେଟ୍‌ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାସ୍ତାରେ ସିସିଟିଭି କ୍ୟାାମେରା ଲଗାଯିବା ପାଇଁ ଯୋଜନା ହୋଇଛି। ଏହି ରାସ୍ତା ସହ କମିସନରେଟ୍‌ ପୁଲିସ ସ୍ମାର୍ଟ ସିଟିକୁ ୨୪ଟି ନୂଆ ଜାଗାରେ କ୍ୟାମେରା ଲଗାଇବା ପାଇଁ ଚିଠି ଲେଖିଛି। ଏଥିରେ ୨୧ଟି ନୂଆ ଟ୍ରାଫିକ୍‌ ଛକ ରହିଛି।

ପୁଣି ଥରେ ପ୍ରିପେଡ୍‌ ଅଟୋ ବ୍ୟବସ୍ଥା
ସହର ସମନ୍ବୟ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ବାମପାର୍ଶ୍ବ ସମାନ୍ତରାଳ, ରାସ୍ତାରେ ସ୍ପିଡ୍‌ ବ୍ରେକର
ବୁଦ୍ଧପାର୍କ ଛକରେ ଟ୍ରାଫିକ୍‌ ପୋଷ୍ଟ

ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ମେଟ୍ରୋ ରେଳ। ଅଗଷ୍ଟ ମାସରୁ ରେଳପଥ ବିଛାଇବା ସହ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ଆରମ୍ଭ ହେବାକୁ ଯାଉଥିବାରୁ ଟ୍ରାଫିକ୍‌ ସମସ୍ୟା ହେବା ଆଶଙ୍କା ରହିଛି। ଏଣୁ କେଉଁ ଜାଗାରେ କେତେ ଦିନ କାମ ହେବ ସେ ନେଇ ଆକଳନ କରି ଭୁବନେଶ୍ୱର ମେଟ୍ରୋ ରେଳ ନିଗମ(ବିଏମ୍‌ଆରସି) ଟ୍ରାଫିକ୍‌ ପୁଲିସକୁ ଅବଗତ କରାଇବ। ସେହି ଅନୁସାରେ ଟ୍ରାଫିକ୍‌ ପୁଲିସ ପ୍ଲାନ୍‌ ପ୍ରସ୍ତୁତ କରିବ। ଟ୍ରାଫିକ୍‌ ଯେଭଳି ବିଶୃଙ୍ଖଳିତ ହେବ ନାହିଁ ତାହା ଉପରେ ନଜର ରଖିବାକୁ କୁହାଯାଇଛି। ତେବେ ଅଧିକାଂଶ କାମ ଡିପୋରେ ପ୍ରସ୍ତୁତ ହୋଇ ଏଠାରେ ଖଞ୍ଜା ଯିବାକୁ ଥିବାରୁ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେବ ନାହିଁ ‌ବୋଲି ବିଏମ୍‌ଆର୍‌ସି ସୂଚନା ଦେଇଛି। ପୁଣି ଥରେ ରେଳ ଷ୍ଟେସନ ଓ ବରମୁଣ୍ଡା ବସ୍‌ଷ୍ଟାଣ୍ଡ(ବିଏସ୍‌ଏବିଟି)ରେ ପ୍ରିପେଡ୍‌ ଅଟୋ ବ୍ୟବସ୍ଥା ଆରମ୍ଭ ହେବ। ଏ ନେଇ କମିସନରେଟ୍‌ ପୁଲିସ ବ୍ୟବସ୍ଥା କରିବ। ପୂର୍ବରୁ ମଧ୍ୟ ଏଭଳି ବ୍ୟବସ୍ଥା ଭୁବନେଶ୍ବର ରେଳଷ୍ଟେସନରେ ହୋଇଥିଲା। କିନ୍ତୁ ଏକାଧିକ ସଂଘ ଓ ପୁଲିସର ଅବହେଳା ପାଇଁ ଏହା ଶୃଙ୍ଖଳିତ ହୋଇ ପାରିନଥିଲା। ଏବେ ପୁଣି ଥରେ ଏହି ବ୍ୟବସ୍ଥା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଛି।

ଯେଉଁ ସଂଘ ପ୍ରିପେଡ୍‌ ବ୍ୟବସ୍ଥାକୁ ମାନିବେ ନାହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ସେହିଭଳି ବରମୁଣ୍ଡାରେ ମଧ୍ୟ ଏହି ବ୍ୟବସ୍ଥା ଶୃଙ୍ଖଳିତ ହୋଇ ପାରୁନାହିଁ। ଏକାଧିକ ସଂଘ ଥିବାରୁ ନାନା ମୁନିଙ୍କ ନାନା ମତ ଭଳି ସ୍ଥିତି ‌ହୋଇଛି। ତେବେ ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ନିଷ୍ପତ୍ତି ନିଆଯାଇଛି। କେତେକ ରାସ୍ତା କଡ଼ରେ ୪ଟି ବିଦ୍ୟୁତ ଖୁଣ୍ଟ ପୋତାଯାଇ ଟ୍ରାନ୍‌ସ୍‌ଫର୍ମର ସ୍ଥାପନ କରାଯାଇଛି। ଏହା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାରୁ ସେ ସବୁ ଜାଗାରେ ମୋନୋପୋଲ୍‌ ବ୍ୟବସ୍ଥା କରିବାକୁ ଟିପିସିଓଡିଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମେ କିଟ୍‌ ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟ ହଟାଇ ମୋନୋପୋଲ୍‌ କରିବା ପରେ ଅନ୍ୟାନ୍ୟ ଜାଗା ଚିହ୍ନଟ କରି ଏହି ନୂଆ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର