କ୍ରୀଡ଼ା ସଂସାର: ଚଉଷଠି ବର୍ଗକ୍ଷେତ୍ରର ସଫଳ ବାପ-ଝିଅ

ସୁରେଶ ସ୍ବାଇଁ

ଚଉଷଠି ବର୍ଗକ୍ଷେତ୍ରର ଖେଳ ଚେସ୍‌ରେ ଉନ୍ମାଦନା ‌ଯେତିକି, ଉତ୍କଣ୍ଠା ବି ସେତିକି। କ୍ରିକେଟ୍ ପରେ ଚେସ୍‌ ହେଉଛି ଏକମାତ୍ର ଖେଳ ଯାହା ଓଡ଼ିଶାରେ ଲୋକପ୍ରିୟ ଓ ଘରେ ଘରେ ଆଦୃତ। ଆମ ଚେସ୍ ଦୁନିଆରେ ଏକ ବାପ-ଝିଅ ଯୋଡ଼ିଙ୍କ କାହାଣୀ କିନ୍ତୁ ଢେର୍‌ ଚର୍ଚ୍ଚାରେ ରହିଛି। ଚେସ୍ ପାଇଁ ସମର୍ପିତ ଏହି ବାପ-ଝିଅ ହେଲେ ସତ୍ୟରଂଜନ ପଟ୍ଟନାୟକ ଏବଂ ପି. ସାଇରୂପା।

ଏକବିଂଶ ଶତାଦ୍ଦୀରେ ଓଡ଼ିଶା ଚେସ୍‌ର ଦ୍ରୋଣାଚାର୍ଯ୍ୟ ଭାବେ ପରିଚିତ ସତ୍ୟରଂଜନ ପଟ୍ଟନାୟକଙ୍କ ଅବିର୍ଭାବ ପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ପ୍ରଥମ ପେସାଦାର ପ୍ରଶିକ୍ଷଣ କେନ୍ଦ୍ର ‘ଏସ୍‌ଆର୍‌ ଚେସ୍ କେନ୍ଦ୍ର’ର ପ୍ରତିଷ୍ଠା ସହିତ ରାଜ୍ୟ ଚେସ୍‌ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ଲୋଭନୀୟ ଚାକିରି ଛାଡ଼ି ଚେସ୍‌ ପାଇଁ ସମର୍ପିତ ଭାବେ କାମ କରିଥିବାରୁ ସତ୍ୟରଜଂନ ଏବେ ରାଜ୍ୟର ଜଣେ ପ୍ରତିଷ୍ଠିତ ଚେସ୍ ଗୁରୁ ଭାବେ ସ୍ବୀକୃତ।

ରାଜ୍ୟର ଚେସ୍‌ ପ୍ରତିଭାଙ୍କୁ ମାର୍ଗଦର୍ଶନ ଦେଇ ଏକାଧିକ ଜାତୀୟ ବିଜେତା ସୃଷ୍ଟି କରିଛନ୍ତି ସେ। ୨୦୧୩ରେ ଦେବାଶିଷ ଦାସ ହୋଇଥିଲେ‌ ଓଡ଼ିଶାର ସର୍ବପ୍ରଥମ ଗ୍ରାଣ୍ଡ୍‌ମାଷ୍ଟର୍‌ ଏବଂ ଏହି ଐତିହାସିକ ସଫଳତାର ସାରଥି ଥିଲେ ସତ୍ୟରଂଜନ। ରାଜ୍ୟର ଦ୍ବିତୀୟ ଗ୍ରାଣ୍ଡ୍‌ମାଷ୍ଟର୍‌ ସ୍ବୟମ୍ସ ମିଶ୍ରଙ୍କ ଖେଳ ଜୀବନରେ ବି ରହିଛି ତାଙ୍କର ଅବଦାନ। କେବଳ ଗ୍ରାଣ୍ଡ୍‌ମାଷ୍ଟର୍‌ ନୁହନ୍ତି, ଆଇଏମ୍ ତଥା ପ୍ରଥମ ବୟସ ବର୍ଗ ବିଶ୍ବ ବିଜୟିନୀ ପଦ୍ମିନୀ ରାଉତ, ଡବ୍ଲ୍ୟୁଜିଏମ୍ କିରଣ ମନୀଷା ମହାନ୍ତି, ଆଇଏମ୍ ସିଦ୍ଧାନ୍ତ ମହାପାତ୍ର, ଆଇଏମ୍ ରାକେଶ କୁମାର ଜେନା, ଡବ୍ଲ୍ୟୁଏଫ୍‌ଏମ୍ ସାଇନା ସଲୋନିକା, ଏସୀୟ ସ୍କୁଲ୍ ବିଜୟିନୀ ଶୂନ୍ୟାସକ୍ତା ଶପତଥୀ, ଏସୀୟ ସ୍କୁଲ୍ ବିଜୟିନୀ ସ୍ମାରକୀ ମହାନ୍ତି, ଜାତୀୟ ୭ ବର୍ଷରୁ କମ୍ ବିଜୟିନୀ ଆଦ୍ୟାଶା ଶତପଥୀ, ରୁଦ୍ରାକ୍ଷ ପରିଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ନିଲସୁ ପଟ୍ଟନାୟକ, ଶ୍ରେୟାଂଶ ଶୁଭମ୍ ପଟ୍ଟନାୟକ, ଡବ୍ଲ୍ୟୁଏଫ୍‌ଏମ୍ ଅନ୍ବେଷା ମିଶ୍ରଙ୍କ ଭଳି ଅନେକ ଖ୍ୟାତିସଂପନ୍ନ ଖେଳାଳିଙ୍କ ସଫଳତା ପଛରେ ରହିଛି ସତ୍ୟ ସାର୍‌ଙ୍କ ପ୍ରେରଣା ଓ ପ୍ରଶିକ୍ଷଣ।

କଟକ ଉପକଣ୍ଠସ୍ଥ ଉତ୍ତମାପୁର ଗାଁରେ ଜନ୍ମିତ ୫୩ ବର୍ଷୀୟ ସତ୍ୟରଂଜନଙ୍କ କ୍ରୀଡ଼ାଜୀବନର ଆରମ୍ଭ ଚେସ୍‌ରୁ। ଏକଦା ତାଙ୍କ ଅନ୍ତର୍ଜାତୀୟ ରେଟିଂ ଥିଲା ୨୧୦୫। ରାଜ୍ୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ବିଜେତା ହେବା ପରେ କ୍ରମେ ପ୍ରଶିକ୍ଷକ ଓ ଚେସ୍ ପ୍ରଶାସକ ଭାବେ ଆଗକୁ ଆସିଥିଲେ। ଉତ୍ତମ ପ୍ରଶିକ୍ଷଣ ପାଇଁ ସେ ପ୍ରତିଷ୍ଠା କଲେ ‘ଏସ୍‌ଆର୍‌ ଚେସ୍ କେନ୍ଦ୍ର’। ସରକାର ଓ ସଂଘ କିଛି ଚିନ୍ତା କରିବା ପୂର୍ବରୁ ଶୁଭାଶିଷ ପଟ୍ଟନାୟକ ଓ ସତ୍ୟରଂଜନ ପଟ୍ଟନାୟକଙ୍କ ଏହି ମାନସପୁତ୍ର ରାଜ୍ୟ ଚେସ୍ ପାଇଁ ବରଦାନ ପାଲଟିଛି। ରାଜ୍ୟର ପ୍ରଥମ ଫିଡେ ଇନ୍‌ଷ୍ଟ୍ରକ୍ଟର୍‌ ଗୌରବ ମଧ୍ୟ ତାଙ୍କୁ ମିଳିଛି। ଅନେକ ଅନୁଷ୍ଠାନର ପୁରସ୍କାର ଓ ସମ୍ମାନ ସହିତ ସତ୍ୟରଂଜନଙ୍କୁ ମିଳିଛି ଓଡ଼ିଶା ସରକାରଙ୍କ ସର୍ବୋଚ୍ଚ ସ୍ବୀକୃତି ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’। ଜୀବନରେ ଶତାଧିକ ଚେସ୍‌ ଖେଳାଳି ଗଢ଼ିଥିବା ଶ୍ରୀ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ସାଇରୂପା ବି ବାପାଙ୍କ ରାସ୍ତାରେ ଯାଇ ଚେସ୍‌କୁ ଆପଣାଇଛନ୍ତି। ପିତାଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ସାଇରୂପା ଭଲ ଖେଳୁଛନ୍ତି ଓ ସଫଳତା ବି ସାଉଁଟିଛନ୍ତି। ଏ ପର୍ଯ୍ୟନ୍ତ ୧୮ ବର୍ଷୀୟା ସାଇରୂପା ରାଜ୍ୟ ବୟସ ବର୍ଗରେ ୬ ଥର ଚାମ୍ପିଅନ୍ ହେବା ସହ ୨୦୧୫ରୁ ନିରନ୍ତର ଭାବେ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ଭଲ ପାଠ ପଢୁଥିବା ସାଇରୂପାଙ୍କର କିନ୍ତୁ ଚେସ୍‌ ପାଇଁ ଭଲ ପାଇବା ଦିନକୁ ଦିନ ବଢ଼ି ଚାଲିଛି।

ସମ୍ବନ୍ଧିତ ଖବର