ପରଦେଶୀ ଚଢ଼େଇ

ପକ୍ଷୀଙ୍କ କାକଳିରେ ହିଁ ଆରମ୍ଭ ହୁଏ ପ୍ରତିଟି ସକାଳ। କୁଆର ‘କା’ ତ କୋଇଲିର ‘କୁ’। ପାରା ‘ଘୁଁ ଘୁଁ ଘୁମୁରେ’ ଆଉ ‘ଚିଁ ଚିଁ’ ଶବ୍ଦ କରେ କୁନିଚଢ଼େଇ ଘରଚଟିଆ। ପ୍ରାଣକୁ ଆମୋଦିତ କରେ ନାନାଜାତିର ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ। ଶବ୍ଦ ନୁହେଁ, ସେସବୁ ସଂଗୀତ। ସେଥିରେ ଭାବାବିଷ୍ଟ ହୋଇ ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଥିଲେ- ‘‘ମଧୁମୟ ଗାନେ ମଧୁମୟ ସ୍ୱନେ ଗାଇ ମଧୁମୟ ଗୀତି, ବିହଙ୍ଗମଗଣ ପୂରାନ୍ତି ଶ୍ରବଣ ମଧୁ ଢାଳି ନିତି ନିତି।’’ ପକ୍ଷୀ ଭାରତୀୟ ଜୀବନଧାରାର ଅଂଶବିଶେଷ। ଆମ ଆଧ୍ୟାତ୍ମିକ ଚିନ୍ତନରେ ପାରା ଓ ହଂସକୁ ଆତ୍ମାର ପ୍ରତୀକ ବୋଲି କୁହାଯାଏ ତ ଗରୁଡ଼, ପେଚା ଓ ମୟୂର ଆଦି ପକ୍ଷୀଙ୍କୁ ଦେବଦେବୀଙ୍କ ବାହନ ଭାବରେ ସମ୍ମାନ ଦିଆଯାଏ। ଶୁଆ, ସାରି, ପାରା ଆଦି ପକ୍ଷୀ ଆମେ ଘରେ ପାଳୁ, ତାଙ୍କ ସହ କଥାବାର୍ତ୍ତା କରୁ। ଶୀତଋତୁ ଆସିଗଲେ ବାହାର ଦେଶରୁ ଅସଂଖ୍ୟ ପକ୍ଷୀ ଉଡ଼ି ଆସନ୍ତି ଆମ ରାଜ୍ୟକୁ। ସେ ଚିଲିକା ହ୍ରଦ ହେଉ କିମ୍ବା ଭିତରକନିକା ଅଭୟାରଣ୍ୟ, ବିଦେଶାଗତ ପକ୍ଷୀଙ୍କ ଆକର୍ଷଣୀୟ ଉଡ଼ାଣ ଓ କିଚିରି ମିଚିରି ଶବ୍ଦ ଆମକୁ ଆନନ୍ଦ ଦିଏ। ଏମିତି କିଛି ଭ୍ରମଣ ପ୍ରିୟ ବିଦେଶାଗତ ପକ୍ଷୀଙ୍କ ସମ୍ପର୍କରେ…

ଫ୍ଲେମିଙ୍ଗୋ
ଫ୍ଲେମିଙ୍ଗୋ ପକ୍ଷୀ ସୌନ୍ଦର୍ଯ୍ୟ, ସନ୍ତୁଳନ, ସମ୍ଭାବନା ଏବଂ ପ୍ରେମର ପ୍ରତୀକ। ଦୀର୍ଘ ସମୟ ଗୋଟିଏ ଗୋଡ଼ରେ ଠିଆ ହେବା ସେମାନଙ୍କର ସାମର୍ଥ୍ୟ, ସନ୍ତୁଳନ ଏବଂ ସୌହାର୍ଦ୍ୟ ଦର୍ଶାଇଥାଏ। ଶୀତ ଆସିଲେ ସୁନ୍ଦର ଗୋଲାପି ରଙ୍ଗର ଫ୍ଲେମିଙ୍ଗୋ ପକ୍ଷୀ ଆମ ଓଡ଼ିଶାର ଅତିଥି ହୁଅନ୍ତି। ଏହି ପକ୍ଷୀମାନେ ଆଫଗାନିସ୍ତାନ, ପାକିସ୍ତାନ, ଇସ୍ରାଏଲ୍‌ ଆଦି ବିଭିନ୍ନ ସ୍ଥାନରୁ ଉଡ଼ିଆସିଥାଆନ୍ତି। ଫ୍ଲେମିଙ୍ଗୋମାନେ ହେଉଛନ୍ତି ସୌନ୍ଦର୍ଯ୍ୟର ପ୍ରତୀକ।
ବ୍ଲୁ ଥ୍ରୋଟ୍‌
ଅନେକ ସଂସ୍କୃତିରେ ବ୍ଲୁ ଥ୍ରୋଟ୍‌ ବା ନୀଳକଣ୍ଠୀ ପକ୍ଷୀକୁ ପ୍ରେମ ଏବଂ ନିଷ୍ଠାର ପ୍ରତୀକ ଭାବରେ ପରିଗଣିତ କରାଯାଏ। ବ୍ଲୁ ଥ୍ରୋଟ୍ ଘଞ୍ଚ ଜଙ୍ଗଲ, ଆର୍ଦ୍ର ଜଙ୍ଗଲଭୂମିର ଧାର, ପାହାଡ଼ିଆ ଅଞ୍ଚଳରେ ଦେଖାଯାଆନ୍ତି ଏବଂ ପ୍ରାୟତଃ ପାଣି ନିକଟରେ ପ୍ରଜନନ କରିଥା’ନ୍ତି। ଆଫଗାନିସ୍ତାନ ଏବଂ ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରୁ ଆସୁଥିବା ନୀଳକଣ୍ଠୀ ୨୬୦୦-୩୮୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଡ଼ିପାରନ୍ତି। ଶୀତଦିନେ ଜଳାଶୟ ନିକଟରେ ରହିଥାନ୍ତି। ନୀଳ ଓ କମଳା ରଙ୍ଗର ଉଜ୍ଜ୍ୱଳ କଣ୍ଠବିଶିଷ୍ଟ ଏହି ଛୋଟ ପକ୍ଷୀ ୟୁରୋପ ଓ ଏସିଆର ଉତ୍ତରାଞ୍ଚଳରୁ ଭାରତ ଆସିଥାଆନ୍ତି। ଏହି ପକ୍ଷୀମାନେ ସେମାନଙ୍କ ସୁମଧୁର ଡାକ ପାଇଁ ବେଶ୍ ଜଣାଶୁଣା ଏବଂ ଦିଲ୍ଲୀ ନିକଟସ୍ଥ ଯମୁନା ଜୈବବିବିଧତା ପାର୍କ ଏବଂ ସୁରଜପୁର ଆର୍ଦ୍ରଭୂମି ପରି ଜଳାଶୟ ପାଖରେ ଅଧିକ ଦେଖାଯାଆନ୍ତି।
ନାମାକ୍ବା ଡଭ୍
ସାଧାରଣ ଭାବେ କପୋତ ପକ୍ଷୀକୁ ଶାନ୍ତି ଓ ମୈତ୍ରୀର ପ୍ରତୀକ ଭାବେ ବିବେଚନା କରାଯାଏ। ଏହି ଶ୍ରେଣୀର ପକ୍ଷୀ ନାମାକ୍ବା ଡଭ୍ ମୁଖ୍ୟତଃ ଆଫ୍ରିକା ମହାଦେଶର ସାହାରାଞ୍ଚଳ ଓ ଆରବର ତିହାରାର ବାସିନ୍ଦା ହୋଇଥିବା ବେଳେ ଗତ କିଛି ବର୍ଷ ଧରି ସେମାନଙ୍କୁ ମୁମ୍ବାଇ ନିକଟସ୍ଥ ଅମ୍ବୁ ଦ୍ବୀପରେ ଦେଖିବାକୁ ମିଳୁଛି। ଆମେରିକୀୟ ରାଜନୀତିରେ ଯୁଦ୍ଧ ପାଇଁ ଓକିଲାତି କରୁଥିବା ଲୋକଙ୍କୁ ‘ହକ୍’ ବା ବାଜପକ୍ଷୀ ବୋଲି କୁହାଯାଉଥିବା ବେଳେ ଯେଉଁମାନେ ଶାନ୍ତି ସପକ୍ଷରେ ଥାଆନ୍ତି ସେମାନଙ୍କୁ ‘କପୋତ’ ବୋଲି କୁହାଯାଇଥାଏ। ପ୍ରାଚୀନ ଗ୍ରୀକ୍ ଏବଂ ମିଶରବାସୀ କପୋତକୁ ବାଟରେ ଦେଖିଲେ ଉଜ୍ଜ୍ୱଳ ଭବିଷ୍ୟତ ଏବଂ ସମୃଦ୍ଧିର ସଙ୍କେତ ଭାବରେ ବିବେଚନା କରନ୍ତି।
ବ୍ଲୁ ଜେ
ଏହି ପକ୍ଷୀ ସାଧାରଣତଃ ଖୁବ୍‌ ଜୋର୍‌ରେ ରାବିଥାଆନ୍ତି। ନୀଳ, ଧଳା ଏବଂ କଳା ରଙ୍ଗ ମିଶ୍ରିତ ବ୍ଲୁ ଜେ ନିଜର ବୁଦ୍ଧିମତା ଓ ପାରିବାରିକ ବନ୍ଧନ ପାଇଁ ବେଶ୍ ପରିଚିତ। ଏମାନେ ସ୍ବଭାବତଃ ଆକ୍ରମଣାତ୍ମକ, କିନ୍ତୁ ଜିଜ୍ଞାସୁ ଓ ବନ୍ଧୁଭାବ‌ାପନ୍ନ। ଏମାନଙ୍କୁ ଦେଖିଲେ ସୌଭାଗ୍ୟ ଆସିଥାଏ ବୋଲି ଆମେରିକୀୟମାନେ ବିଶ୍ବାସ କରନ୍ତି। ଯଦି କେହି ମୃତ ବ୍ଲୁ ଜେକୁ ଦେଖେ ତେବେ ତା’ର ଗ୍ରହଦୋଷ ଅଛି ବୋଲି ଧରାଯାଏ।

ସମ୍ବନ୍ଧିତ ଖବର