ଜଗତପୁର ଅଞ୍ଚଳର ୨ ସରକାରୀ ସ୍କୁଲ୍‌ରେ ଶିକ୍ଷକ, ଶ୍ରେଣୀଗୃହ ଅଭାବ

୭ ତାରିଖରେ ଖୋଲିବ ସ୍କୁଲ୍

କଟକ: ଜଗତପୁର ସହରାଞ୍ଚଳରେ ଦୀର୍ଘ ବର୍ଷରୁ ଦୁଇ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଛି। ପ୍ରଥମଟି ନିମପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଅନ୍ୟଟି ଜଗତପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ। ନିମପୁରରେ ଏବେ ସର୍ବ ମୋଟ ପାଞ୍ଚଟି ଶ୍ରେଣୀ ରେ ୫୬୩ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ରହିଛି । କିଛି ମାସ ପୂର୍ବେ ହିନ୍ଦୀ, ସଂସ୍କୃତ ଓ ଜୀବ ବିଜ୍ଞାନ (ସିବିଜେଡ) ଶିକ୍ଷକ ଅବସର ନେଇଥିଲେ ମଧ୍ୟ ଅଦ୍ୟାବଧି ସେହି ସ୍ଥାନ ପୂରଣ ହୋଇ ପାରିନାହିଁ। ୩ ଜଣ ଅତିଥି ଶିକ୍ଷକଙ୍କୁ ଅସ୍ଥାୟୀ ଶିକ୍ଷାଦାନ ନିମନ୍ତେ  ନିଯୁକ୍ତି ଦିଆଯାଇଥିଲେ ବି ତାହା ଆବଶ୍ୟକତା ପୂରଣରେ ଯଥେଷ୍ଟ ନୁହେଁ l ଅନ୍ୟ ପକ୍ଷରେ ଡାଟା ଅପରେସନ ଏବଂ  ଅଫିସ କାର୍ଯ୍ୟ ତୁଲାଇବା ପାଇଁ ପ୍ରାୟ ୨ ବର୍ଷରୁ ଅଧିକ ହେଲାଣି ଡାଟା ଅପରେଟର ଓ  କିରାଣୀ ନିଯୁକ୍ତି ହୋଇନାହିଁ l ଡିଇଓ ଅଫିସରୁ ଡେପୁଟେସନରେ ଜଣେ କିରାଣୀଙ୍କୁ ସପ୍ତାହରେ ଦୁଇ ଦିନ ପାଇଁ ପଠା ଯାଇଛି। ତାହା ମଧ୍ୟ ନିୟମିତ ନୁହେଁ l ଏଥି ପାଇଁ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଅଫିସ କାର୍ଯ୍ୟ ପରିଚାଳନା କରିବାକୁ ପଡିଥାଏ। ଫଳରେ ଶିକ୍ଷା ଦାନ ଓ ବିଦ୍ୟାଳୟ ପରିଚାଳନାରେ ସମସ୍ୟା ହୋଇଥାଏ ବୋଲି ପ୍ରଧାନ ଶିକ୍ଷକ ଅଶୋକ ମହାପାତ୍ର କହିଛନ୍ତି l

ଜଗତପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଞ୍ଚ ଗୋଟି ଶ୍ରେଣୀରେ ପାଖାପାଖି ୫୦୦ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି l ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହ, ବେଞ୍ଚ ଡେସ୍କ ଅଭାବ ଥିବା ବେଳେ ଆବଶ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ ନାହାନ୍ତି। ସୋମବାର ଦିନ ବିଦ୍ୟାଳୟ ଖୋଲିବା ପାଇଁ ସରକାରୀ ଘୋଷଣା ପରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି l ଏ ସମ୍ପର୍କ ରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ କେତେକ ବିଦ୍ୟାଳୟ କମିଟି ସଦସ୍ୟ କହିଛନ୍ତି ଯେ ନବମ ଓ ଦଶମ ଶ୍ରେଣୀରେ ବିଭାଗୀୟ ଶିକ୍ଷକ (ସେକ୍ସନ ଟିଚର ) ନିଯୁକ୍ତି ଦିଆଯାଇନାହିଁ l ପ୍ରାୟ ୧ ବର୍ଷ ହେବ ୨ ଜଣ କଳା ଶିକ୍ଷକ ଓ ଜଣେ ବିଜ୍ଞାନ ଶିକ୍ଷକ ଅବସର ନେଇଥିଲେ ମଧ୍ୟ ସେହି ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ହୋଇ ନାହାନ୍ତି l ସେହିପରି ଖେଳ ଶିକ୍ଷକ ପ୍ରମୋଦ ବେହେରାଙ୍କ ଅବସର ପରେ ନୂତନ ଖେଳ ଶିକ୍ଷକ ନିଯୁକ୍ତି ନ ହେବାରୁ କ୍ରୀଡା ଓ ଡ୍ରିଲ ଶିକ୍ଷାଦାନ ହେଉନାହିଁ। ପ୍ରଧାନ ଶିକ୍ଷୟିତ୍ରୀ ଝରଣା ନାୟକ ବି ଅନୁରୂପ ମତ ରଖିଛନ୍ତି। ସରକାର ତୁରନ୍ତ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର