‘ଆଶ୍ରମ’ରେ ମହାଶ୍ୱେତା

ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତାଙ୍କୁ ପୁଣି ଥରେ ଦର୍ଶକ ବଡ଼ ପରଦାରେ ଦେଖିବାକୁ ପାଇବେ। ‘ଆଶ୍ରମ’ ଶୀର୍ଷକରେ ନିର୍ମିତ ହେବାକୁ ଯାଉଥିବା ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରୁଥିବା ସୂଚନା ମିଳିଛି। ଏହି ସିନେମା ଜରିଆରେ ଓଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ପୁଣି ମହାନାୟିକା ମହାଶ୍ୱେତାଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଛନ୍ତି। ‘ଆଶ୍ରମ’ରେ ମହାଶ୍ୱେତାଙ୍କୁ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭୂମିକାରେ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏଭଳି ଚରିତ୍ରରେ ସେ ପ୍ରଥମ ଥର ବଡ଼ ପରଦାରେ ନଜର ଆସିବେ। ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ପାରିବାରିକ ଜୀବନ ଉପରେ ‘ଆଶ୍ରମ’ର କାହାଣୀ ଆଧାରିତ। ଏଥିରେ ମହାଶ୍ୱେତାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଶ୍ରଦ୍ଧା ସୁମନ। ‘ଆଶ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଗିରି, ସୂର୍ଯ୍ୟମୟୀ, ନବାଗତ ସୌମ୍ୟ, ତନୁଶ୍ରୀ, ଶ୍ବେତା ଆଚାର୍ଯ୍ୟ, ଶଙ୍କର, ପ୍ରଶାନ୍ତ ପାତ୍ର ଓ ତୁଷାର ଆଚାର୍ଯ୍ୟ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ। ‘ଚକ୍ଷୁବନ୍ଧନ’ ଓ ‘ମାୟାବୀ’ ପରି ଚର୍ଚ୍ଚିତ ସିନେମାର ନିର୍ମାତା ତପନ କୁମାର ଦାଶଙ୍କ ପ୍ରଯୋଜିତ ଏହି ଛବିର ସଂଳାପକାର ଦିଲୀପ ଚୌଧୁରୀ ଓ ଗୀତିକାର ବାପୁ ଗୋସ୍ବାମୀ। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର।

ସୂଚନାଯୋଗ୍ୟ, ସୁଧାଂଶୁ ମୋହନ ସାହୁ ତରଙ୍ଗ ସିନେ ପ୍ରଡକ୍ସନର ଟେଲି ସିନେମା ‘ଚୁମକି ମାଇଁ ଡାର୍ଲିଙ୍ଗ୍‌’ରେ ମହାଶ୍ବେତାଙ୍କୁ ପ୍ରଥମ ଥର ଲାଗି ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ। ଏହାପରେ ସୁଧାଂଶୁଙ୍କ ‘ତୋ’ର ନା’ର ମାନେ ହଁ’ରେ ପୁଣି ଅଭିନୟ କରିଥିଲେ ମହାଶ୍ବେତା। ଚଳିତ ବର୍ଷ ମହାଶ୍ବେତାଙ୍କୁ ‘ଡିଅର୍ ପୁରୁଷ’ରେ ଶେଷ ଥର ଲାଗି ବଡ଼ ପରଦାରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର