ଆରମ୍ଭ ହୋଇପାରୁନି ଆଇଡିଲ୍ ବସ୍‌ ବେ’: ସର୍ଭିସ୍‌ ରୋଡ୍‌ରେ ମାଳମାଳ ବସ୍‌

ଟ୍ରାଫିକ୍‌ ଅସମ୍ଭାଳ, ସ୍ଥାନୀୟ ଲୋକ ଅନ୍ତସନ୍ତ

ଖଣ୍ଡଗିରି: କୋଟି କୋଟି ଟଙ୍କା ବ୍ୟୟରେ ବରମୁଣ୍ଡାରେ ବିଶ୍ବସ୍ତରୀୟ ବାବା ସାହେବ ଆମ୍ବେଦକର ବସ୍ ଟର୍ମିନାଲ (ବିଏସ୍‌ଏବିଟି) ନିର୍ମାଣକୁ ଦୁଇମାସ ପୂରିଲାଣି। ହେଲେ ସେଠାରେ ଥିବା ଏକାଧିକ ପୁରୁଣା ସମସ୍ୟାର ସମାଧାନ ଏଯାଏ ହୋଇନାହିଁ। ତା’ ଭିତରୁ ଗୋଟିଏ ହେଉଛି ଏଠାରେ ରହୁଥିବା ବସ୍‌ଗୁଡ଼ିକର ପାର୍କିଂ ବ୍ୟବସ୍ଥା। ବସ୍‌ଷ୍ଟାଣ୍ଡକୁ ଆସୁଥିବା ବସ୍‌ଗୁଡ଼ିକ ପାର୍କିଂ ପାଇଁ ପ୍ରସ୍ତାବିତ ‘ଆଇଡିଲ୍‌ ବସ୍‌ ବେ’ ନିର୍ମାଣ ବିଳମ୍ବ ହେଉଥିବାରୁ ସମସ୍ୟା ଦିନକୁ ଦିନ ଅସମ୍ଭାଳ ହେଉଛି। ବସ୍‌‌ଷ୍ଟାଣ୍ଡକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକର କଡ଼ରେ ବସ୍‌ ପାର୍କିଂ ହେବାଯୋଗୁ ଭୀଷଣ ସମସ୍ୟା ହେଉଛି। କେବେ କେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ବିଶେଷକରି ସକାଳେ ଓ ସନ୍ଧ୍ୟାରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ହୋଇ ଲୋକେ ଫସି ଯାଉଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ନିଜ ଘରୁ ଓ ଦୋକାନରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌କୁ ପ୍ରତିଦିନ ୧,୩୦୦ରୁ ୧,୫୦୦ ବସ୍ ଆସୁଛି। ବସ୍‌ ବେ’ରେ ୫୦ଟି ବସ୍‌ ରହୁଥିବାବେଳେ ଓୟୁଏଟିର ୪ ଏକର ଜାଗାରେ ଯେଉଁ ପାର୍କିଂ ବ୍ୟବସ୍ଥା ହୋଇଛି, ସେଠାରେ ୯୦୦ ବସ୍ ରହିପାରୁଛି। ବାକି ୨୦୦ରୁ ଅଧିକ ବସ୍ ରହିବା ପାଇଁ ଜାଗା ହେଉନାହିଁ। ଏଣୁ ଖଣ୍ଡଗିରି-ବରମୁଣ୍ଡା ଉଭୟପାର୍ଶ୍ବ ସର୍ଭିସ୍ ରୋଡ୍, ଜାତୀୟ ରାଜପାଥରୁ ତପୋବନ ସ୍କୁଲ୍, ବସ୍‌ଷ୍ଟାଣ୍ଡରୁ ବରମୁଣ୍ଡା ଗାଁ, ଖଣ୍ଡଗିରି ସର୍ଭିସ୍ ରୋଡ୍‌ରୁ ଗାନ୍ଧିଶାନ୍ତି କେନ୍ଦ୍ର ଦେଇ ଜୟଦେବବାଟିକା ଛକ ରାସ୍ତାର ଉଭୟ ପାର୍ଶ୍ବରେ ମାଳମାଳ ବସ୍‌ ପାର୍କିଂ ହେଉଛି। ଏ ସମସ୍ତ ରାସ୍ତାରେ ଦିନର ପ୍ରାୟ ସବୁ ସମୟରେ ଶହଶହ ବସ୍ ପାର୍କିଂ ହେଉଥିବାରୁ ଅସ୍ବାଭାବିକ ଭାବେ ଟ୍ରାଫିକ୍ ଭିଡ଼ ହେଉଛି। ସ୍ଥାନୀୟ ଲୋକେ ଯାତାୟାତ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବରମୁଣ୍ଡାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଲମ୍ବିଥିବା ସର୍ଭିସ୍ ରୋଡ୍‌ର ଦୈର୍ଘ୍ୟ ପ୍ରାୟ ୨ କିମି। ଏହି ରାସ୍ତାରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଉଥିବା ବସ୍‌ ପାର୍କିଂ ହେଉଛି। ଫଳରେ ୫୦ ଫୁଟ୍ ଓସାରର ରାସ୍ତା ସଂକୁଚିତ ହୋଇ ମାତ୍ର ୨୦ ଫୁଟ୍‌ ହୋଇଯାଉଛି। ବରମୁଣ୍ଡା ଗାଁରୁ ବାହାରି କେହି ଖଣ୍ଡଗିରି ଆଡ଼କୁ ଯିବାକୁ ଚାହିଲେ ବା ବରମୁଣ୍ଡାରୁ ବାହାରି ଖଣ୍ଡଗିରି ଛକ ଆଡ଼କୁ ଯିବାକୁ ଚାହିଲେ, ଘୋର ଟ୍ରାଫିକ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଗାନ୍ଧି ଶାନ୍ତିକେନ୍ଦ୍ର ସମ୍ମୁଖ ରାସ୍ତାରୁ ଜାତୀୟ ରାଜପଥ ଓ ତପୋବନ ସ୍କୁଲ୍‌ରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାରେ ଶହଶହ ବସ୍ ପାର୍କିଂ ହେଉଛି। ଫଳରେ ଘାଟିକିଆ, ଖଣ୍ଡଗିରିବାରି, କଳିଙ୍ଗବିହାର ଆଦି ଅଞ୍ଚଳର ଲୋକେ ବରମୁଣ୍ଡାରେ ପହଞ୍ଚିବାକୁ ଯମଯନ୍ତ୍ରଣା ଭୋଗୁଛନ୍ତି। ବରମୁଣ୍ଡା ଗାଁରୁ ରସୁଲଗଡ଼ ଯିବାକୁ ଚାହୁଥିବା ଲୋକ ଫ୍ଲାଏଓଭର ବ୍ରିଜ୍ ତଳେ ପଶି ସର୍ଭିସ୍‌ ରୋଡ୍‌ ଦେଇ ଯାଆନ୍ତି। କିନ୍ତୁ ଏହି ରାସ୍ତାରେ ମଧ୍ୟ ବସ୍‌ଗୁଡ଼ିକ ପାର୍କିଂ ହୋଇଥାଏ। କେତେକ ବସ୍ ଏହି ରାସ୍ତାରେ ରହି ଯାତ୍ରୀ ମଧ୍ୟ ଉଠାନ୍ତି। ଏଣୁ ଭୟଙ୍କର ଟ୍ରାଫିକ୍ ଜାମ୍‌ ହେଉଛି। ଅନେକ ସମୟରେ ବରମୁଣ୍ଡା, ନାକାଗେଟ୍, ଘାଟକିଆ ଅଞ୍ଚଳରୁ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ଏହି ଭିଡ଼ ଭିତରେ ଫସିଯାଉଥିବା ଦେଖାଯାଇଛି।

ବସ୍ ମାଲିକ ସଂଘର ସମ୍ପାଦକ ବରଦା ଆଚାର୍ଯ୍ୟ ଏ ସଂପର୍କରେ କହିଲେ, ‘‘ଏହି ସମସ୍ୟା ନେଇ ବିଡିଏ ସହିତ କଥା ହୋଇଛୁ। ବସ୍ ଟର୍ମିନାଲ୍‌ ଭିତରେ ଥିବା ପାର୍କ ଭାଙ୍ଗି ସେଠାରେ ଗାଡ଼ି ରଖିବାକୁ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହି ପାର୍କିଂ ସମସ୍ୟାର ସମାଧାନ ପାଇଁ ଫେବ୍ରୁଆରି ମାସରୁ ବିଏସ୍ଏବିଟି କଡ଼କୁ ଲାଗି ୬ କୋଟି ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ଆଇଡଲ୍ ପାର୍କିଂ ପ୍ରସ୍ତୁତ ହେବାକୁ ଯୋଜନା ହୋଇଛି। ଏଥିରେ ୧୫୦ଟି ବସ୍ ରହିପାରିବ। ୪ ମାସ ମଧ୍ୟରେ ଏହା ପ୍ରସ୍ତୁତି ଶେଷ ହେବାର ଥିଲା, ଏଥିପାଇଁ ବିଡିଏ ଟେଣ୍ଡର ମଧ୍ୟ ଡାକିଥିଲା। କିନ୍ତୁ ଆଦର୍ଶ ଆଚରଣ ବିଧି ଯୋଗୁ ଠିକାଦାର ଚୟନ ହୋଇ ପାରୁନାହିଁ।’’
ତେବେ ସେଠାରେ ପ୍ରାୟ ୧୫୦ ବସ୍‌ ରହିଗଲେ ମଧ୍ୟ ଯେ ସମସ୍ୟାର ପୂରା ସମାଧାନ ହୋଇଯିବ, ତାହା ନିଶ୍ଚିତ ନୁହେଁ। ଆଇଡିଲ୍ ବସ୍‌ ବେ’ ସହିତ ଆଉ କିଛି ବ୍ୟବସ୍ଥା ଏବଂ ବସ୍‌ଙ୍କ ପାଇଁ ଆଉକିଛି ନିୟମ ଲାଗୁ କରାଯିବା ଆବଶ୍ୟକ ବୋଲି ଏହି ସମସ୍ୟା ବିଷୟରେ ଧାରଣା ଥିବା ବୁଦ୍ଧିଜୀବୀ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର