ଡହଡହ ଖରାରେ ବସୁଛନ୍ତି ଗୁରୁତର ‌ରୋଗୀ: ଗରମ ସହି ନ ପାରି ରୋଗୀ ଚେତାଶୂନ୍ୟ

ସୁପରସ୍ପେସାଲିଟି ଓ କ୍ୟାନସର୍‌ ବିଭାଗ ସମ୍ମୁଖରେ ବିଚିତ୍ର ସ୍ଥିତି

ଭୁବନେଶ୍ବର: ରାଜଧାନୀରେ ଏବେ ଯେଉଁ ଭଳି ଭାବେ ପାରଦ ଉପର ମୁହାଁ ହୋଇଛି ସାଧାରଣ ଲୋକଙ୍କ ପକ୍ଷେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। କିନ୍ତୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ୪୫ ଡିଗ୍ରିର ଡହଡହ ଖରାରେ ରୋଗୀମାନେ ବାହାରେ ବସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। କ୍ୟାନସର୍‌ ବିଭାଗ ଓ ସୁପରସ୍ପେସାଲିଟି ବିଭାଗ ସମ୍ମୁଖରେ ଖରାରେ ଅପେକ୍ଷା କରୁଛନ୍ତି ରୋଗୀ। ଘଣ୍ଟାଘଣ୍ଟା ଧରି ଏକ ଖୋଲା ଆଜବେଷ୍ଟସ୍ ତଳେ ଚିକିତ୍ସା ପାଇଁ ଅପେକ୍ଷା କରି ରହୁଛନ୍ତି। ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲ ପରିସରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। କେବଳ ଏହି ଦୁଇଟି ବିଭାଗ ନୁହେଁ ଅନ୍ୟ କେତେକ ବିଭାଗରେ ମଧ୍ୟ ପ୍ରବଳ ଗରମରେ ରୋଗୀମାନେ ବାହାରେ ବସୁଥିବା ଲକ୍ଷ୍ୟ କରାଯାଉଛି। ଫଳରେ ଏକାଧିକ ରୋଗୀ ଗରମ ଝାଞ୍ଜି ସହି ନ ପାରି ଚେତାଶୂନ୍ୟ ହୋଇଯାଉଛନ୍ତି।

ଅଭିଯୋଗ ଅନୁସାରେ ସୁପରସ୍ପେସାଲିଟି ବିଭାଗକୁ ଦୈନିକ ୩୦୦ରୁ ଅଧିକ ରୋଗୀ ଆସୁଛନ୍ତି। ତେଣୁ ଦୀର୍ଘ ସମୟ ଧରି ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବ‌ାହାରେ ଥିବା ଆଜବେଷ୍ଟସ୍ ତଳେ ପ୍ରବଳ ଖରାରେ ଅପେକ୍ଷା କରି ରହୁଛନ୍ତି। ଏହି ସ୍ଥାନଟି ଖୋଲା ରହିଥିବାରୁ ପ୍ରବଳ ଝାଞ୍ଜି ପବନ ହେଉଥିବା ଅଭିଯୋଗ ହେଉଛି। ଏହାଛଡ଼ା କ୍ୟାନସର୍‌ ବିଭାଗ ସମ୍ମୁଖରେ କେମୋ ପାଇଁ ଆସୁଥିବା ମଧ୍ୟ ରୋଗୀମା‌ନେ ବାହାରେ ଅପେକ୍ଷା କରି ରହୁଛନ୍ତି। ଏହି ବିଭାଗ‌ଗୁଡ଼ିକୁ ବୟସ୍କ ରୋଗୀ ଅଧିକ ଆସୁଥିବା‌ରୁ ପ୍ରତୀକ୍ଷା ସ୍ଥାନକୁ ଖରା ଓ ଝାଞ୍ଜିରୁ ରକ୍ଷା ପାଇଁ ଚାରିପଟେ କପଡ଼ା ବାନ୍ଧିବାକୁ ରୋଗୀ ସମ୍ପର୍କୀୟମାନେ ଦାବି କରିଛନ୍ତି। ଏହାଛଡ଼ା ଡାଏଲିସିସ ଭଳି ଅନ୍ୟ କେତେକ ବିଭାଗର ପ୍ରତୀକ୍ଷାଳୟରେ ପଙ୍ଖା ମଧ୍ୟ ନାହିଁ। ତେଣୁ ଗହଳି ସାଙ୍ଗକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ଫଳରେ ରୋଗୀମାନେ ଅଧିକ ଅସୁସ୍ଥ ହୋଇ ପଡ଼ୁଥିବା ଅଭିଯୋଗ ହୋଇଛି। ତେଣୁ ଯେଉଁ ସବୁ ପ୍ରତୀକ୍ଷାଳୟରେ ପଙ୍ଖା ନାହିଁ ସେହି ସବୁ ସ୍ଥାନରେ ପଙ୍ଖା ଲଗାଇବାକୁ ଦାବି ହେଉଛି। ଏ ବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ ‌ସେ କହିଛନ୍ତି, ରୋଗୀମାନଙ୍କୁ ଖରାରୁ ରକ୍ଷା ପାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଥଣ୍ଡା ପାଣି ସହ ଓଆରଏସ ପାଣି ଦିଆଯାଉଛି। ଏହାସହ ପଙ୍ଖା ବ୍ୟବସ୍ଥା‌ ମଧ୍ୟ କରାଯାଇଛି। ଯେଉଁ ସବୁ ସ୍ଥାନରେ ପଙ୍ଖା ନାହିଁ, ଯୁଦ୍ଧକାଳୀନ ଭିତ୍ତି‌ରେ ଷ୍ଟାଣ୍ଡ୍‌ ଫ୍ୟାନର ବ୍ୟବସ୍ଥା‌ କରାଯାଇଛି। ଏହାଛଡ଼ା ଏବେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ତେଣୁ ଆଗାମାୀ ଦିନରେ କାନ୍ଥ ପଙ୍ଖାର ବ୍ୟବସ୍ଥା କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର